ଗ୍ରାମାଞ୍ଚଳ ବିକାଶ ପାଇଁ ଆରଆଇଡିଏଫ୍‌ ପାଣ୍ଠି ବିନିଯୋଗ ଉପରେ ଗୁରୁତ୍ବ

ଭୁବନେଶ୍ବର : ଗ୍ରାମାଞ୍ଚଳରେ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ପାଇଁ ନାବାର୍ଡ ଠାରୁ ଅତି କମ୍‌ ସୁଧରେ ମିଳୁଥିବା ଆର୍‌ଆଇଡିଏଫ୍‌ ଋଣକୁ ଯଥାସମ୍ଭବ ବିନିଯୋଗ କର। ମାତ୍ର ୨.୭୫% ସୁଧରେ ମିଳୁଥିବା ଏହି ଋଣରେ ଗ୍ରାମାଞ୍ଚଳର ବିକାଶ କରାଯାଇପାରିବ। ଏଥିପାଇଁ ଆସନ୍ତା ୭ ଦିନ ଭିତରେ ବିସ୍ତୃତ ପ୍ରକଳ୍ପ ପ୍ରସ୍ତୁତ କର। ଆରଆଇଡିଏଫ୍‌ ପାଣ୍ଠି ବିନିଯୋଗ ନେଇ ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ସବୁ ବିଭାଗକୁ ଚିଠି ଲେଖିଛନ୍ତି। ଆସନ୍ତା ୨୬ ତାରିଖରେ ଲୋକସେବା ଭବନରେ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉଚ୍ଚକ୍ଷମତା ସମ୍ପନ୍ନ ବୈଠକରେ ପ୍ରସ୍ତାବିତ ପ୍ରକଳ୍ପକୁ ଅନୁମୋଦନ କରାଯିବ।

ଚିଠିରେ ଶ୍ରୀ ମୀନା ଦର୍ଶାଇଛନ୍ତି, ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ନାବାର୍ଡ଼ ସହାୟତାରେ ୩୭ଟି କ୍ଷେତ୍ର ପାଇଁ ଅର୍ଥ ବିନିଯୋଗ କରାଯାଉଛି। ମୁଖ୍ୟତଃ କୃଷି, ସାମାଜିକ ଓ ରାସ୍ତା ସଂଯୋଗୀକରଣ କ୍ଷେତ୍ରରେ ଏହି ଟଙ୍କା ଖର୍ଚ୍ଚ କରାଯାଉଛି। ଏହି ଅର୍ଥ ରାଜ୍ୟ ସରକାର ନାବାର୍ଡ଼ଠାରୁ ଋଣ ଆକାରରେ ପାଇଥାନ୍ତି। କମ୍‌ ସୁଧରେ ଏହି ଅର୍ଥ ମିଳୁଥିବାରୁ ଏହାର ଯେପରି ସୁବିନିଯୋଗ ହୋଇପାରିବ ସେଥିପାଇଁ ସବୁ ବିଭାଗ ଯତ୍ନ ନେବା ଦରକାର। ଆସନ୍ତା ସପ୍ତାହରେ ହେବାକୁ ଥିବା ଉଚ୍ଚକ୍ଷମତା ସମ୍ପନ୍ନ ବୈଠକରେ ବିଭିନ୍ନ ପ୍ରକଳ୍ପ ଉପରେ ତର୍ଜମା ପାଇଁ ଅର୍ଥ ବିଭାଗକୁ ପ୍ରସ୍ତାବ ପଠାଇବାକୁ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଗୁରୁତ୍ବ ଦେଇଛନ୍ତି।

ସମ୍ବନ୍ଧିତ ଖବର