ବିଜେପିକୁ ଭୁବନେଶ୍ୱର ଓ କଳାହାଣ୍ଡି ଅଡୁଆ: ଘୋଷଣା ହେଲାନି ଜିଲ୍ଲା ସଭାପତିଙ୍କ ନାମ, ଚାଲିଛି ଛକାପଞ୍ଝା !

ଭୁବନେଶ୍ୱର: ଭୁବନେଶ୍ୱର ବିଜେପି ସଂଗଠନରେ ସବୁ କିଛି ଠିକଠାକ ଚାଲି ନଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଏବେ କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି। କାରଣ ୩୪ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଘୋଷଣା ହୋଇନି ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଲା ସଭାପତିଙ୍କ ନାମ। କୁହାଯାଉଛି, ଅପରାଜିତା ଷଡ଼ଙ୍ଗୀ ଅନୁପସ୍ଥିତ ଥିବାରୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇନାହିଁ। ସେହିପରି କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି କିଏ ହେବ, ସେ ଅଙ୍କ ମଧ୍ୟ ଛିଡୁନାହିଁ।

ରାଜ୍ୟ ସଭାପତି ଚୟନ ପୂର୍ବରୁ ୩୬ଟି ସାଂଗଠନିକ ଜିଲ୍ଲାର ସଭାପତି ଚୟନ ପାଇଁ ଅଣ୍ଟା ଭିଡିଥିଲା ବିଜେପି। ଗତ ୧୫ ଓ ୧୬ ତାରିଖରେ ନିର୍ବାଚନ ହୋଇ ଫଳାଫଳ ପ୍ରକାଶ ପାଇଥିଲା। ଏହା ସହ ୩୪ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରାଗଲା, ହେଲେ  ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଗଲା ନାହିଁ। ତେବେ ଦଳ ପକ୍ଷରୁ କୁହାଯାଇଛି କି, ଅପରାଜିତା ଷଡ଼ଙ୍ଗୀ ଅନୁପସ୍ଥିତ ଥିବାରୁ ଜିଲ୍ଲା ସଭାପତି ନାଁ ଘୋଷଣା କରାଯାଇନାହିଁ। ସେହିପରି କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି କିଏ ହେବ, ସେ ଅଙ୍କ ମଧ୍ୟ ଛିଡୁନାହିଁ।

ସେପଟେ କଳାହାଣ୍ଡିର ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ଜୋରଦାର ଅଙ୍କକଷା ଚାଲିଛି। କୁହାଯାଉଛି, ସାଂସଦ ବସନ୍ତ ପଣ୍ଡା ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ମଧ୍ୟରେ ଛକାପଞ୍ଝା ଯୋଗୁଁ ଅଟକି ଯାଇଛି କଳାହାଣ୍ଡି ଜିଲ୍ଲା ସଭାପତି ଚୟନ। ଏପଟେ ଚର୍ଚ୍ଚା ହେଉଛି, ରାଜ୍ୟ ସଭାପତି ଚୟନ ପୂର୍ବରୁ ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହେବନାହିଁ। ୩୬ ସାଂଗଠନିକ ଜିଲ୍ଲା ମଧ୍ୟରେ ୩୪ ଜିଲ୍ଲାର ସଭାପତି ନିର୍ବ‌ାଚିତ ହୋଇଥିବାରୁ ରାଜ୍ୟ ସଭାପତି ଚୟନରେ କୌଣସି ବାଧା ନାହିଁ। ତେଣୁ ନୂଆ ରାଜ୍ୟ ସଭାପତି ହିଁ ଏହି ଦୁଇ ଜିଲ୍ଲାର ସଭାପତି ନାଁ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର