ଯାଜପୁରସଦର : ରଗଡ଼ି ସରକାରୀ ପଲିଟେକନିକ୍ରେ ମେଧାବୀ ଛାତ୍ରୀ ଥିଲେ ରୋଜାଲିନ ପାତ୍ର। କ୍ୟାମ୍ପସ ଚୟନ​ରେ ୪ଟି କଂପାନିରେ ମନୋନୀତ ହୋଇଥିଲେ। କିନ୍ତୁ ହଠାତ ଝିଅର ମୃତ୍ୟୁ ଖବର ଆସିଲା। ଏହାପରେ ୭ ଦିନ ହେଲା ନ୍ୟାୟ ପାଇଁ ଘୂରି ବୁଲୁଛନ୍ତି ଝିଅର ବାପାମା। ତଥାପି ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇ ପାରୁନାହିଁ ପୁଲିସ। ଥାନାରୁ ନିରାଶ ହେବା ପରେ ଆଜି ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ଜନଶୁଣାଣିରେ ଝିଅକୁ ନ୍ୟାୟ ଦେବା ପାଇଁ କାନିପାତି ଭିକ୍ଷା ମାଗିଛନ୍ତି ମା ଟିକି ପାତ୍ର। ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଏସ୍ପି ଭିନିତ ଅଗ୍ରୱାଲଙ୍କ ଆଗରେ ସେ କାନ୍ଦିକାନ୍ଦି ନେହୁରା ହେଉଥିବାର ଦୃଶ୍ୟ ଜନଶୁଣାଣି ଶିବିରରେ ଦୁଃଖଦ ବାତାବରଣ ସୃଷ୍ଟି କରିଥିଲା। ଏସ୍ପି ତାଙ୍କୁ ପ୍ରବୋଧନା ଦେଇଥିଲେ ମଧ୍ୟ ମା ମନଙ୍କୁ ବୁଝାଇବାରେ ସକ୍ଷମ ​ହୋଇନଥିଲେ। କାର୍ଯ୍ୟାଳୟ ଆଗରେ ମଧ୍ୟ ସେ ଭୋଭୋ ହୋଇ କାନ୍ଦୁଥିବାର ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଥିଲା।
ଖବର ଅନୁସାରେ ରଗଡ଼ି ସରକାରୀ ପଲିଟେକନିକ୍ର ଇଲେକ୍ଟ୍ରିକାଲ୍ ବିଭାଗର ତୃତୀୟ ବର୍ଷ (ଷଷ୍ଠ ସେମିଷ୍ଟାର୍) ଛାତ୍ରୀ ଥିଲେ ଅମୂଲ୍ୟ ପାତ୍ରଙ୍କ ଝିଅ ରୋଜାଲିନ ପାତ୍ର। ସେ ବିରଜା ଛାତ୍ରୀନିବାସରେ ରହୁଥିଲେ। ଗତ ମାର୍ଚ୍ଚ ୨୮ ତାରିଖରେ ସେ ନିଜ ରୁମ୍ରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା କୁହାଯାଉଛି। ଅନ୍ୟପଟେ ଝିଅର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପରିବାର ଲୋକ। ତାଙ୍କ ଝିଅକୁ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଘଟଣାକୁ ପୁଲିସ ସେତିକି ଗୁରୁତ୍ବ ଦେଉନାହିଁ ଏବଂ ପରିବାର ଲୋକଙ୍କୁ ବାରମ୍ବାର ଥାନାକୁ ଦୌଡ଼ାଇ ହଇରାଣ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାର ସମୟକୁ ବାରମ୍ବାର ଘୁଞ୍ଚାଇ ଚାଲିଛନ୍ତି। କୋରେଇ ପୁଲିସ ପକ୍ଷରୁ ଏ ଦିଗରେ ସ୍ପଷ୍ଟ ଉତ୍ତର ଦିଆଯାଉନାହିଁ।
ଶେଷରେ ପୁଲିସଠାରୁ ନିରାଶ ହୋଇ ସୋମବାର ଦିନ ଯାଜପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ଚାଲିଥିବା ମିଳିତ ଅଭିଯୋଗ ଶୁଣାଣିରେ ମୃତ ଛାତ୍ରୀଙ୍କ ପରିବାର ପହଞ୍ଚି ନ୍ୟାୟ ଭିକ୍ଷା କରିଥିଲେ। ରୋଜାଲିନ ଆତ୍ମହତ୍ୟା କରିନାହିଁ, ବରଂ ତାଙ୍କୁ ତିନିଜଣ ସହପାଠୀ ମିଶି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଦୁଇଜଣ ଛାତ୍ରୀ ଓ ଜଣେ ଯୁବକଙ୍କ ନାଁ ନେଇ ସେମାନେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅଛନ୍ତି ବୋଲି ରୋଜାଲିନଙ୍କ ବାପାମା ସିଧାସଳଖ କହିଛନ୍ତି। ରୋଜାଲିନକୁ ଧମକ ଦେବା ସହ ତାଙ୍କୁ ଜୀବନରୁ ମାରିଦେଇଥିବା ମୁଖ୍ୟ ଅଭିଯୁକ୍ତ ଛାତ୍ରକୁ ଏଯାଏ ପୁଲିସ ପଚରାଉଚରା କରୁନଥିବା ପରିବାର ଲୋକେ କହିଛନ୍ତି। ଏପରିକି ଝିଅ ମୋବାଇଲ ଫୋନ୍ଣ ସିମ୍ କାର୍ଡ କିଏ ଓ କାହିଁକି ନେଲା ତାକୁ ନେଇ ମଧ୍ୟ ପୁଲିସ ନିରବ ରହିଛି। ପୁଲିସ ଏହି ଘଟଣାକୁ ଅଧିକ ରହସ୍ୟାବୃତ୍ତ କରୁଥିବାର କହିଛନ୍ତି ଝିଅର ପରିବାର ଲୋକ। ଘଟଣାର ତଦନ୍ତ ଚାଲିଛି ଏବଂ ପୁଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ତେଣୁ ଧୈର୍ଯ୍ୟ ଧରିବାକୁ ଏସ୍ପି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/ragadi-college-student-death-case.jpg)