ଜୟପୁର: କେନ୍ଦ୍ର ଓରାଜ୍ୟ ସରକାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଜରିଆରେ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ଭତ୍ତା ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ପାଇଁ ପ୍ରାଥମିକତା ଦେଉଛନ୍ତି। ଏଥି ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। କିନ୍ତୁ କିଛି ଯୋଗ୍ୟ ହିତାଧିକାରୀ ଏହି ସୁବିଧାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି। ଗୁରୁବାର ଜୟପୁର ବ୍ଲକର ଅନ୍ତା ପଂଚାୟତର ବାୟାଗୁଡା ଓ ଜୟପୁର ପୌରାଂଚଳର ଜୟନଗରରୁ ଏଭଳି କିଛି ଯୋଗ୍ୟ ହିତାଧିକାରୀମାନଙ୍କୁ ନେଇ ୟୁଥ ଅର୍ଗନାଇଜେସନ୍ ପକ୍ଷରୁ  ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଘେରାଉ କରିଥିଲେ।

Advertisment

ମିଳିଥିବା ସୂଚନା ମୁତାବକ, ଗୁରୁବାର ଜୟପୁର ବ୍ଲକର ଅନ୍ତା ପଂଚାୟତର ବାୟାଗୁଡା ଓ ଜୟପୁର ପୌରାଂଚଳର ଜୟନଗରରୁ ଏଭଳି କିଛି ଯୋଗ୍ୟ ହିତାଧିକାରୀମାନେ ବାରମ୍ବାର ଆବେଦନ କରିବା ପରେ ବି ଭତ୍ତା ପାଇବାରୁ ବଂଚିତ ରହିଛନ୍ତି। ପୌରପାଳିକା ଓ ବ୍ଲକ କାର୍ଯ୍ୟାଳୟକୁ ଏମାନେ ଦଉଡି ଦଉଡି ହନ୍ତସନ୍ତ ହୋଇଥିବା ଏହି ହିତାଧିକାରୀ ଓ ଏମାନଙ୍କୁ ନେଇ ଆସିଥିବା ୟୁଥ ଅର୍ଗନାଇଜେସନର ଆବାହକ ରବିନ୍ଦ୍ର ମହାପାତ୍ର କହିଛନ୍ତି। ଜୟପୁର ବ୍ଲକର ଅନ୍ତା ପଂଚାୟତର ମଇନା ଖଟିଆ, କନକ ଦେଇ , କମଳା ପୁଜାରୀ, ମଣିମା ନାୟକ, ନୟନା ପୁଜାରୀ, ଭଗବତୀ ନାୟକ, ହସାଇ ଭୂମିଆ, ଲଛମା ନାୟକ ବାର୍ଦ୍ଧକ୍ୟ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି।

ସେଭଳି ଜୟପୁର ପୌରପାଳିକାର ‌ଜୟନଗରର ମୋତି ଦାସ, ଡମୁନି ଗୌଡ଼, ଡମାଇ ମୁଦୁଲି, ମୋତି ଗୌଡ଼ ବିଧବା ଭତ୍ତା ପାଇନଥିବା ଅଭିଯୋଗ କରିଥିଲେ। ସମ୍ବାରୀ ମୁଦୁଲି, ବିମଳା ଗାଧବା, ନିଳା ଖିଲ, ସୁନାଦେଇ ଜାନୀ ପ୍ରମୁଖ ଅସହାୟ, ଅବିବାହିତ, ସ୍ବାମୀ ପରିତ୍ୟକ୍ତା ମହିଳାମାନେ ବି ଆବେଦନ କରି ଭତ୍ତା ନ ପାଇବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ଏମାନେ ପ୍ରଶ୍ନ କରିଥିଲେ। ଉପଜିଲ୍ଲାପାଳ ବେଦବରପ୍ରଧାନ ପଦନ୍ନୋତି ପାଇ ବଦଳି ହୋଇ ପଳାଇଯାଇଥିବାରୁ ଦାୟିତ୍ବରେ ଥିବା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗୋପୀନାଥ ସାରକାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।

ପ୍ରତ୍ୟେକ ପଂଚାୟତ ଓ ପୌରପାଳିକାରେ ଏ ନେଇ ହେଲ୍ପ ଡେସ୍କ ଖୋଲିବାକୁ ସଂସ୍ଥା ପକ୍ଷରୁ ଦାବି କରାଯାଇଥିଲା। ସେଭଳି ବ୍ଲକ ଓ ପୌରାଂଚଳରେ ବହୁ ହିତାଧିକାରୀଙ୍କ ଭତ୍ତା ୫ରୁ ୬ମାସ ମିଳିନଥିବାରୁ ଏହାର ଉପଯୁକ୍ତ ତଦନ୍ତ କରିବାକୁ ବି ଦାବି କରାଯାଇଥିଲା। ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହ ସେ ଆଲୋଚନା କରିଥିବା ବେଳେ ଆଜି ଆସିଥିବା ଅଭିଯୋଗକାରୀ ଯୋଗ୍ୟ ହିତାଧିକାରୀଙ୍କ ନାଁକୁ ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଭାରପ୍ରାପ୍ତ ଉପଜିଲ୍ଲାପାଳ । ଏଥିରୁ ବହୁ ଜଣକଙ୍କର ଆବେଦନପତ୍ର ଅନୁମୋଦନ ହୋଇସାରିଥିବା ବେଳେ ଆଉ କିଛି ଆବେଦନକାରୀଙ୍କ ଅନୁମୋଦନ କରିବା ବାକି ରହିଛି ଏବଂ ଯଥା ଶୀଘ୍ର ଯୋଗ୍ୟ ହିତାଧିକାରୀ ମାନେ ଭତ୍ତା ପାଇବେ ବୋଲି କହିଛନ୍ତି ଭାରପ୍ରାପ୍ତ ଉପଜିଲ୍ଲାପାଳ।