ରିମ୍‌ସ ଛାତ୍ରଙ୍କ ନୂଆ ଷ୍ଟାର୍ଟ ଅପ୍‌: କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରି ଦେଖିହେବ ରେଷ୍ଟୁରାଣ୍ଟର ମେନ୍ୟୁ

ରାଉରକେଲା: ଆପଣ ଯଦି ରେଷ୍ଟୁରାଣ୍ଟ୍‌, ହୋଟେଲ ଯାଉଥିବେ, ତା’ହେଲେ ସେଠାକାର ଖାଦ୍ୟପେୟ ବିଷୟରେ ଜାଣିବାକୁ ନିଶ୍ଚିତଭାବେ ମେନ୍ୟୁ କାର୍ଡ ଦେଖୁଥିବେ। ମେନ୍ୟୁ କାର୍ଡକୁ ଧରି, ମନପସନ୍ଦର ଖାଦ୍ୟକୁ ଚୟନ କରି ଅର୍ଡର କରୁଥିବେ। କେବଳ ଜଣେ ନୁହନ୍ତି, ବରଂ ରେଷ୍ଟୁରାଣ୍ଟ୍‌କୁ ଯାଉଥିବା ଶହ ଶହ ଗ୍ରାହକଙ୍କ ଉକ୍ତ ମେନ୍ୟୁ କାର୍ଡର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥାନ୍ତି। ବର୍ତ୍ତମାନର କୋଭିଡ୍‌ ମହାମାରୀ ସମୟରେ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଉଥିବାବେଳେ ନିର୍ଦ୍ଦିଷ୍ଟ ଗୋଟିଏ ବସ୍ତୁକୁ ଏକାଧିକ ବ୍ୟକ୍ତି ସ୍ପର୍ଶ କରିବା; ସଂକ୍ରମଣ ବୃଦ୍ଧି ନିମନ୍ତ୍ରଣ କରିବା ସଦୃଶ। ତେ‌ବେ ଏଥର ଆଉ ମେନ୍ୟୁ କାର୍ଡକୁ ଛୁଇଁବାକୁ ପଡ଼ିବନି। କେବଳ ମୋବାଇଲ୍‌ରେ ସଫ୍ଟୱେର୍‌ ବ୍ୟବହାରକରି କ୍ୟୁଆର୍‌ କୋଡ୍‌ ସ୍କାନ୍‌ କଲେ ହୋଟେଲ/ରେଷ୍ଟୁରାଣ୍ଟ୍‌ରେ ଉପଲବ୍ଧ ଖାଦ୍ୟ ବିଷୟରେ ଜାଣିପାରିବେ। ଏହି ସ୍ପର୍ଶ ବିହୀନ ବରାଦ ପ୍ରଣାଳୀ ସଫ୍ଟୱେର୍‌କୁ ବିକଶିତ କରିଛନ୍ତି ରାଉରକେଲାର ଦୁଇ ଛାତ୍ର ସୌମ୍ୟ ରଞ୍ଜନ ଦାସ ଓ ବ୍ରିଜେନ୍ଦ୍ର ସିଂହ। କୋଭିଡ୍‌ ମହାମାରୀ ପରବର୍ତ୍ତୀ କାଳରେ ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ଉଭୟ ଗ୍ରାହକ ଓ ଦୋକାନିଙ୍କ ପାଇଁ ବିଶେଷ ଫଳପ୍ରଦ ହେବବୋଲି ଆଶା କରାଯାଉଛି।

ଏହି ନୂଆ ଷ୍ଟାର୍ଟ‌୍ଅପ୍‌ର ପ୍ରତିଷ୍ଠାତ ହେଉଛନ୍ତି ରାଉରକେଲା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ୍‌ ଷ୍ଟଡିଜ୍‌(ରିମ୍‌ସ) ବିସିଏ ଶେଷ ବର୍ଷ ଛାତ୍ର ସୌମ୍ୟ ରଞ୍ଜନ ଓ ବ୍ରିଜେନ୍ଦ୍ର। କରୋନା କାଳରେ ଜନସାଧାରଣଙ୍କୁ ସର୍ବାଧିକ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏହି ସଫ୍ଟୱେରକୁ ବିକଶିତ କରାଯାଇଛି। ରେଷ୍ଟୁରାଣ୍ଟ୍‌ର ପ୍ରତ୍ୟେକ ଟେବୁଲରେ ଗୋଟିଏ ଲେଖାଏଁ କ୍ୟୁଆର୍‌ କୋଡ୍‌ ଥିବା ଷ୍ଟାଣ୍ଡ୍‌ ରହିବ। ଏହାକୁ ସ୍କାନ କଲାମାତ୍ରେ ଗ୍ରାହକ ସଂପୃକ୍ତ ରେଷ୍ଟୁରାଣ୍ଟ୍‌ରେ ଥିବା ମେନ୍ୟୁ ବିଷୟରେ ଜାଣିପାରିବେ। ନିଜ ମୋବାଇଲ କ୍ୟାମେରା ସମେତ ପେ’ଟିଏମ୍‌, ମାଇଁ ଜିଓ, ଗୁଗୁଲ ଲେନ୍ସ, ଆମାଜନ୍‌ ସପିଂ ଆପ୍‌ ଆଦି ମାଧ୍ୟମରେ ଗ୍ରାହକ ସ୍କାନ୍‌ କରିପାରିବେ। ଗ୍ରାହକ ସ୍କାନ୍‌ କରି ମେନ୍ୟୁ ତାଲିକା ଦେଖିବାସହ ପରାଦ କରିପାରିବେ। ଏତଦ୍‌ବ୍ୟତୀତ ଖାଦ୍ୟର ମାନ ଉପରେ ମତାମତ ଦେବାସହ ରେଷ୍ଟୁରାଣ୍ଟ୍‌ ପକ୍ଷରୁ ଦିଆଯାଉଥିବା ସ୍ବତନ୍ତ୍ର ରିହାତି ବିଷୟରେ ମଧ୍ୟ ଅବଗତ ହୋଇପାରିବେ।

ଗ୍ରାହକଙ୍କ ସମେତ ରେଷ୍ଟୁରାଣ୍ଟ୍‌ ମାଲିକଙ୍କୁ ବେଶ୍‌‌ ସୁହାଇବ ଏହି ବ୍ୟବସ୍ଥା। ପୂର୍ବରୁ ଗୋଟିଏ ମେନ୍ୟୁ କାର୍ଡ (ଡିଜାଇନ, ତିଆରି, ପ୍ରିଣ୍ଟିଂ) ପାଇଁ ପ୍ରାୟ ୫/୬ ଶହ ଟଙ୍କା ବ୍ୟୟ ହେଉଥିଲା। କାଗଜରେ ତିଆରି ହେଉଥିବାରୁ ଏହା ଦୀର୍ଘସ୍ଥାୟୀ ମଧ୍ୟ ନ ଥିଲା। ଏହି କ୍ୟୁଆର୍‌ କୋଡ୍‌ ସ୍କାନିଂ ଷ୍ଟାଣ୍ଡ୍‌ ମାଧ୍ୟମରେ ଏହି ସମସ୍ୟାକୁ ଦୂର କରାଯାଇପାରିବ। ଗୋଟିଏ ମେନ୍ୟୁ କାର୍ଡ ବଦଳରେ କେବଳ ଗୋଟିଏ ଷ୍ଟାଣ୍ଡ୍‌ ରହିବ। ଉକ୍ତ ଷ୍ଟାଣ୍ଡ୍‌ର ମୂଲ୍ୟ ୨ ଶହ ଟଙ୍କା ରହିଛି। ଦୋକାନିମାନଙ୍କର କବେଳ ଆର୍ଥିକ ସଞ୍ଚୟ ହେବନି, ବରଂ ସେମାନେ ସମୟ ଅବଚୟକୁ ମଧ୍ୟ ରୋକିପାରିବେ। ପୂର୍ବରୁ ଚିରାଚରିତ ପ୍ରକ୍ରିୟାରେ ଗ୍ରାହକ ହୋଟେଲକୁ ଗଲାମାତ୍ରେ, ଜଣେ ୱେଟର ଆସି ଅର୍ଡର ନେଇଥାନ୍ତି। ବେଳେବେଳେ ଏହି ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ ଅନ୍ୟ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥାଏ। ଏହାକୁ ମଧ୍ୟ ଦୂର କରାଯାଇପାରିବ। କଣ୍ଟେଣ୍ଟ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌(ସିଏମ୍‌ଏସ୍‌) ଓ ଡ୍ୟାସ୍‌ବୋର୍ଡ ମାଧ୍ୟମରେ ହୋଟେଲ ମାଲିକ ନିଜେ ମେନ୍ୟୁ ବିଷୟରେ ସଫ୍ଟୱେର୍‌ରେ ଅପ୍‌ଡେଟ୍‌ କରିପାରିବେ।

ଗତ ଜୁଲାଇ ମାସରେ ସଫ୍ଟୱେର୍‌ ବିକଶିତ କରିବାରେ ଲାଗିପଡ଼ିଥିଲେ ସୌମ୍ୟ ଓ ବ୍ରିଜେନ୍ଦ୍ର। ପ୍ରାୟ ଦୁଇ ମାସର କସରତ ପରେ, ଅର୍ଥାତ୍‌ ସେପ୍ଟେମ୍ବର ମାସରେ ବଜାର ପ୍ରବେଶ କରିଥିଲା ଏହି ଷ୍ଟାର୍ଟ‌୍ଅପ୍‌। ବର୍ତ୍ତମାନ ସୁଦ୍ଧା ରାଉରକେଲା ପ୍ରାୟ ୧୦ଟି ରେଷ୍ଟୁରାଣ୍ଟ୍‌କୁ ସେବା ଯୋଗାଇଦିଆଯାଇଛି। ଏହାସହ ଆଉ କିଛି ରେଷ୍ଟୁରାଣ୍ଟ୍‌ ସହ ଚୁକ୍ତି ହୋଇସାରିଛି। ହୋଟେଲ ବ୍ୟବସାୟ ସ୍ବାଭାବିକ୍‌ ହେବାପରେ ସେମାନଙ୍କୁ ସେବା ଯୋଗାଇଦିଆଯିବ। ତେବେ ଏହି ବ୍ୟବସାୟକୁ କେବଳ ରାଉରକେଲାରେ ସୀମିତ ରଖାଯାଇନି; ବରଂ ସମ୍ବଲପୁର, ଭୁବନେଶ୍ବର, କଟକ, ଝାରସୁଗୁଡ଼ାର କେତେକ ହୋଟେଲ/ରେଷ୍ଟୁରାଣ୍ଟ୍‌ରେ ମଧ୍ୟ ଲାଗୁ କରିବାକୁ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ। ଏନେଇ ଷ୍ଟାର୍ଟ‌୍ଅପ୍‌ର ପ୍ରତିଷ୍ଠାତା ସୌମ୍ୟ ରଞ୍ଜନ ଦାସ କହିଛନ୍ତି, ଗ୍ରାହକଙ୍କୁ ସର୍ବାଧିକ ସୁରକ୍ଷା ଦେବାକୁ କ୍ୟୁଆର୍‌ କୋଡ୍‌ ସ୍କାନର୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି। ସଂପ୍ରତି ଅତ୍ୟାଧୁନିକ ଜ୍ଞାନୌଶଳର ବ୍ୟବହାର ଢ଼େର୍‌ ବୃଦ୍ଧି ପାଇଥିବାବେଳେ ହୋଟେଲ/ରେଷ୍ଟୁରାଣ୍ଟ୍‌ ଜଗତ ଏଥିରୁ ବାଦ୍‌ ପଡ଼ିବା ଅନୁଚିତ। ପୂର୍ବରୁ କେବଳ ବଡ଼ ବଡ଼ ନାମକରା ହୋଟେଲ/ରେଷ୍ଟୁରାଣ୍ଟ୍‌ରେ ଏହି ବ୍ୟବସ୍ଥା ଥିଲା। ଅଧିକ ଦର ଯୋଗୁଁ ଛୋଟଛୋଟ ହୋଟେଲ/ରେଷ୍ଟୁରାଣ୍ଟ୍‌ ମାଲିକ ଏହି ସେବାରୁ ବଞ୍ଚିତ ହେଉଥିଲେ। ସ୍ବଳ୍ପ ମୂଲ୍ୟରେ ଏମାନଙ୍କର ସମସ୍ୟା ଦୂର କରିବାକୁ ଏହି ପ୍ରୟାସ କରାଯାଇଛି। ଭବିଷ୍ୟତରେ ସଫ୍ଟୱେର୍‌କୁ ଅଧିକ ବିକଶିତ କରାଯିବ। ଜମାଟୋ, ସ୍ବିଗି ଭଳି ଅନଲାଇନ୍‌ ଡେଲିଭରି ବ୍ୟବସ୍ଥା ବି ଲାଗୁ ହେବ। ଏହାଦ୍ବାରା ଗ୍ରାହକମାନେ ମେନ୍ୟୁ ବିଷୟରେ ଅବଗତ ହେବାସହ ସିଧାସଳଖ ଅର୍ଡର ଦେଇପାରିବେବୋଲି କହିଛନ୍ତି।

ସମ୍ବନ୍ଧିତ ଖବର