ବଡ଼ବିଲ/ବାଂଶପାଳ: କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି କଲେଜ ନିକଟରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଦୁଇଟି ଟ୍ରକ୍ ମଧ୍ୟରେ କାର୍ ଚାପି ହୋଇଯିବାରୁ ୬ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ଭାବେ ନିଶ୍ଚିହ୍ନ କରିଦେଇଛି। ପତ୍ନୀ, ପୁଅ, ଝିଅଜୋଇଁ ଓ ନାତୁଣୀ ସମସ୍ତେ ଆରପାରିକୁ ଚାଲିଯିବା ପରେ ହୀରାଲାଲ ପଲେଇ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଛନ୍ତି। ଅନ୍ୟପକ୍ଷରେ ଆଜି ଶବ ବ୍ୟବଚ୍ଛେଦ ପରେ ଦୁଇଟି ସ୍ଥାନରେ ଜୁଇ ଜଳିଛି। ହୀରାଲାଲଙ୍କ ପତ୍ନୀ ଫୁଲନ୍ତି, ଝିଅ ଲୁସି ଓ ପ୍ରମୋଦଙ୍କ ବାଂଶପାଳ ବ୍ଲକ୍ ତରମାକାନ୍ତରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସେହିପରି ବଡ଼ଝିଅ ସନ୍ଧ୍ୟାରାଣୀ, ଜୋଇଁ ସଞ୍ଜୟ ନାତୁଣୀ ପିହୁଙ୍କ ଅନ୍ତିମ ସଂସ୍କାର କାରୋନଦୀ କୂଳରେ କରାଯାଇଛି। ଏହି ଦୁଃଖଦ ଘଟଣା ପରେ ତରମାକାନ୍ତ ଓ ବଲାଣି ଥାନା ଅନ୍ତର୍ଗତ ବାଲାଗୋଡ଼ା ଗାଁ ସ୍ତବ୍ଧ ହୋଇଯାଇଛି।
ଏକା ହୋଇଗଲେ ହୀରାଲାଲ
ଦୁଇଟି ସ୍ଥାନରେ ଜଳିଲା ଜୁଇ
ତରମାକାନ୍ତ, ବାଲାଗୁଡ଼ା ସ୍ତବ୍ଧ
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ତରମାକାନ୍ତର ହୀରାଲାଲ ପଲେଇ ବଡ଼ବିଲ ଥାନା ଭଦ୍ରାସାହି ପଞ୍ଚାୟତରେ ଭୁସୁଗାଁରେ ବିବାହ କରିଥିଲେ। ହୀରାଲାଲ ପ୍ରଥମେ କେଏନ୍ ରାମ କମ୍ପାନିରେ ସୁପରଭାଇଜର ଭାବେ ଚାକିରି କରିଥିଲେ। ଅବସର ପରେ ଭଦ୍ରାସାହିଛକରେ ଏକ ତେଜରାତି ଦୋକାନ କରିଥିଲେ। ଶ୍ବଶୁରଘର ଭସୁଗାଁରେ ଗୃହ ନିର୍ମାଣ କରି ୨୫ବର୍ଷରୁ ଅଧିକ ହେବ ପରିବାର ସହ ରହିଆସୁଥିଲେ। ବଡ଼ଝିଅକୁ ସନ୍ଧ୍ୟାରାଣୀ ବଲାଣି ଥାନା ଅନ୍ତର୍ଗତ ବାଲାଗୁଡା ଗ୍ରାମର ସଞ୍ଜୟ ମହାକୁଡ଼ଙ୍କୁ ବିବାହ କରିଥିଲେ। ହୀରାଲାଲଙ୍କ ପୁଅ ପ୍ରମୋଦ ବାପାଙ୍କୁ ବ୍ୟବସାୟରେ ସହଯୋଗ କରୁଥିଲେ। ସାନଝିଅ ଲୁସି ଭଦ୍ରାସାହି ଅଞ୍ଚଳର ଏକ ଘରୋଇ ସଂସ୍ଥାରେ ଚାକିରି କରିଥିଲେ। ପଡ଼ୋଶୀଙ୍କ କହିବା ହେଲା, କିଛିଦିନ ତଳେ ହୀରାଲାଲଙ୍କ ପରିବାରରେ ଅଶାନ୍ତି ଦେଖା ଦେଇଥିଲା।
ହୀରାଲାଲ ରାଗରେ ଭୁସୁଗାଁ ଛାଡ଼ି ତରମାକାନ୍ତ ଚାଲି ଯାଇଥିଲେ। ଗତକାଲି ସନ୍ଧ୍ୟାରେ ତରମାକାନ୍ତ ଗ୍ରାମରେ ଏକ ଭୋଜି ଥିଲା। ଭୋଜି ଖାଇବା ସହ ହୀରାଲାଲଙ୍କୁ ବୁଝାଇ ଘରକୁ ଫେରାଇ ଆଣିବା ପାଇଁ ପତ୍ନୀ, ପୁଅ, ଦୁଇଝିଅ, ଜୋଇଁ ଓ ନାତୁଣୀ ଏକ କାର୍ରେ ତରମାକାନ୍ତ ଯାଉଥିଲେ। ପ୍ରମୋଦ କାର୍ ଚଳାଉଥିଲେ। ରିମୁଳି କଲେଜଛକ ନିକଟରେ କାର୍ଟି ଏକ ଟ୍ରକ୍କୁ ଓଭରଟେକ କରିଥିଲା। ସାମ୍ନାରେ ଯାଉଥିବା ଏକ ଟ୍ରକ୍ ହଠାତ୍ ବ୍ରେକ୍ ମାରିବାରୁ କାର୍ଟି ଭାରସାମ୍ୟ ହରାଇ ଟ୍ରକ୍ ପଛରେ ଧକ୍କା ହୋଇଥିଲା। ପଛରେ ଆସୁଥିବା ଟ୍ରକ୍ଟି କାର୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ଦୁଇ ଟ୍ରକ୍ ମଝିରେ କାର୍ଟି ଚାପି ହୋଇ ରହିଯିବା ସହ ସମସ୍ତଙ୍କ ମୃତ୍ୟୁ ଘଟିଥିଲା। ଗତକାଲି ପୁଲିସ ଓ ଅଗ୍ନିଶମ ବାହିନୀ ମୃତଦେହ ଗୁଡ଼ିକୁ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନା ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/sfhshhsfhf.jpg)