କଟକ :  ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲରେ ଥିବା ସିଗ୍ନାଲ ବିଭାଗର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ ଜେଲ୍‌ରେ ଗତରାତିରେ ମାତ୍ର ଦୁଇଟି ପାଉଁରୁଟି ଖାଇବାକୁ ଦିଆଯାଇଥିଲା। ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଗୁରୁବାର ଦିନ ଦାଖଲ ହୋଇଥିବା ତାଙ୍କର ଖାଦ୍ୟ ଓ ଉପଯୁକ୍ତ ଚିକିତ୍ସା ସମ୍ପର୍କିତ ଆବେଦନରୁ ଏହା ଜଣାପଡ଼ିଛି।

Advertisment

ଆବେଦନରେ ଉଲ୍ଲେଖ କରାଯାଇଛି ଯେ ବୁଧବାର ରାତିରେ ଶ୍ରୀମିଶ୍ରଙ୍କୁ ମାତ୍ର ଦୁଇଟି ପାଉଁରୁଟି ଖାଇବାକୁ ଦିଆଯାଇଥିଲା। ଫଳରେ ଦୀର୍ଘଦିନ ହେବ ମଧୁମେହରେ ପୀଡ଼ିତ ଥିବା ଶ୍ରୀ ମିଶ୍ର ଇନସୁଲିନ୍ ନେଇ ପାରି ନଥିଲେ। ପୁଲିସ ଅଧିକାରୀ ଭାବେ ଦାୟିତ୍ବ ସଂପାଦନ ବେଳେ ଶହ ଶହ ଅପରାଧୀଙ୍କୁ ଗିରଫ ଓ ଜେଲ୍‌ ପଠାଇବା ଘଟଣାରେ ସେ ସଂପୃକ୍ତ ଥିଲେ। ଆଜି ସେହି ଚୌଦ୍ବାର ଜେଲ୍‌ରେ ତାଙ୍କୁ ରଖାଯାଇଛି।  ଗତ ୧୪ବର୍ଷ ଧରି ସେ ମଧୁମେହ‌ ରୋଗରେ ପୀଡ଼ିତ ଥିବା ବେଳେ ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଇନସୁଲିନ୍ ନେଉଛନ୍ତି। ଗତ ଦେଢବର୍ଷ ହେବ ଅବଷ୍ଟ୍ରକଟିଭ୍ ସ୍ଲିପ୍‌ ଆପେନିଆ ରୋଗରେ ସେ ପୀଡ଼ିତ ଅଛନ୍ତି। ଏଭଳି ରୋଗ ପାଇଁ ସି-ପ୍ୟାକ୍‌ ମେସିନ୍‌ ପାଖରେ ରଖି ନିୟମିତ ଶୋଇବାକୁ ହୋଇଥାଏ। ଏପରି ଚିକିତ୍ସାରେ ସେ ନିୟମିତ ରହି ଆସୁଥିବାବେଳେ ଗିରଫ ପରେ ଏହି ସବୁଧା ତାଙ୍କୁ ମିଳୁନାହିଁ।  ବୁଧବାର ଜେଲ କର୍ତ୍ତୃପକ୍ଷ ଏହି ଚିକିତ୍ସା ପାଇଁ ଅନୁମତି ଦେଇ ନଥିଲେ। ଏଭଳି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଅଦାଲତରେ ଦାଖଲ ଆବେଦନରେ ପ୍ରାର୍ଥନା କରାଯାଇଛି।

ଏଥି ସହିତ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଦୀର୍ଘବର୍ଷ ହେବ ଖାଦ୍ୟ ଗ୍ରହଣ କରୁଛନ୍ତି। ସ୍ବାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ତାଙ୍କ ପାଇଁ ଘର ତିଆରି ଖାଦ୍ୟ ବ୍ୟବସ୍ଥା କରିବାକୁ ଅନୁମତି ଦିଆଯାଉ ବୋଲି ଶ୍ରୀ ମିଶ୍ରଙ୍କ ତରଫରୁ ଦର୍ଶାଯାଇଛି। ଶ୍ରୀ ମିଶ୍ରଙ୍କ ଆବେଦନର ଶୁକ୍ରବାର ଦିନ ଅଦାଲତରେ ଶୁଣାଣି ହେବ ବୋଲି ଜଣାପଡ଼ିଛି। ଶ୍ରୀ ମିଶ୍ରଙ୍କ ତରଫରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।

ଅନ୍ୟପକ୍ଷରେ,  ଶ୍ରୀ ମିଶ୍ରଙ୍କ ପତ୍ନୀ ଦୀପ୍ତିମୟୀ ମିଶ୍ର ଓରଫ ଚୌଧୁରୀ ଆଗୁଆ ଜାମିନ ଲୋଡ଼ି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କଟକ ଭିଜିଲାନ୍ସ ଥାନା ମାମଲା (ନଂ-୧୩/୨୦୨୨)ରେ ଆଗୁଆ ଜାମିନ ପାଇଁ ଶ୍ରୀମତୀ ମିଶ୍ର ହାଇକୋର୍ଟରେ ଆବେଦନ କରିଛନ୍ତି। ତାଙ୍କ ବିରୋଧରେ ରହିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ଓ ଅମୂଳକ ବୋଲି ଦର୍ଶାଇ ସେ ଆଗୁଆ ଜାମିନ ପ୍ରଦାନ ପାଇଁ ନିବେଦନ କରିଛନ୍ତି। ଶ୍ରୀମତୀ ମିଶ୍ରଙ୍କ ତରଫରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅତିରିକ୍ତ ଏସ୍‌.ପି ଶ୍ରୀ ମିଶ୍ରଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ପତ୍ନୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି।