ରିଂ ରୋଡ୍‌ ହେବ ତ? ୭ବର୍ଷ ପରେ ଗୋଟିଏ ଟିପି ସ୍କିମ୍‌ରେ ପଟ୍ଟା ମିଳିଲା

୪୫ଟି ଟିପି ସ୍କିମ୍‌ ହେଲେ ରିଂ ରୋଡ୍‌ ପାଇଁ ଜମି ମିଳିବ, ଖର୍ଚ୍ଚ ହେବ ୧୨୦୦ କୋଟି ଟଙ୍କା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦେଖାଯାଉଥିବା ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଯାତାୟାତକୁ ସହଜ କରିବା ପାଇଁ ବିଡିଏ ପକ୍ଷରୁ ରାଜଧାନୀକୁ ବଳୟ କରି ଯୋଜନା ହୋଇଛି ରିଂ ରୋଡ୍‌। କଟକ ସହର ଯେପରି ରିଂ ରୋଡ୍‌ ଭିତରେ ଅଛି ସେହିପରି ରିଂ ରୋଡ୍‌ ଭୁବନେଶ୍ୱର ପାଇଁ ନିର୍ମାଣ ହେବ। ପ୍ରାୟ ୬ବର୍ଷ ତଳୁ ଏହି ଯୋଜନା ହେଲାଣି। କିନ୍ତୁ ଏହି ୬୪.୯୦ କି.ମି.ର ରିଂ ରୋଡ୍‌ କେବେ ବାସ୍ତବ ରୂପ ନେବ କାହାକୁ ଜଣାନାହିଁ। ଏହି ରିଂ ରୋଡ୍‌ ପାଇଁ ଏବେ ଜମି ଅଧିଗ୍ରହଣ ଏବଂ ଅର୍ଥ ବାଧକ ସାଜିଛି। ବିଡିଏ କର୍ତ୍ତୃପକ୍ଷ ଜମି ଅଧିଗ୍ରହଣ ଶେଷ କଲେ ପ୍ରାୟ ୧୨୦୦ କୋଟି ଟଙ୍କା ବ୍ୟୟରେ ରିଂ ରୋଡ୍‌ ନିର୍ମାଣ ହେବ। ହେଲେ ଏହି ଜମିଅଧିଗ୍ରହଣ ଏବେ ଟିପି ସ୍କିମ୍‌ କାର୍ଯ୍ୟକାରିତା ଉପରେ ନିର୍ଭର କରୁଛି। ଗୋଟିଏ ଟିପି ସ୍କିମ୍‌କୁ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାରଙ୍କୁ ୭ବର୍ଷ ଲାଗିଯାଇଥିବା ବେଳେ ୪୫ଟି ଟିପି ସ୍କିମ୍‌ କଲେ ହିଁ ରିଂ ରୋଡ୍‌ ନିର୍ମାଣ ହୋଇପାରିବ। ପ୍ରଶ୍ନ ଉଠୁଛି, ଏହି ରିଂ ରୋଡ୍‌ ହେବ ନା ଯୋଜନାରେ ଅଟକିଯିବ?

ଏନେଇ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି, ଟିପି ସ୍କିମ୍‌-୧ରେ ଏବେ ପଟ୍ଟା ଦିଆଗଲା। ବହୁ ଦିନରୁ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ଟିପି ସ୍କିମ୍‌ କାର୍ଯ୍ୟକାରିତାରେ ଯେଉଁ ସବୁ ସମସ୍ୟା ଥିଲା ତା’ର ସମାଧାନ ହୋଇଛି। ତେଣୁ ଏବେ ବାକି ଟିପି ସ୍କିମ୍‌କୁ କାର୍ଯ୍ୟକାରୀ କରିବାରେ କିଛି ସମସ୍ୟା ନାହିଁ। ଏହି ଟିପି ସ୍କିମ୍‌ ଦ୍ବାରା ଲୋକ କିପରି ଉପକୃତ ହେବେ ଜାଣି ପାରିଲେଣି। ଆସନ୍ତା ୨ବର୍ଷ ମଧ୍ୟରେ ସବୁ ଟିପି ସ୍କିମ୍ କାର୍ଯ୍ୟକାରୀ କରିବୁ। ୫ବର୍ଷ ଭିତରେ ରିଂ ରୋଡ୍‌ ନିର୍ମାଣ କାମ ଶେଷ ହେବ ବୋଲି ଆଶା କରୁଛୁ।

୭୬୦ ଏକରରୁ ୫୦ ଏକର ଅଧିଗ୍ରହଣ ହୋଇଛି

ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରସ୍ତାବିତ ରିଂ ରୋଡ୍‌ ପାଇଁ ଘରୋଇ ଜମି ଅଧିଗ୍ରହଣ ମୁଖ୍ୟ ସମସ୍ୟା। ୬୫ କିମିର ରିଂ ରୋଡ୍‌ ପାଇଁ ମୋଟ୍‌ ୭୬୦ଏକର ଜମି ଅଧିଗ୍ରହଣ ହେବାକୁ ଥିବାବେଳେ ଏଥିରୁ ୬୯୦ଏକର ଘରୋଇ ଜମି। ଏଥିପାଇଁ ୬୭ଟି ମୌଜାର ପ୍ରାୟ ୫୦ହଜାର ଲୋକଙ୍କ ଜମି ଅଧିଗ୍ରହଣ ହେବାକୁ ଥିବାରୁ ତରବରିଆ ଭାବେ କିଛି ନିଷ୍ପତ୍ତି ନିଆଯାଉନି। ଏହି ଘରୋଇ ଜମି ଅଧିଗ୍ରହଣ ପାଇଁ ବିଡିଏ ପକ୍ଷରୁ ଦୁଇ ବର୍ଷ ତଳେ ବିଜ୍ଞପ୍ତି ଜାରି ହୋଇଥିଲା। ଯେଉଁ ଲୋକମାନେ ଜମି ଦେବେ ସେମାନଙ୍କୁ କ୍ଷତିପୂରଣ ବାବଦକୁ ଅର୍ଥ ନଦେଇ ଟିଡିଆର୍‌ ସାର୍ଟିଫିକେଟ ଦିଆଯିବ। ଅର୍ଥାତ୍‌ ଟ୍ରାନ୍ସଫରେବଲ୍‌ ଡେଭଲପମେଣ୍ଟ ରାଇଟ୍‌ ସାର୍ଟିଫିକେଟ। ଏଫ୍‌ଏଆର୍‌ ୨.୧ରୁ ଅଧିକ ଯେଉଁମାନେ ଘର କରିବେ ସେମାନଙ୍କୁ ଟିଡିଆର୍‌ କିଣିବାକୁ ପଡ଼ିବ। ଯାହା ଏହି ଲୋକମାନଙ୍କଠାରୁ କିଣିବେ। ବିଭିନ୍ନ ମୌଜା ଅନୁଯାୟୀ ଟିଡିଆର୍‌ ମୂଲ୍ୟ ବଦଳିବ। ଏହି ଟିଡିଆର୍‌ ସାର୍ଟିଫିକେଟରେ ଯେତିକି ଜମି ଅଧିଗ୍ରହଣ କରାଯାଇଥିବ ତା’ର ଦୁଇଗୁଣା ବିଲ୍ଟ ଅପ୍‌ ଏରିଆ ପାଇଁ ଉକ୍ତ ଲୋକଙ୍କୁ ଅନୁମତି ଦିଆଯିବ। ହେଲେ ଏହା ଉକ୍ତ ମୌଜା ପାଇଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ଜମିର ବେଞ୍ଚ ମାର୍କ ମୂଲ୍ୟ ଅନୁଯାୟୀ ହେବ। ଯେଉଁମାନେ ଟିଡିଆର୍‌ ନ ନେବେ ସେମାନଙ୍କୁ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଦିଆଯିବ କି ନାହିଁ ତାହା ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇପାରିନି। ଯଦି ଜମି ଅଧିଗ୍ରହଣ ବାବଦକୁ କ୍ଷତିପୂରଣ ଅର୍ଥ ଦିଆଯିବ ତେବେ ଅଧିଗ୍ରହଣ ନେଇ ଯେବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ସେହି ତାରିଖ ଅନୁଯାୟୀ ଦିଆଯିବ।

ବିଡିଏର ମାଷ୍ଟର ପ୍ଲାନ୍‌ ଅନୁଯାୟୀ ଏହି ରିଂ ରୋଡ୍‌ ୬୦ମିଟର ଓସାରରେ ପ୍ରାୟ ୬୫ କିମିର ହେବ। ଏହା ଉତ୍ତରରେ ନନ୍ଦନକାନନ ନିକଟବର୍ତ୍ତୀ ଦାରୁଠେଙ୍ଗ, ରଘୁନାଥପୁର, ଶ୍ୟାମପୁରକୁ ଛୁଉଁଥିବାବେଳେ ପୂର୍ବରେ ହଂସପାଳ, ରୁଦ୍ରପୁର, ପାଣ୍ଡରା, କୋରଡ଼କଣ୍ଟାକୁ ଛୁଇଁବ। ଦକ୍ଷିଣରେ ଲିଙ୍ଗିପୁର, ଗୋପିନାଥପୁରକୁ ଛୁଇଁବ। ପଶ୍ଚିମରେ ତମାଣ୍ଡୋ, ପାଇକରାପୁର, ନରଗଦା, ସିଜିପୁଟ, ସହଜପୁର ଅଞ୍ଚଳ ଦେଇ ଯିବ। ଏହି ପ୍ରକଳ୍ପ ପାଇଁ ୧୨୦୦ କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ଏଥିପାଇଁ ୭୬୦ଏକର ଜମି ଅଧିଗ୍ରହଣ ହେବ। ବିଡିଏ ରିଂ ରୋଡ୍‌ ପାଇଁ ଯୋଜନା କରିଥିଲେ ହେଁ ଏଥିରେ ଏତେ ଜମି ଅଧିଗ୍ରହଣ କରିବା ବାଧକ ସାଜିପାରେ। ଏହାକୁ ନଜରରେ ରଖି ଯେଉଁ ଅଞ୍ଚଳରେ ଜମି ଅଧିଗ୍ରହଣ ବାଧକ ସାଜିବ ସେଠାରେ ବିଡିଏ ପକ୍ଷରୁ ଟାଉନ୍‌ ପ୍ଲାନିଂ ସ୍କିମ୍‌ ପ୍ରସ୍ତୁତ ହୋଇଛି। ତେଣୁ ଟିପି ସ୍କିମ୍‌ର ସଫଳତା ଉପରେ ଏହି ରିଂ ରୋଡ୍‌ର ଭାଗ୍ୟ ନିର୍ଭର କରୁଛି।

ଏହି ରିଂ ରୋଡ୍‌ ସହର ଏବଂ ଏହା ଉପକଣ୍ଠରେ ନିର୍ମାଣ ହେବ। ଏଥିପାଇଁ ସମସ୍ତ ଜମି ଓ ଅର୍ଥ ରାଜ୍ୟ ସରକାର ବହନ କରିବେ। ତେଣୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ଅନୁମତି ଦରକାର ନାହିଁ। କେବଳ କେଉଁଠି ରିଂ ରୋଡ୍‌ ଜାତୀୟ ରାଜପଥକୁ ସଂଯୋଗ କରିବ ସେନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯିବ। ବିଡିଏର ଯୋଜନା ଅନୁଯାୟୀ, ଏହି ରିଂ ରୋଡ୍‌କୁ ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥରେ ସଂଯୋଗ କରାଯିବ। ରିଂ ରୋଡ୍‌ ବିଜିପୁର ନିକଟରେ ଜାତୀୟ ରାଜପଥ ୧୬କୁ ଛୁଇଁବ, ଲିଙ୍ଗିପୁର ପାଖରେ ଜାତୀୟ ରାଜପଥ ୩୧୬ (ପୁରୀ ବାଇପାସ୍‌) ଏବଂ ହାଇଟେକ୍‌ ଛକ ନିକଟରେ ପୁଣି ଜାତୀୟ ରାଜପଥ ୧୬କୁ ଛୁଇଁବ। ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରିଂ ରୋଡ୍‌ର ପ୍ରାରମ୍ଭିକ କାର୍ଯ୍ୟ ପଳାସୁଣି-ଦାଢା ରାସ୍ତା (ଦୟା ୱେଷ୍ଟ କେନାଲର ଦକ୍ଷିଣ ପାର୍ଶ୍ୱ ରାସ୍ତା)ରୁ ଆରମ୍ଭ ହେବ। ଏହି ରାସ୍ତାକୁ ୩୦ଫୁଟ (୧୦୦ମିଟର) କରାଯିବ। ୧୩.୩୬କିମି ବିଶିଷ୍ଟ ଏହି ରାସ୍ତାରେ ଯେଉଁ ଆବାସିକ ଜମି ପଡ଼ିବ ତାହାକୁ ଅଧିଗ୍ରହଣ କରାଯିବ। ବଡ଼ ରଘୁନାଥପୁରରୁ ରିଂ ରୋଡ୍‌ ଭାୟା ଜାଗସରା ୨୦୦ଫୁଟ ରାସ୍ତା ହେବାକୁ ଥିବାବେଳେ ଏଥିରେ ୪.୯୨କିମି ରାସ୍ତା ପାଇଁ ଜମି ଅଧିଗ୍ରହଣ ହେବ। ଏହାପରେ ଅନ୍ୟାନ୍ୟ ଅଞ୍ଚଳ ପାଇଁ ଜମି ଅଧିଗ୍ରହଣ ହେବ। ବର୍ତ୍ତମାନ ସୁଦ୍ଧା ୧୩ଟି ରାଜସ୍ୱ ଗ୍ରାମରେ ଥିବା ୫୦.୪୧୬ଏକର ଜମି ଅଧିଗ୍ରହଣ ହୋଇଛି। ଏଥିରେ ପାହାଳରେ ୬.୩୦୪ଏକର ଜମି, ଦାଢାରେ ୫.୫୪୨ଏକର ଜମି, ହରିଦାସପୁରରେ ୧୧.୬୬୫ଏକର, ବାଙ୍ଗୁଆରିରେ ୦.୦୪୬ଏକର, ମଞ୍ଚେଶ୍ୱରରେ ୦.୯୩୦ଏକର, ସରଦେଇପୁରରେ ୨.୩୦୨ଏକର, ଗେଲାପୁରରେ ୫.୫୩୦ଏକର, ନଖାଉରପାଟଣାରେ ୦.୦୫୪ଏକର, ବିଜିପୁରରେ ୨.୯୯୯ଏକର, ଗୋବର୍ଦ୍ଧନପୁରରେ ୨.୩୫୧ଏକର, ଗୋପିନାଥପୁରରେ ୪.୧୮୯ଏକର, ଧଉଳିରେ ୨.୮୨୭ଏକର, ଉତ୍ତରାଶାସନରେ ୫.୬୭୭ ଏକର ଜମି ଅଧିଗ୍ରହଣ ହୋଇଛି। ଏହି ସବୁ ଅଞ୍ଚଳରେ ଟାଉନପ୍ଲାନିଂ ସ୍କିମ୍‌କୁ ମଧ୍ୟ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଜମି ଅଧିଗ୍ରହଣ ପ୍ରକ୍ରିୟା ଅଧାଅଧି ହେଲେ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ହେବ। କାର୍ଯ୍ୟାଦେଶ ଦେବାର ଦୁଇ ବର୍ଷରେ ରାସ୍ତା ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର