ସ୍ୱପ୍ନରେ ବ୍ରହ୍ମପୁର ରିଙ୍ଗ ରୋଡ଼୍, ଜମି ପାଇଁ ଅଟକିଛି

ଖୁବଶୀଘ୍ର ଆରମ୍ଭ ହେବ ଜମି ଅଧିଗ୍ରହଣ ପ୍ରକ୍ରିୟା

ବ୍ରହ୍ମପୁର : ସହରର ଯାନବାହନ ଭିଡକୁ କମାଇବା ସହ ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ଲାଗି ବ୍ରହ୍ମପୁର ସହରରେ ରିଙ୍ଗରୋଡ ପରିକଳ୍ପନା କରାଯାଇଛି। ତେବେ ଏହି ପରିକଳ୍ପନା କେବେ ବାସ୍ତବ ରୂପ ନେବ ତାହା ସମସ୍ତେ ସନ୍ଦିହାନ। ତେବେ ଏହି ରିଙ୍ଗରୋଡ଼୍ ନିର୍ମାଣରେ ଜମି ସାଜିଛି ପ୍ରତିବନ୍ଧକ। ଅଧିକା˚ଶ ଜମି ମାଲିକ ସରକାରଙ୍କୁ ସିଧାସଳଖ ଜମି ବିକ୍ରି କରିବାକୁ ରାଜି ନ ହେବାରୁ ଜମି ଅଧିଗ୍ରହଣ ଲାଗି ଗତମାସରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଜମି ମାଲିକ ଠାରୁ ସିଧା ସଳଖ କ୍ରୟ ଏବ˚ ଜମି ଅଧିଗ୍ରହଣ ଦୁଇଟି ଉପାୟ ରିଙ୍ଗରୋଡ଼୍ ଲାଗି ଜମି ପ୍ରସ୍ତୁତ କରିବା ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।

ବ୍ରହ୍ମପୁର ସହର ଉପକଣ୍ଠ ଜଗନ୍ନାଥପୁର ନିକଟସ୍ଥ ରଘୁନାଥପୁର ଠାରୁ ରିଙ୍ଗରୋଡ୍‌ ଆରମ୍ଭ ହୋଇ ଆଙ୍କୁଶପୁର ନିକଟ ରତନପୁର-ହଳଦିଆ ଦେଇ ପୁଣି ରଘୁନାଥପୁରକୁ ଛୁଇଁବ। ଏହି ରିଙ୍ଗ ରୋଡ ୪ ଲେନ୍‌ ବିଶିଷ୍ଟ ହେବ। ଏହାର ଦୈର୍ଘ୍ୟ ପ୍ରାୟ ୩୦କିମି ରହିଛି। ଏହି ରିଙ୍ଗରୋଡ ପ୍ରକଳ୍ପରେ ପ୍ରାୟ ୪ଶହ କୋଟି ବ୍ୟୟ ହେବ ବୋଲି ଜଣାପଡ଼ିଛି।

constructionweekonline.in

ରାସ୍ତା ଓ କୋଠାବାଡି ବିଭାଗ-୧ ଏବ˚ ଜାତୀୟ ରାଜପଥ ବିଭାଗ ଜରିଆରେ ଏହି ରିଙ୍ଗ ରୋଡ୍‌ ନିର୍ମାଣ ଲାଗି ଯୋଜନା ରହିଛି। ରିଙ୍ଗରୋଡ୍‌ର ରଘୁନାଥପୁର ଠାରୁ ରତନପୁର ପର୍ଯ୍ୟନ୍ତ ୧୩ . ୬୮୦ କିମି ରାସ୍ତା ଜାତୀୟ ରାଜପଥ ବିଭାଗ କରିବ। ଏରିଙ୍ଗରୋଡ୍‌ର ରତନପୁର ଠାରୁ ଦକ୍ଷିଣପୁର-ମହୁଡା-ହଳଦିଆପଦର ୧୫.୩୫୩ କିମି ରାସ୍ତାକୁ ରାସ୍ତା ଓ କୋଠାବାଡି ବିଭାଗ ଗଞ୍ଜାମ-୧ ନିର୍ମାଣ କରିବ। ଏହି ରାସ୍ତା ଲାଗି ପ୍ରାୟ ୧୯୮.୩୩୦ ଏକର ଜମି ଅଧିଗ୍ରହଣ କରାଯିବ। ଏଥିରେ ସରକାରୀ ଜମି ୨୬.୧୯୨ଏକର ରହିଥିବା ବେଳେ ଘରୋଇ ଜମି ୧୬୯.୧୯୩ ଏକର ରହିଛି। ଏହି ସବୁ ଜମି କୁକଡାଖଣ୍ତି ଓ କନିଷି ତହସିଲ ଇଲାକାରେ ରହିଛି।

କୁକୁଡାଖଣ୍ତି ତହସିଲର ରତନପୁର, ଅଙ୍କୁଶପୁର, ଦକ୍ଷୀଣପୁର, ଗୋଠବନ୍ଧ, ଚାନ୍ଦିନୀପାହାଡ, ଲଙ୍ଗଳଦେଇ, ମାଟିଆପଲ୍ଲୀ, ମହୁଡା, କୁମାରପୁର, ମଣହାର ଗ୍ରାମର ଘରୋଇ ଜମି ୧୪୫. ୫୭୮ଏକର ଅଧିଗ୍ରହଣ କରାଯିବ। ସେହିପରି କନିଷି ତହସିଲର ଗୋବିନ୍ଦପୁର ଏବ˚ ମଦମୋହନ ପୁର ଗ୍ରାମର ଘରୋଇ ଜମି ୨୩.୬୧୫ ଏକର ଅଧିଗ୍ରହଣ ହେବାକୁ ରହିଛି। ଗତ ସେପ୍ଟେମ୍ବର ୨୯ତାରିଖରେ ରାସ୍ତା ଓ କୋଠାବାଡ଼ି ବିଭାଗରର ପ୍ରମୁଖ ଶାସନ ସଚିବ ଭିଡ଼ିଓ କନଫରେନ୍ସି ଜରିଆରେ ବ୍ରହ୍ମପୁର ରିଙ୍ଗରୋଡ଼ ଜମି ଅଧିଗ୍ରହଣ ସ୍ଥିତିର ସମୀକ୍ଷା କରିଥିଲେ। ଗତ ସେପ୍ଟମ୍ବର ୧୯ତାରିଖରେ ରାସ୍ତା ଓ କୋଠାବାଡ଼ି-୧ ପକ୍ଷରୁ ଜମି ଅଧିଗ୍ରହଣ ନିମନ୍ତେ ଗଞ୍ଜାମ ଜିଳ୍ଲା ଭୂ ଅଧିଗ୍ରହଣ ଅଧିକାରୀଙ୍କ ନିକଟରେ ଆବେଦନ ହୋଇଥିଲା। କିନ୍ତୁ ଆବେଦନର କିଛି ଅସଙ୍ଗତି ରହିଥିବାରୁ ଗତ ସେପ୍ଟମ୍ବର ୨୪ରେ ଜମି ଅଧିଗ୍ରହଣ ଲାଗି ଆବେଦନ ହୋଇଛି। ଖୁବଶୀଘ୍ର ଜିଲ୍ଲା ଭୁ-ଅଧିଗ୍ରହଣ ବିଭାଗ ପକ୍ଷରୁ ଜମି ଅଧିଗ୍ରହଣ ନିମନ୍ତେ ନୋଟିସ ଜାରି ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର