ଶିକୁଳିରେ ବନ୍ଧା ହୋଇ ବିତୁଛି ରିଣ୍ଟୁର ଜୀବନ

ଥୁଆପାଲି: ଭେଡ଼େନ ବ୍ଲକ୍‌ ଅନ୍ତର୍ଗତ ତାଳମେଣ୍ଡା ପଂଚାୟତ ସହରାଟିକିରା ଗ୍ରାମର ବିଧବା ହାରା ମୁଦୁଲିଙ୍କ ପୁଅ ରିଣ୍ଟୁ ମୁଦୁଲି(୨୬) ମାନସିକ ଭାରସାମ୍ୟ ହରାଇ ଏବେ ଶିକୁଳିରେ ବନ୍ଧା ହୋଇ ଘରେ ପଡ଼ିରହିଛନ୍ତି। ମା’ ବାପା ମିଶି ରିଣ୍ଟୁର ସେବା କରୁଥିଲେ। କିନ୍ତୁ ତିନି ବର୍ଷ ତଳେ ହାରା ମୁଦୁଲିଙ୍କ ସ୍ୱାମୀ ତାଙ୍କୁ ଏକା ଛାଡି ଚାଲିଗଲେ। ପୁଅର ସମସ୍ତ ଦାୟିତ୍ୱ ଏବେ ମା’ ହାରା ମୁଦୁଲିଙ୍କ କାନ୍ଧରେ। ମାନସିକ ରୋଗଗ୍ରସ୍ତ ପୁଅକୁ ଘରେ ଏକା ଛାଡି ସେ କୌଣସି କାମ କରିବାକୁ ଯାଇପାରୁ ନାହାନ୍ତି। ଅର୍ଥ ଅଭାବରୁ ମଧ୍ୟ ରିଣ୍ଟୁର ଚିକିତ୍ସା କରାଇ ପାରୁନାହାନ୍ତି। ନା ଅଛି ତାଙ୍କର ଘର, ନା ଜମିବାଡ଼ି ଯାହାକୁ ସେ ବିକ୍ରି କରି ପୁଅର ଚିକିତ୍ସା କରିବେ। ନିଜର ବୋଲି ଘରେ ଖଣ୍ଡେ ନାହିଁ।

ତାଙ୍କର ଜଣେ ସହୃଦୟ ବ୍ୟକ୍ତି ଜାଗା ଦେଇଥିବାରୁ ସେଠାରେ କୁଡ଼ିଆ ତିଆରି କରି ମା’ପୁଅ ରହୁଛନ୍ତି। ସରକାର ଯୋଜନାରେ କେବଳ ସେ ପାଉଛନ୍ତି ବିଧବା ଭତ୍ତା, ପୁଅକୁ ମିଳୁଛି ବିକଳାଙ୍ଗ ଭତ୍ତା। ତା ସହିତ ତାଙ୍କୁ ମିଳୁଛି ସରକାରଙ୍କ ତରଫରୁ ୧୦କେଜି ଚାଉଳ। ଯାହାକି ସମୁଦ୍ରକୁ ଶଙ୍ଖେ ପରି। କାରଣ ପୁଅର ଚିକିତ୍ସା ପାଇଁ ମାସକୁ ଔଷଧ ଖର୍ଚ୍ଚ ୩୦୦୦ ଟଙ୍କାରୁ ଅଧିକ ପଡ଼ୁଛି। ଯାହାକୁ ଯୋଗାଡ଼ କରିବାକୁ ବୃଦ୍ଧା ହାରାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ୁଛି। ଆର୍ଥିକ ଅନାଟନରେ ତାଙ୍କର ଜୀବନ ବିତୁଛି। ପୁଅ ରିଣ୍ଟୁ ଅବସ୍ଥା ଦେଖି ମା’ ଆଖିରୁ ସବୁବେଳେ ଲୁହ ବାହାରୁଛି।

ସରକାର ଅସହାୟ ଲୋକଙ୍କ ପାଇଁ ବିଭିନ୍ନ ଯୋଜନାମାନ କରିଛନ୍ତି। ହେଲେ  ତାଙ୍କ ଭାଗ୍ୟରେ ଆବାସ ଘରଟିଏ ମିଳୁନାହିଁ। ତେଣୁ ସରକାରୀ ଯୋଜନାରୁ ଘରଟିଏ, ତିଆରି ପାଇଁ ଜାଗା ପ୍ରଦାନ କରିବା ସହ ଖାଇବା ପାଇଁ ମାସକୁ ୩୫ କେଜି ଚାଉଳ ଓ ସରକାରୀ ସହାୟତାରେ ମାନସିକ ରୋଗଗ୍ରସ୍ତ ପୁଅର ଚିକିତ୍ସା ଲାଗି ସୁବ୍ୟବସ୍ଥା କରିବା ପାଇଁ ସେ ପ୍ରଶାସନଠାରେ ନିବେଦନ କରିଛନ୍ତି।  ଏଭଳି ଏକ ଅସହାୟ ପରିବାର ନିଜ ପଞ୍ଚାୟତରେ ଥିବାରୁ ବିଧାୟିକା ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର