ଦଂଗା ମୁକାବିଲା ପାଇଁ ୨ କୋଟିର ଗାଡ଼ି

କଟକ : ଦଂଗା ଅଥବା ଗଣ୍ଡଗୋଳ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ପୁଲିସ ବିଭାଗ କିଣିଛି ୨ କୋଟି ଟଙ୍କା ବ୍ୟୟରେ ୪ଟି ଓ୍ଵାଟର୍‌ କ୍ୟାନନ୍‌ ଗାଡ଼ି। ଏଥିରେ ଥିବା ଅତ୍ୟାଧୁନିକ ବ୍ୟବସ୍ଥା ଗଣ୍ଡଗୋଳକାରୀଙ୍କୁ ସହଜରରେ ନିୟନ୍ତ୍ରଣ କରିପାରିବ ବୋଲି କୁହାଯାଉଛି। କ୍ୟାନନରୁ ଛଡ଼ା ଯାଉଥିବା ପାଣି ପଡ଼ିଲେ ଦେହ କୁଣ୍ଡାଇ ହେବା ସହିତ ଆଖପାଖରେ ରହିବା ମୁସ୍କିଲ ହୋଇପଡ଼ିବ। ସେହି ପାଣିରେ ଏକ ପ୍ରକାର ରଙ୍ଗ ବ୍ୟବହାର କରାଯିବ । ବିଶୃଙ୍ଖଳାସୃଷ୍ଟିକାରୀଙ୍କ ଦେହରେ ଲାଗିଲେ ତାହା ସହଜରେ ଛାଡ଼ିବ ନାହିଁ। ଫଳରେ ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ସହଜରେ ପୁଲିସ ଚିହ୍ନଟ କରିବ ।

ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଆଧୁନିକୀକରଣ ଯୋଜନାରେ ଚଳିତ ଆର୍ଥକ ବର୍ଷରେ ଏହି ଚାରିଟି ଅତ୍ୟାଧୁନିକ ଓ୍ଵାଟର୍‌ କ୍ୟାନନ୍‌ ଗାଡ଼ି କିଣାଯାଇଛି। ଟେଣ୍ଡର ମାଧ୍ୟମରେ ଜଗତପୁରସ୍ଥିତ ଆନନ୍ଦ ଫେବ୍ରିକେଟର ନାମକ ଘରୋଇ ସଂସ୍ଥା ନିକଟରୁ ପ୍ରାୟ ୨କୋଟି ଟଙ୍କା ବ୍ୟୟରେ ଏହାକୁ କିଣାଯାଇଛି। ଏହି ଓ୍ଵାଟର୍‌ କ୍ୟାନନ୍‌ରେ ମୋଟ ୧୨ ହଜାର ଲିଟର ଜଳ ସଂରକ୍ଷଣ କ୍ଷମତା ରହିଛି। ଏଥିରୁ ବାହାରୁ ଥିବା ପାଣି ୪୫ ମିଟର୍‌ ଦୂରତାକୁ ଯାଇ ପାରିବ। ଦଂଗା ସମୟରେ ଅଗ୍ନିକାଣ୍ଡ ଘଟିଲେ ଦମକଳ ଗାଡ଼ି ପହଞ୍ଚିବା ପୂର୍ବରୁ ହାଇ ସ୍ପିଡ ମୋଡ୍‌ରେ ଏହି ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ । ରଥଯାତ୍ରା ସମୟରେ ଭିଡ଼ରେ ଗରମରୁ ରକ୍ଷା ପାଇଁ ହାଲୁକା ଭାବେ ଦର୍ଶକଙ୍କ ଉପରେ ପାଣି ଛିଞ୍ଚିବାର ମଧ୍ୟ ବ୍ୟବସ୍ଥା ଏଥିରେ ରହିଛି ।

ସମ୍ବନ୍ଧିତ ଖବର