ଭୁବନେଶ୍ବର: ଆଜି ସକାଳୁ ସକାଳୁ ରାଜଧାନୀରେ ଜଣେ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ଅପହରଣ ହୋଇଥିବା ଖବର ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏୟାର୍ଫିଲ୍ଡ ଥାନା ଅନ୍ତର୍ଗତ ପାଞ୍ଚଗାଁର ଅରତରଞ୍ଜନ କାଳିଆଙ୍କ ୭ବର୍ଷ ବୟସର ପୁଅ ପ୍ରତ୍ୟାଂଶୁଙ୍କୁ ଦୁର୍ବୃତ୍ତମାନେ ସ୍କୁଲ୍ରୁ ଘରକୁ ଫେରିବା ବାଟରୁ କାର୍ରେ ଉଠାଇ ନେଇଥିଲେ। ମୁଣ୍ଡଜାମିନ ରଖି ୧୦ ଲକ୍ଷରୁ ଅଧିକ ଟଙ୍କା ଦାବି କରିଥିଲେ। ସୌଭାଗ୍ୟକୁ କମିସନରେଟ୍ ପୁଲିସ ୬ଘଣ୍ଟା ଭିତରେ ପ୍ରତ୍ୟାଂଶୁଙ୍କୁ ସୁରକ୍ଷିତ ଭାବେ ଖୋର୍ଦ୍ଧା ନିରାକାରପୁରରୁ ଉଦ୍ଧାର କରିଛି ଏବଂ ଏହି ମାମଲାରେ ୨ ମହିଳାଙ୍କ ସମେତ ୭ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ନାଟକର ମାଷ୍ଟରମାଇଣ୍ଡ ତଥା ପ୍ରତ୍ୟାଂଶୁର ଟ୍ୟୁସନ୍ ସାର୍ ସେହି ଗାଁର ଶୁଭ୍ରକାନ୍ତ ମହାପାତ୍ର ଓରଫ ବାସୁନି(୨୨), ଜଙ୍କିଆ ଥାନା ନରଣଗଡ଼ର ସାଗର ନାୟକ(୨୧), ଇଚ୍ଛାପୁରର ସନ୍ଦୀପ ରାଉତରାୟ ଓରଫ ରକି(୨୨), ନିରାକାରପୁର ଥାନା କାଶିପୁରର ଚିନ୍ମୟ କୁମାର ନାୟକ ଓରଫ ବିକି(୨୨), ତା’ ପତ୍ନୀ ସୁଜାତା ଜେନା, ନୟାଗଡ଼ ଜିଲ୍ଲା ରଣପୁର ଥାନା ହଂସରାର ସୋମନାଥ ଦାସ(୨୧) ଓ ତା’ ସ୍ତ୍ରୀ ନିବେଦିତା ଦାସ (୨୦)। ଅପହରଣରେ ବ୍ୟବହୃତ ସାଣ୍ଟ୍ରୋ କାର୍, ବାଇକ୍ ଓ ୮ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଆଜି ସନ୍ଧ୍ୟାରେ ପୁଲିସ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଓ ଡିସିପି ଜଗମୋହନ ମୀନା ଏହି ଅପହରଣ ପଛର ଗୁମର ଖୋଲିଛନ୍ତି। ଆରତଙ୍କଠାରୁ ଜମି ବିକିଥିବା ଟଙ୍କା ହାତେଇବା ପାଇଁ ଟ୍ୟୁସନ୍ ସାର୍ ବାସୁନି ଏହି ଅପହରଣ ନାଟକ ରଚନା କରିଥିଲେ ବୋଲି ଜଣାପଡ଼ିଛି।
୬ ଘଣ୍ଟା ପରେ ଉଦ୍ଧାର, ୭ ଗିରଫ, ନାଟକ ରଚିଥିଲେ ଟ୍ୟୁସନ୍ ସାର୍
ସାମ୍ବାଦିକ ସମ୍ମିଳନୀରେ ଉଭୟ ପ୍ରତ୍ୟାଂଶୁ ଓ ତାଙ୍କ ମା’ ଦେଇଥିବା ସୂଚନାନୁସାରେ ମଙ୍ଗଳବାର ସକାଳ ପାଖାପାଖି ସାଢ଼େ ୧୦ଟା ବେଳେ ପ୍ରତ୍ୟାଂଶୁ ଓ ତାଙ୍କ ସାନଭାଇ ଏକାଠି ସ୍କୁଲରୁ ଫେରୁଥିଲେ। ବାଟରେ ଟ୍ୟୁସନ୍ ସାର୍ ବାସୁନି ଏକ ବାହାନା କରି ପ୍ରତ୍ୟାଂଶୁଙ୍କୁ ଅଟକାଇଥିଲେ। ସାନ ଭାଇ ଚାଲିଗଲା ପରେ ଏକ କଳା କାର୍ରୁ ୪ଜଣ ବାହାରି ତାଙ୍କୁ କାର୍ ଭିତରକୁ ଟେକି ନେଇଥିଲେ। କିଛି ସମୟ ପରେ ଆରତଙ୍କ ସ୍ତ୍ରୀଙ୍କୁ ଏକ ଫୋନ୍ ଆସିଥିଲା। ପ୍ରତ୍ୟାଂଶୁକୁ ଫେରିପାଇବାକୁ ହେଲେ ତୁରନ୍ତ ଟଙ୍କା ଯୋଗାଡ଼ କର, ନହେଲେ ପୁଅ ଆଶା ଛାଡ଼। ଏଭଳି ଧମକପୂର୍ଣ୍ଣ ଫୋନ୍ ପାଇବା ପରେ ଆରତଙ୍କ ସ୍ତ୍ରୀ ତୁରନ୍ତ ଏୟାର୍ଫିଲ୍ଡ ଥାନାକୁ ଜଣାଇଥିଲେ। ଖବର ପାଇ ସିପି ଓ ଡିସିପି ତୁରନ୍ତ ସ୍ପେସାଲ୍ ସ୍କ୍ବାଡ୍ ଓ ଏୟାର୍ଫିଲ୍ଡ ଥାନା ପୁଲିସକୁ ନେଇ ୩ଟି ଟିମ୍ ପ୍ରସ୍ତୁତ କରିଥିଲେ ଏବଂ ଅପହର୍ତ୍ତାମାନଙ୍କ ପଛରେ ଲଗାଇ ଦେଇଥିଲେ। ମୋବାଇଲ୍ ଟ୍ରାକ୍ କରି ପୁଲିସ ଟିମ୍ ନିରାକାରପୁରରେ ପହଞ୍ଚି ଯାଇଥିଲା ଏବଂ ସୁଜାତା ଓ ନିବେଦିତାଙ୍କ ନିକଟରୁ ପ୍ରତ୍ୟାଂଶୁଙ୍କୁ ଉଦ୍ଧାର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/23/lWfMgSiU7XIm4NjkBkGG.jpg)