ଅନୁଗୁଳ: ଗଣେଶ ପୂଜା ମେଳଣ ଶୋଭାଯାତ୍ରା ସମୟରେ ଅଧିକ ଶବ୍ଦରେ ଗୀତ ବଜାଇବାକୁ ନେଇ ହୋଇଛି ଗଣ୍ଡଗୋଳ। ଏ ନେଇ ପୁଲିସ ଉପରେ ଆକ୍ରମଣ ହୋଇଛି। ଖାକି ପୋଷାକ ଚିରିଦେବା ସହ ପୁଲିସକୁ ମୁଥ ମରାଯାଇଛି। ଏହାପରେ ପୁଲିସ ଗଣ୍ଡଗୋଳ କରୁଥିବା କିଛି ଯୁବକଙ୍କୁ ଉଠାଇ ନେଇଛି। ଅନୁଗୁଳ ସହରରେ ଆଜି ଗଣେଶ ପୂଜା ମେଳଣ ଶୋଭାଯାତ୍ରା ଚାଲିଥିଲା। ସନ୍ଧ୍ୟାରେ ପୁରୁଣା ବସ୍ଷ୍ଟାଣ୍ଡ ନିକଟରେ ତୁରଙ୍ଗର ଏକ ପୂଜା କମିଟିର ଶୋଭାଯାତ୍ରା ପହଞ୍ଚିଥିଲା। ଏହି କମିଟିର କିଛି ସଦସ୍ୟ ଅଲ୍ଟିମେଟ୍ କ୍ଲବ୍ର ଶୋଭାଯାତ୍ରାରେ ନାଚୁଥିଲେ। ଏହି ସମୟରେ ଅଧିକ ସାଉଣ୍ଡ୍ ଦେଇ ଗୀତ ବଜାଇବାରୁ ପୁଲିସ ବାରଣ କରିଥିଲା। କିନ୍ତୁ ସେମାନେ ନ ଶୁଣି ଜୋର୍ କରି ଗୀତ ବଜାଇଥିଲେ। ସେଠାରେ ଥିବା ଜଣେ ପୁଲିସ ଅଧିକାରୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଠେଲାପେଲା କରିଥିଲେ। ତାଙ୍କ ପୁଲିସ ପୋଷାକ ଚିରିଦେବା ସହ ମୁଥ ମାରିଥିଲେ। ପାଖରେ ଥିବା ଅନ୍ୟ ଜଣେ ପୁଲିସ ଅଧିକାରୀଙ୍କୁ ବି ଛାଡ଼ି ନ ଥିଲେ। ଏହାକୁ ନେଇ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା।
ଆକ୍ରମଣରେ ପୁଲିସ ଅଧିକାରୀ ଆଶିଷ ସ୍ବାଇଁ ଓ ପ୍ରୀତିରାଜ ମହାନ୍ତି ଆହତ ହୋଇଥିଲେ। ପରେ ଟାଉନ୍ ଥାନା ଅଧିକାରୀ ଧୀରେଶ ଦାସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଗଣ୍ଡଗୋଳ କରୁଥିବା କମିଟିର କିଛି ସାଉଣ୍ଡ ସିଷ୍ଟମ୍ ଜବତ କରିଛି ପୁଲିସ। ଏହାପରେ ଅନ୍ୟ ମେଢ଼ଗୁଡ଼ିକ ଯାଇଥିଲେ। ଗଣ୍ଡଗୋଳ କରିଥିବା କିଛି ଯୁବକଙ୍କୁ ପୁଲିସ ଉଠାଇ ନେଇଥିବା ଜଣାପଡ଼ିଛି। ସେମାନଙ୍କୁ ପଚରାଉଚରା କରୁଛି। ଏନେଇ ଅନୁଗୁଳ ଏସ୍ପି ରାହୁଲ ଜୈନ କହଛନ୍ତି, ଅଧିକ ଜୋର୍ରେ ଗୀତ ବଜାଇ ନାଚିବାକୁ ନେଇ ମେଳଣରେ ଗଣ୍ଡଗୋଳ ହୋଇଛି। ପୁଲିସକୁ ଆକ୍ରମଣ କରିଥିବା ଯୁବକଙ୍କୁ ଅଟକ ରଖାଯାଇଛି। କିଛି ସାମଗ୍ରୀ ଜବତ କରାଯାଇଛି। ଏପଟେ ଗଣେଶ ଭସାଣିରେ ଏମିତି ଗଣ୍ଡଗୋଳକୁ ନେଇ ସହରରେ ଚିନ୍ତା ବଢ଼ିଛି। ଗତଥର ମେଳଣ ସମୟରେ ଥାନା ସମ୍ମୁଖରେ ଛୁରାମାଡ଼ ହୋଇଥିଲା। ଏଥର ପୁଲିସକୁ ଆକ୍ରମଣ ହୋଇଛି। ପୁଣି ପୂଜା ସମୟରେ ମେଲୋଡିକୁ କେନ୍ଦ୍ର କରି ହୁଲୁରିସିଂହାର ଏକ କ୍ଲବ୍ କର୍ମକର୍ତ୍ତା ପୁଲିସକୁ ଗାଳିଗୁଲଜ କରିଥିଲେ। ପୁଲିସ ନିଜଆଡ଼ୁ ମାମଲା ରୁଜୁ କରିଥିଲା। ପୂଜା ସମୟରେ ଏମିତି ଗଣ୍ଡଗୋଳ ହେଉଥିବାରୁ ଆସନ୍ତା ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜା ପୁଲିସ ପାଇଁ ଆହ୍ବାନ ସୃଷ୍ଟି କରିବ।