ତଲାବିରା ଖଣି କାର୍ଯ୍ୟାଳୟରେ ଗଣ୍ଡଗୋଳ: କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ଓ ଭଙ୍ଗାରୁଜା, ୧୫ ଗିରଫ

ସମ୍ବଲପୁର/ରେଂଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ତଲାବିରା ୨ ଓ ୩ କୋଇଲା ଖଣି ଖନନ କାର୍ଯ୍ୟ କରୁଥିବା ୪୨ ଜଣ ଶ୍ରମିକଙ୍କୁ ଛଟେଇ ଘଟଣା ନେଇ ଆଦାନି କମ୍ପାନି କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ଛଟେଇ ହୋଇଥିବା ଶ୍ରମିକମାନେ କାର୍ଯ୍ୟାଳୟରେ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିବା ସହ ସେଠାରେ ଉପସ୍ଥିତ ଅଧିକାରୀ, କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଏନ୍‌ଏଲ୍‌ସିର ତଲାବିରା ଖଣି ଯୋଗୁଁ ଖିଣ୍ଡା ପଂଚାୟତର ଖିଣ୍ଡା, ତଲାବିରା, ମାତୁଲୁ କେମ୍ପ ଆଦି ଗ୍ରାମବାସୀ ବିସ୍ଥାପିତ ହେଉଛନ୍ତି। ଏହି ବିସ୍ଥାପିତମାନେ ଖଣି କାର୍ଯ୍ୟରେ ନିୟୋଜିତ ଆଦାନୀ କମ୍ପାନିରେ ନିଯୁକ୍ତି ପାଇଁ ଆନ୍ଦୋଳନ ଚଳାଇ ଆସିଛନ୍ତି। ସେଥିରୁ କିଛି ସ୍ଥାନୀୟ ଯୁବକଙ୍କୁ କମ୍ପାନିରେ ନିଯୁକ୍ତି ମିଳିଥିଲା। ବୁଧବାର ଦିନ କମ୍ପାନି ଏକ ନୋଟିସ ଦେଇ ୪୨ ଜଣ ଶ୍ରମିକଙ୍କୁ ଛଟେଇ କରି ଦେଇଥିଲା। ଶ୍ରମିକମାନେ କାହିଁକି ସେମାନଙ୍କୁ ଛଟେଇ କରାଯାଇଛି ତାହା ଜାଣିବା ପାଇଁ କମ୍ପାନି ଅଫିସକୁ ଯାଇଥିଲେ। ସେଠାରେ ସନ୍ତୋଷଜନକ ଉତ୍ତର ମିଳି ନଥିବା ଓ ଦୁର୍ବ୍ୟବହାର କରା ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଫଳରେ ସେମାନେ ଉତ୍ୟକ୍ତ ହୋଇ ଅଫିସରେ ପଶି ଭଙ୍ଗାରୁଜା ଓ ମାଡ଼ପିଟ କରିଥିଲେ। ଏନେଇ ଆଦାନୀ ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ ଠେଲକୁଲି ପୁଲିସ୍‌ ବୁଧବାର ରାତି ସୁଦ୍ଧା ୧୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର