ବାଚସ୍ପତିଙ୍କ କୋଭିଡ୍ ସୁରକ୍ଷା କାଚ ଭାଙ୍ଗିଲା
ଗୃହ ବାରମ୍ବାର ମୁଲତବୀ, ସର୍ବଦଳୀୟ ବୈଠକ ବି ବିଫଳ
ଭୁବନେଶ୍ୱର : କୋଭିଡ୍ କଟକଣା ଭିତରେ ଆଜି ଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରୁ ଗୃହରେ ବିରୋଧୀଙ୍କ ତାଉ ଦେଖିବାକୁ ମିଳିଛି। ଦୁଇ ଦୁଇଟି ହାଜତ ମୃତ୍ୟୁ ଓ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ୍ଶୃଙ୍ଖଳାକୁ ନେଇ ବିରୋଧୀଙ୍କ ଗର୍ଜନ ତର୍ଜନରେ ଗୃହ କମ୍ପି ଉଠିଥିଲା। ବାଚସ୍ପତି ଗୃହକୁ ଚଳାଇବା ସମ୍ଭବ ନ ଥିଲା। ତୁହାକୁ ତୁହା ଗୃହ ମୁଲତବୀ ହୋଇଥିଲା। ସର୍ବଦଳୀୟ ବୈଠକ ଡକାଯାଇଥିଲେ ବି ତାହା ନିଷ୍ଫଳ ହୋଇଥିଲା। ଗୃହରେ ହୋହଲ୍ଲା ଭିତରେ ୨୦୨୦-୨୧ର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ ହୋଇଥିଲା।
ଆଜି ବିଧାନସଭାର ପ୍ରଥମାର୍ଦ୍ଧରେ ପୂର୍ବତନ ବାଚସ୍ପତି, ଦିବଂଗତ ସଦସ୍ୟ ଓ କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗୃହକୁ ମୁଲତବୀ ରଖାଯାଇଥିଲା। ଦ୍ବିତୀୟାର୍ଦ୍ଧ କାର୍ଯ୍ୟ ଅପରାହ୍ନ ୩ଟାରେ ଆରମ୍ଭ ହେବା ମାତ୍ରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ହାଜତ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଦାବି କରିଥିଲେ। ରାଜ୍ୟରେ ଆଇନ୍ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ଅଭିଯୋଗ କରି ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଗୃହରେ ଏକ ପ୍ରକାର ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା। ବାଚସ୍ପତି ଆସନକୁ ଫେରିଯିବା ପାଇଁ ବିରୋଧୀଙ୍କୁ ଯେତେ ଅନୁରୋଧ କରିଥିଲେ ବି ସେମାନେ ଶୁଣି ନ ଥିଲେ।
କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ୍ ବାଡ଼େଇବାକୁ ଚେଷ୍ଟା କରିଥିଲେ। କୋଭିଡ୍ରେ ସାମାଜିକ ଦୂରତା ପାଇଁ ପୋଡିୟମ୍ ସାମ୍ନାରେ ଲାଗିଥିବା ଫାଇବର୍ କାଚକୁ ସେ ଭାଙ୍ଗି ଦେଇଥିଲେ। ହଠାତ୍ ଆପଣମାନେ କାହିଁକି ହୋହଲ୍ଲା କରୁଛନ୍ତି, ତାହାର କାରଣ ଜଣାପଡ଼ୁନି ବୋଲି ବାଚସ୍ପତି କହିଥିଲେ। ଏମିତି ହୋହଲ୍ଲା ଭିତରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ସୁଶାନ୍ତ ସିଂହ ତିନିଟି ଅଧ୍ୟାଦେଶ ଗୃହରେ ଆଗତ କରିଥିଲେ। ୩ଟା ୧୦ରେ ବାଚସ୍ପତି ଗୃହକୁ ୩ଟା ୨୫ ଯାଏ ମୁଲତବୀ ରଖିଲେ।
୩ଟା ୨୫ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିବାକୁ ଠିଆ ହେଲେ। ବାଚସ୍ପତି ତାଙ୍କୁ ଅନୁମତି ଦେଲେ। କିନ୍ତୁ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ପାଟିତୁଣ୍ଡ କରିଥିଲେ। ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଫଳରେ ବିରୋଧୀ ଦଳ ନେତା କହିପାରି ନ ଥିଲେ। ଗୃହ କାର୍ଯ୍ୟକୁ ସ୍ବାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକରେ ଯୋଗ ଦେବା ପାଇଁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ ଓ ସିପିଆଇ(ଏମ୍) ସଭ୍ୟ ଲକ୍ଷ୍ମଣ ମୁଣ୍ଡାଙ୍କୁ ବାଚସ୍ପତି ଡାକିଥିଲେ। କିନ୍ତୁ ବିରୋଧୀ ଦଳ ନେତା ଏହାର ପ୍ରତିବାଦ କରିଥିଲେ। ସେ କହିଥିଲେ ଯେ ‘ବିଜେପି ହେଉଛି ମୁଖ୍ୟ ବିରୋଧୀ ଦଳ ଓ ସଦସ୍ୟ ସଂଖ୍ୟା ୨୧। ନିୟମ ଅନୁଯାୟୀ କାର୍ଯ୍ୟ ପରାମର୍ଶଦାତା କମିଟିରେ ବିଜେପିରୁ ଅତି କମ୍ରେ ତିନି ଜଣ ସଭ୍ୟ ରହିବା ଆବଶ୍ୟକ। କିନ୍ତୁ ଏକା ବିରୋଧୀ ଦଳ ନେତାଙ୍କୁ ଡକାଯିବା ଠିକ୍ ନୁହେଁ। ମୁଁ ନିଷ୍ପତ୍ତି ନେଇଛି ଯେ ଏହି ଦାବି ପୂରଣ ନ ହେଲେ ଆଉ କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକକୁ ଯିବି ନାହିଁ।’ କିନ୍ତୁ ବାଚସ୍ପତି ଏହା ଉପରେ କୌଣସ ମନ୍ତବ୍ୟ ନ ଦେଇ ୩ଟା ୨୬ରେ ଗୃହକୁ ୩୦ ମିନିଟ୍ ପାଇଁ ମୁଲତବୀ ରଖିଥିଲେ। ଗୃହ ମୁଲତବୀ ଥିବା ସମୟରେ ବିଧାନସଭାର କର୍ମଚାରୀମାନେ ଆସି ବାଚସ୍ପତିଙ୍କ ପୋଡିୟମ୍ରେ ପୁନର୍ବାର ଫାଇବର୍ କାଚ ଲଗାଇଥିଲେ।
ଏହା ପରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ସର୍ବଦଳୀୟ ବୈଠକ ହୋଇଥିଲେ ବି ବିରୋଧୀ ଦଳ ନେତା ଯାଇ ନ ଥିଲେ। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କ ପ୍ରକୋଷ୍ଠକୁ ଆସି ବୁଝାଇ ଶ୍ରୀ ନାଏକଙ୍କୁ ବୈଠକକୁ ନେଇଥିଲେ। ବୈଠକ ଚାଲିଥିବାରୁ ୩ଟା ୫୯ରେ ୫ ମିନିଟ୍ ଓ ୪ଟା ୧୪ରେ ଆଉ ୫ ମିନିଟ୍ ଗୃହକୁ ମୁଲତବୀ ରଖାଯାଇଥିଲା।
କିନ୍ତୁ ବୈଠକରେ ଗୃହ ସ୍ବାଭାବିକ ହେବା ପାଇଁ କୌଣସି ନିଷ୍କର୍ସ ବାହାରି ପାରି ନ ଥିଲା। ୪ଟା ୧୯ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ପୁଣି କଂଗ୍ରେସ ଓ ବିଜେପି ସଭ୍ୟମାନେ ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଥିଲେ। ଏହାରି ଭିତରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ୫ଟି ବିଲ୍ ଆଗତ କରିଥିଲେ। ଏହା ପରେ ଅର୍ଥ ମନ୍ତ୍ରୀ ଶ୍ରୀ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ। ବିଲ୍ଗୁଡ଼ିକୁ କାର୍ଯ୍ୟ ପରାମର୍ଶଦାତା କମିଟିକୁ ପଠାଇବା ପାଇଁ ଶାସକ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଦେଇଥିଲେ ଓ ତାହା ଗୃହୀତ ହୋଇଥିଲା। ବାଚସ୍ପତି କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ଡାକି ୪ଟା ୨୭ରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
ଗୃହ କାର୍ଯ୍ୟ ଶେଷ ହେଲା ପରେ କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ବସିଥିଲା। କିନ୍ତୁ ବିଜେପିର ତିନି ଜଣ ସଦସ୍ୟଙ୍କୁ ଏଥିରେ ସାମିଲ୍ କରାଯାଇ ନ ଥିବା ପ୍ରତିବାଦରେ ବିରୋଧୀ ଦଳ ନେତା ବୈଠକରେ ଯୋଗ ଦେଇ ନ ଥିଲେ।