ସମ୍ରାଟ୍ ହଲ୍‌ ସାମ୍‌ନାରେ ଉତ୍ପାତ; ପୁଲିସ ଚୁପ୍‌

ନିଷିଦ୍ଧାଞ୍ଚଳରେ ଅଟକୁଛି ବସ୍, ରାଜପଥରେ ଅଟୋ ଚାଳକଙ୍କ ପାର୍କିଂ

କଟକ: ସମ୍ରାଟ ସିନେମା ହଲ୍ ସାମନାରେ ବସ୍ କିମ୍ବା ଅଟୋ ପାର୍କିଂ ପାଇଁ ଅନୁମତି ନାହିଁ। ଜାତୀୟ ରାଜପଥ ଉପରେ ଗାଡ଼ି ଅଟକାଇ ଯାତ୍ରୀଙ୍କୁ ଉଠାଇବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କିନ୍ତୁ ଉଭୟ ଅଟୋ ଓ ବସ୍ ଚାଳକ ଏହି ଛକରେ ନିୟମିତ ଗାଡ଼ି ରାସ୍ତା ଉପରେ ଅଟକାଇ ଯାତ୍ରୀଙ୍କୁ ଉଠାଉଛନ୍ତି। ଏହାଦ୍ବାରା ରାସ୍ତାରେ ଅଯଥା ଭିଡ଼ ସୃଷ୍ଟି ହେଉଛି। ତତ୍କାଳୀନ ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀଙ୍କ ସମୟରେ ଓଏମ୍‌ପି ଆଡ଼ୁ ବାଦାମବାଡ଼ି ଆଡ଼କୁ ଆସୁଥିବା ବସ୍ ନିଶାମଣି ହଲ୍ ନିକଟରେ ଅଟକିବାକୁ ନିଷ୍ପତ୍ତି ହୋଇଥିଲା। ସମ୍ରାଟ ସିନେମା ହଲ୍ ନିକଟରେ କୌଣସି ଗାଡ଼ି ଯାତ୍ରୀଙ୍କୁ ଓହ୍ଲାଇଲେ ୫୦୦ ଟଙ୍କା ଲେଖାଏ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ବାଦାମବାଡ଼ିରୁ ଓଏମପି ଆଡ଼କୁ ଯାଉଥିବା ବସ୍ ଲିଙ୍କରୋଡ୍‌ ବିଏ୍‌ଏନ୍‌ଏଲ୍ ଅଫିସ ପରେ ଓଏମ୍‌ପି ଛକରେ ରହିବାକୁ ନିର୍ଦ୍ଦେଶ ହୋଇଥିଲା। ସମ୍ରାଟ ସିନେମା ହଲ୍ ନିକଟରେ ଅଟକିଲେ ସମାନ ଜରିମାନା ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଏବେ ଘରୋଇ ବସ୍ ରାସ୍ତାରେ ‘ମୋ ବସ୍’ ବି ସାମିଲ ହୋଇଯାଇଛି। ସମ୍ରାଟ ସିନେମା ହଲ୍ ସାମନା ରାସ୍ତା ଉପରେ ବସ୍ ମନଇଚ୍ଛା ଅଟକାଇ ଯାତ୍ରୀଙ୍କୁ ଉଠାଇବା ଓ ଓହ୍ଲାଇବା ଭଳି ବେଆଇନ କାମ ଦୈନିକ ହେଉଥିବା ବେଳେ ଟ୍ରାଫିକ ପୁଲିସ ଏଥିପ୍ରତି ସମ୍ପୂର୍ଣ୍ଣ ନିରବ ରହିବା ରହସ୍ୟଜନକ ହେଲାଣି। ସମ୍ରାଟ ସିନେମା ହଲ୍ ସାମନା ରାସ୍ତାରେ ବସ୍ ଅଟକୁଥିବା ବେଳେ ଲିଙ୍କରୋଡ୍‌ରୁ ସର୍ଭିସ୍‌ରୋଡ୍‌ରେ ଯେଉଁ ଗାଡ଼ି ଯାଉଛି, ସେମାନେ ସମ୍ରାଟ ସିନେମା ହଲ ନିକଟରେ ମୁଖ୍ୟରାସ୍ତାକୁ ଉଠିପାରୁ ନାହାନ୍ତି। ବସ୍ ଅଟକି ରହୁଥିବାରୁ ସର୍ଭିସ ରୋଡ୍‌ ଦେଇ ଆସୁଥିବା ଦୁଇଚକିଆ ଚାଳକଙ୍କୁ ଦୁର୍ଘଟଣା ଭୟ ରହୁଛି। ସେହିଭଳି ଅଟୋଚାଳକମାନେ ବି ସମ୍ରାଟ୍ ସିନେମା ହଲ୍ ସାମ୍‌ନା ରାଜପଥ ଓ ଓଭରବ୍ରିଜ୍‌ ଉପରେ ଗାଡ଼ି ପାର୍କିଂ ଭଳି ବିଚିତ୍ର ଦୃଶ୍ୟ ସାଧାରଣରେ ବ୍ୟଥିତ କଲାଣି। ଏଭଳି ଖୋଲାଖୋଲି ବେଆଇନ ପାର୍କିଂକୁ କ’ଣ ଟ୍ରାଫିକ ପୁଲିସ ସମର୍ଥନ କରୁଛି?

ସମ୍ବନ୍ଧିତ ଖବର