ଟିଟିଲାଗଡ଼ ପୌର ପରିଷଦ ବୈଠକରେ ତୁ ତୁ ମେ ମେ

ଧମକ ଦିଆଯାଇଥିବା କହି କାନ୍ଦିଲେ ପୌରାଧ୍ୟକ୍ଷା, ଅଭିଯୋଗ ମିଛ ବୋଲି କହିଲେ ଉପାଧ୍ୟକ୍ଷା

ବଲାଙ୍ଗୀର: ଏବେ ଏବେ ପୌର ନିର୍ବାଚନ ସରିଛି। ଶୁକ୍ରବାର ଟିଟିଲାଗଡ଼ ପୌର ପରିଷଦର ପ୍ରଥମ ବୈଠକ ବସିଥିଲା। ବୈଠକରେ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ଆରମ୍ଭରୁ ସବୁ ଠିକଠାକ ଚାଲିଥିଲା। ହେଲେ ହଠାତ୍‌ ପୌରାଧ୍ୟକ୍ଷା ମମତା ଦେବୀ ଜୈନ ଓ କାଉନସିଲରଙ୍କ ଭିତରେ ଆରମ୍ଭ ହୋଇଥିଲା ତୁ ତୁ ମେ ମେ। କିଛି ବିଷୟ ଉପରେ ଆଲୋଚନା କରିବା ପାଇଁ ଆରମ୍ଭ ହୋଇଥିଲା କଥା କଟାକଟି। ଏପରିକି ମନ୍ତ୍ରୀ ଓ ପୌରାଧ୍ୟକ୍ଷାଙ୍କ ଭିତରେ ବି ଉଚ୍ଚବାଚ ହୋଇଥିଲା। ଯାହାକି ଟିଟିଲାଗଡ଼ରେ ଚର୍ଚ୍ଚାର ବିଷୟ ହୋଇଛି।

ଆଜି ବୈଠକରେ ପାଟିତୁଣ୍ଡ ଅଧିକ ହେବାରୁ ମନ୍ତ୍ରୀଙ୍କୁ ପ୍ରଥମେ ଉପଜିଲ୍ଲାପାଳ ନିଜ କାର୍ଯ୍ୟାଳୟକୁ ଆଣିଥିଲେ। ଆଉ ତାପରେ ମନ୍ତ୍ରୀ ଟୁକୁନୀ ସାହୁ ପୌର କାର୍ଯ୍ୟାଳୟ ଛାଡ଼ି ଚାଲିଯାଇଥିଲେ। କିନ୍ତୁ ଏ ଭିତରେ ପାଟିତୁଣ୍ଡ ହୋହଲ୍ଲା କରି ସଭାଗୃହରୁ ବାହାରି ଆସିଥିଲେ ପୌରାଧ୍ୟକ୍ଷା ମମତା ଦେବୀ ଜୈନ। ମୋର କିଛି କାମ ହେଉ ନାହିଁ, ମୋତେ ସହଯୋଗ କେହି କରୁ ନାହାନ୍ତି ବୋଲି ବଡ଼ପାଟିରେ ଉପଜିଲ୍ଲାପାଳଙ୍କ ସହିତ ବି ତୁତୁ ମେମେ ହୋଇଥିଲେ। ଆଉ ଏ ସମୟରେ ପୌରାଧ୍ୟକ୍ଷାଙ୍କ ସ୍ୱାମୀ ମଧ୍ୟ ଉପଜିଲ୍ଲାପାଳଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଆଉ ଏହାର କିଛି ସମୟ ପରେ ଭୋ ଭୋ କାନ୍ଦି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ ପୌରାଧ୍ୟକ୍ଷା। ସେ କହିଥିଲେ, ମନ୍ତ୍ରୀ ମୋତେ ଦୁର୍ବ୍ୟବହାର ପ୍ରଦର୍ଶନ କଲେ। ଧମକ ଦେଲେ। ମୋ ହିସାବରେ କାମ ହେବ ବୋଲି କହିଲେ। ଅନ୍ୟପକ୍ଷରେ କିନ୍ତୁ ପାଖରେ ଉପସ୍ଥିତ ଥିବା ମନ୍ତ୍ରୀଙ୍କ ସମର୍ଥକ ଓ ବିଜେଡି କାଉନସିଲର ଏହା ମିଛ ବୋଲି ପ୍ରତିବାଦ କରିଥିଲେ। ପୌରାଧ୍ୟକ୍ଷାଙ୍କ ପ୍ରତିକ୍ରିୟା ପରେ ପରେ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ ଉପାଧ୍ୟକ୍ଷା ପୁଷ୍ପା ମଞ୍ଜରୀ ଜାଲ। ଉପାଧ୍ୟକ୍ଷା କହିଥିଲେ, ଆମେ ସମସ୍ତେ ବୈଠକରେ ଉପସ୍ଥିତ ଥିଲୁ। ପୌରାଧ୍ୟକ୍ଷାଙ୍କ ଅଭିଯୋଗ ଭିତ୍ତିହୀନ। ମନ୍ତ୍ରୀ ଟୁକୁନୀ ସାହୁ କେବେ କାହାକୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ନାହାନ୍ତି, କି ଆଜି ବି କରି ନାହାନ୍ତି। କେବଳ ପୌରାଧ୍ୟକ୍ଷା ମୋ ହିସାବରେ ମ୍ୟୁନିସିପାଲିଟି ଚାଲିବ ବୋଲି କହିବାରୁ ମନ୍ତ୍ରୀ ହସ୍ତକ୍ଷେପରେ କହିଥିଲେ ନିୟମ କାନୁନରେ ଚାଲିବ। ବାସ୍‌ ଏଥିରୁ ପାଟିତୁଣ୍ଡ ଆରମ୍ଭ ହୋଇଥିଲା ବୋଲି ଉପାଧ୍ୟକ୍ଷା କହିଥିଲେ।

ସୂଚନାଯୋଗ୍ୟ ଯେ, ଗତ ପୌର ନିର୍ବାଚନରେ ଟିଟିଲାଗଡ଼ର ୧୫ଟି ୱାର୍ଡରୁ ୧୦ଟିରେ ବିଜେଡି ଓ ୫ଟିରେ ବିଜେପି କାଉନ୍‌ସିଲର ନିର୍ବାଚନ ଜିଣିଥିଲେ। ସିଧାସଳଖ ପୌରାଧ୍ୟକ୍ଷା ଭାବ‌େ ମମତାଦେବୀ ଜୈନ ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି। ତେଣୁ ନିର୍ବାଚନର ହାରଜିତର କ୍ରିୟା ପ୍ରତିକ୍ରିୟା ଆଜି ପୌରପାଳିକାର ପ୍ରଥମ ବୈଠକରେ ଦେଖିବାକୁ ମିଳିଥିଲା। ଅପରପଟେ ଦିନତମାମର ହୋହଲ୍ଲା ପରେ ସଂଧ୍ୟାରେ ବିଜେଡି କାଉନସିଲର ଗଣମାଧ୍ୟମ ସମ୍ମିଳନୀ ଡାକିଥିଲେ। ଉପାଧ୍ୟକ୍ଷା କହିଥିଲେ, ପ୍ରଥମେ ପୌରାଧ୍ୟକ୍ଷା କହିଥିଲେ ମୁଁ ଅଲ୍‌ ଇନ୍‌ ଅଲ୍‌। ମୁଁ ଯାହା ଚାହିବି ପରିଷଦରେ ତାହା କରିବି। ଏଠି ମନ୍ତ୍ରୀଙ୍କ କିଛି କାମ ନାହିଁ। ଯଦି ଭିତରେ ହେଉଥିବା ଘଟଣାକୁ ବାହାରେ ଅଲଗା ରଂଗ ଦିଆଯିବ ତାହେଲେ ଆଗାମୀ ବୈଠକରେ ଭିଡିଓ ରେକର୍ଡିଂ କରିବା ପାଇଁ ସେ ଓ ବିଜେଡିର ସବୁ କାଉନସିଲର ଦାବି କରିଛନ୍ତି। କାରଣ ଭିଡିଓ ରେକର୍ଡିଂ ହେଲେ ସତ ଏଣିକି ପଦାକୁ ଆସିବ ବୋଲି ବିଜେଡି କାଉନସିଲରମାନେ କହିଛନ୍ତି।

କାହାକୁ ଦୁର୍ବ୍ୟବାହର ପ୍ରଦର୍ଶନ କରିବା ମୋ’ ସଂସ୍କାର ନୁହେଁ: ମନ୍ତ୍ରୀ

ମୁଁ କେବେ କାହାକୁ ଉଚ୍ଚ ସ୍ୱରରେ କଥା ହୋଇ ନାହିଁ କି ଦୁର୍ବ୍ୟବହାର ପ୍ରଦର୍ଶନ କରି ନାହିଁ। ମୁଁ ଲୋକଙ୍କ ଆଶୀର୍ବାଦରେ ବିଧାୟିକା ହୋଇଛି। ତେଣୁ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେବି। ଆମେ ନିର୍ବାଚନର ପ୍ରତିଦ୍ୱନ୍ଦ୍ବିତା ଭୁଲି ଏବେ ଆପୋସ ଆଲୋଚନାରେ ମିଳିମିଶି କାମ କଲେ ଟିଟିଲାଗଡ଼ ସହରର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ। ତେଣୁ ବିଧାୟିକା ଭାବରେ ମୋର ଅନୁରୋଧ, ଆମେ ଏକ ହୋଇ ଟିଟିଲାଗଡ଼ର ଉନ୍ନତିକୁ ପ୍ରାଥମିକତା ଦେବା ବୋଲି ମନ୍ତ୍ରୀ ଟୁକୁନୀ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର