ଯୁବକଙ୍କ ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ : ପୋଡ଼ାଜଳା, ପୁଲିସକୁ ଟେକା ମାଡ଼

ସନ୍ଦେହରେ ସ୍ବାମୀ, ସ୍ତ୍ରୀ ଓ ଝିଅଙ୍କୁ ଉଠାଇ ନେଲା ପୁଲିସ

କେନ୍ଦ୍ରାପଡ଼ା/ମହାକାଳପଡ଼ା : କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ସୋମବାର ମହାକାଳପଡ଼ା ବ୍ଲକ୍ ଖରନାସୀ ଖରିନାସୀ ଗ୍ରାମରେ ଲଙ୍କାକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଶତାଧିକ ଗ୍ରାମବାସୀ ସଂପୃକ୍ତ ଯୁବକଙ୍କୁ ଗୁରୁତର ଆକ୍ରମଣ କରିଥିବା ସନ୍ଦେହରେ ଗ୍ରାମର ଗୋଟିଏ ପରିବାରକୁ ଘର ଭିତରେ ବନ୍ଦୀ କରିବା ରଖିବା ସହିତ ଗୋଟିଏ ବାଇକ୍ ଏବଂ ଆସବାବପତ୍ରକୁ ପୋଡ଼ି ଦେଇଛନ୍ତି। ଅଗ୍ନିଶମ ଗାଡ଼ିକୁ ବି ଛାଡ଼ି ନାହାନ୍ତି। ରାସ୍ତାରେ ଗାଡ଼ିକୁ ଅଟକ ରଖିବା ସହିତ ପୁଲିସ ଉପରକୁ ଟେକା ପଥର ମାଡ଼ କରିଛନ୍ତି। ଏହାକୁ ନେଇ ଖରିନାସୀ ଅଂଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଡିଏସ୍‌ପିଙ୍କ ନେତୃତ୍ବରେ ଜମ୍ବୁ ସାମୁଦ୍ରିକ, ମହାକାଳପଡ଼ା, ମାର୍ଶାଘାଇ, କେନ୍ଦ୍ରାପଡ଼ା ଟାଉନ ଆଦି ଚାରିଟି ଥାନାର ଇନସ୍ପେକ୍ଟର୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଉଦ୍ୟମ ଚଳାଇଛନ୍ତି ା ପୁଲିସ ଏହି ଘଟଣାରେ ଗୋଟିଏ ପରିବାରର ତିନି ଜଣଙ୍କୁ ସନ୍ଦେହରେ ଅଟକ ରଖିଥିବା ସୂଚନା ମିଳିଛି ା

ସୂଚନାନୁଯାୟୀ, ଖରିନାସୀ ଗ୍ରାମର ସୁନିଲ ମଣ୍ତଳଙ୍କ ପୁଅ ସୈାରଭ (୨୪)ଙ୍କୁ ଗତ ୧୫ ତାରିଖ ରାତି ପ୍ରାୟ ୧୨ଟାରେ ସେହି ଗ୍ରାମର ବାବୁ ମଣ୍ଡଳଙ୍କ ଘର ଆଗରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରିବାର ଲୋକ ସଙ୍କଟାପନ୍ନ ଅବସ୍ଥାରେ ସୌରଭଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ଜମ୍ବୁ ସାମୁଦ୍ରିକ ଥାନାରେ ଏ ସଂକ୍ରାନ୍ତରେ ଏତଲା ଦେଇଥିଲେ। ପୁଅକୁ କେହି ଦୁର୍ବୃତ୍ତ ପ୍ରାଣାନ୍ତକ ଆକ୍ରମଣ କରିଥିବା ନେଇ ସୌରଭଙ୍କ ବାପା ଏତଲାରେ ଦର୍ଶାଇଥିଲେ। ତେବେ ଆଜି ମେଡିକାଲ୍‌ରେ ସୌରଭଙ୍କ ମୃତ୍ୟୁ ଘଟିବା ପରେ ଖରିନାସୀରେ ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ା ପରିବାର ଲୋକଙ୍କ ସହିତ ଉତ୍ତ୍ୟକ୍ତ ଗ୍ରାମବାସୀ ସୌରଭଙ୍କୁ ପ୍ରାଣାନ୍ତକ ଆକ୍ରମଣ ପଛରେ ବାବୁ ମଣ୍ଡଳ ଓ ତାଙ୍କ ଶ୍ବଶୂର ଚିତ୍ତ ମଣ୍ଡଳଙ୍କ ସଂପୃକ୍ତି ସନ୍ଦେହ କରି ତାଙ୍କ ଘର ଆଗରେ ପାଟିତୁଣ୍ଡ କରିଥିଲେ। ଶହ ଶହ ଲୋକ କବାଟ ଭାଂଗି ବାବୁଙ୍କ ଘରେ ପଶିବାକୁ ଉଦ୍ୟମ କରିବା ସହିତ ଘର ଆଗରେ ଥିବା ଏକ ବାଇକ୍‌ ଓ ଖଟରେ ନିଆଁ ଲଗାଇ ଦେଇଥିଲେ। ବାବୁଙ୍କ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଥିଲେ। ଜମ୍ବୁ ଥାନାଧିକାରୀ ମହେଶ୍ବର ସେଠୀ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ମଧ୍ୟ ସଫଳ ହୋଇନଥିଲେ। ସଂଧ୍ୟା ୬ଟା ପର୍ଯ୍ୟନ୍ତ ବାବୁ ମଣ୍ଡଳଙ୍କ ଘରକୁ ଉତ୍ତ୍ୟକ୍ତ ଲୋକ ଘେରାଉ କରି ରଖିଥିଲେ। ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଡିଏସ୍‌ପି କାର୍ତ୍ତିକ ମଲ୍ଲିକଙ୍କ ନେତୃତ୍ବରେ ଅଧିକ ଫୋର୍ସ ସହିତ ମହାକାଳପଡା ଥାନା ଅଧିକାରୀ ମନୋରଂଜନ ଚୈାଧୁରୀ, ମାର୍ଶାଘାଇ ଥାନା ଅଧିକାରୀ କାଳନ୍ଦୀ ବେହେରା, କେନ୍ଦ୍ରାପଡା ଟାଉନ ଥାନା ଅଧିକାରୀ ଜ୍ୟୋତିରଂଜନ ସାମନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିଥିଲେ ା ମାତ୍ର ଉତ୍ତ୍ୟକ୍ତ ଜନତା ଟେକା ପଥର ମାଡ଼ କରିବାରୁ ମାର୍ଶାଘାଇ ଥାନା ଅଧିକାରୀ କାଳନ୍ଦୀ ବେହେରା ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ତହସିଲଦାର ସୈାଭାଗ୍ୟ ରଂଜନ ପଣ୍ତା ମାଇକ ଯୋଗେ ଲୋକଙ୍କୁ ଶାନ୍ତ ରହିବାକୁ ବାରମ୍ବାର ଅନୁରୋଧ କରିଥିଲେ ବି ତାହା ବିଶେଷ ଫଳପ୍ରଦ ହୋଇ ନଥିଲା।

ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଘଟଣାଦିନ ରାତି ପ୍ରାୟ ୧୦ଟା ବେଳେ ସୌରଭଙ୍କ ଫୋନକୁ ବାବୁ ମଣ୍ଡଳଙ୍କ ଶେଷ କଲ୍‌ ଆସିଥିଲା ା ବାବୁ ମଣ୍ଡଳଙ୍କ ଘରଠୁ ମାତ୍ର ୩୦ଫୁଟ୍‌ ଦୂରରେ ସୌରଭଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ବାବୁ ହିଁ ହତ୍ୟା କରିବା ପାଇଁ ପୁଅକୁ ଡକାଇ ଏଭଳି ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ସେପଟେ ପୁଲିସ ବାବୁ , ତାଙ୍କ ପତ୍ନୀ ଓ ଝିଅକୁ ଥାନାରେ ଅଟକ ରଖିଥିବା ବେଳେ ବାବୁର ଶ୍ବଶୂର ଫେରାର୍ ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର