ହାତରେ ମନ ମିଶିଲା, ପଦ୍ମ ପାଇଁ ଶୋକ ଆଣିବେ କି ଅଶୋକ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର କରିବେ ରିପୁନାଥ ସେଠ । ରିପୁନାଥଙ୍କ ଅଭିମାନ ଦୂର କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନଙ୍କୁ ଭେଟିବା ପରେ ଏହା କହିଛନ୍ତି ରିପୁନାଥ । ସେ ଆହୁରି କହିଛନ୍ତି, ବାକ୍ତିଗତ ଭାବେ ଦିଲ୍ଲୀପ ପଣ୍ଡାଙ୍କ ପାଇଁ ନୁହେଁ କଂଗ୍ରେସ ପାଇଁ ଦାୟିତ୍ୱ ନେଇଛନ୍ତି । ପୂର୍ବ ନିର୍ବାଚନ ଅପେକ୍ଷା ବିଜେପୁରରେ ଏଥର କଂଗ୍ରେସ ଭଲ କରିବ ବୋଲି କହିଛନ୍ତି ରିପୁନାଥ । ସେହିଭଳି ନିରଞ୍ଜନ କହିଛନ୍ତି, ରିପୁନାଥଙ୍କ କୌଣସି ଅସନ୍ତୋଷ ନାହିଁ । ସେ ପୁରା ନିର୍ବାଚନମଣ୍ଡଳୀରେ ପ୍ରଚାର କରିବେ ।ଏଠାରେ ସୂଚନା ଥାଉ କି ବିଜେପୁର ଉପନିର୍ବାଚନ ପାଇଁ ରିପୁନାଥ ସେଠ ଆଶାୟୀ ଥିଲେ । କିନ୍ତୁ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରାଯିବା ପରେ ସେ ଅସନ୍ତୁଷ୍ଟ ଥିଲେ ।

ବିଜେପୁରରେ ଆସନ୍ତା ୨୧ ତାରିଖରେ ନିର୍ବାଚନ ହେବ ଓ ଫଳାଫଳ ୨୪ ତାରିଖରେ ଆସିବ । ପୂର୍ବ ଅଭିଜ୍ଞତାକୁ ପାଥେୟ କରି ଶ୍ରୀ ସେଠ୍‌ ପୁଣି ଉପନିର୍ବାଚନ ଟିକେଟ୍‌ ପାଇବେ ବୋଲି କୁହାଯାଉଥିଲା। ତେବେ ଶ୍ରୀ ସେଠ୍‌ ପୁଅ ଅଭିଷେକକୁ ଟିକଟ୍‌ ଦେବାକୁ ଦଳୀୟ ନେତୃବୃନ୍ଦଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଉଭୟ ପିତା-ପୁତ୍ର ଟିକଟ୍‌ରୁ ବଂଚିତ ହେବା ପରେ ଶ୍ରୀ ସେଠ୍‌ ପରୋକ୍ଷରେ ଅଭିମାନ ଜାହିର କରିଥିଲେ।

ପୂର୍ବରୁ ‘ସମ୍ବାଦ’କୁ ଦେଇଥିବା ପ୍ରତିକ୍ରିୟାରେ ସେ କହିଥିଲେ, ତାଙ୍କୁ ଉପନିର୍ବାଚନ ବେଳେ କିଛି ଦାୟିତ୍ବ ଦିଆଯାଇନାହିଁ। ସେ ଦଳ ଛାଡ଼ିବେ ନାହିଁ, ବରଂ ନିର୍ବାଚନ ବେଳେ ଅନୁପସ୍ଥିତ ରହିବେ। ଅନ୍ୟପଟେ କିନ୍ତୁ ବିଜେପି ପାଇଁ ଅଡୁଆ ବଢ଼ାଇଛନ୍ତି ଅସନ୍ତୁଷ୍ଟ ବିଜେପି ନେତା ଅଶୋକ ପାଣିଗ୍ରାହୀ | ଅଶୋକ କହିଛନ୍ତି ଯେ ଦଳ ତାଙ୍କୁ ଅଣଦେଖା କରୁଛି, ସାଧାରଣ ନିର୍ବାଚନ କି ଉପନିର୍ବାଚନରେ ତାଙ୍କୁ ଦାୟିତ୍ବ ମିଳିଲାନି | ଖୁବ୍‌ଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ ବୋଲି ଅଶୋକ କହିଛନ୍ତି |

ସମ୍ବନ୍ଧିତ ଖବର