ଘେରିମୁକ୍ତ ଚିଲିକାରେ ବିଶ୍ୱର ସର୍ବାଧିକ ଇରାଓ୍ଵାଡି ଡଲ୍‌ଫିନ୍‌

ଭୁବନେଶ୍ୱର : ଚିଲିକା ଘେରିମୁକ୍ତ ହେବା ପରେ ଆଜି ସେଠାରେ ପ୍ରଥମ ଥର ପାଇଁ ବାର୍ଷିକ ସର୍ବେକ୍ଷଣ ଅନୁଷ୍ଠିତ ହୋଇଛି। ଏହାର ଫଳାଫଳରୁ ହ୍ରଦରେ କିଛି ବଡ଼ ଧରଣର ପରିବର୍ତନ ସଂଘଟିତ ହୋଇଥିବା ଜଣାଯାଇଛି। ସେଥିରୁ ଆକଳନ କରାଯାଇଛି, ଚିଲିକା ହ୍ରଦରେ ହିଁ ସମଗ୍ର ପୃଥିବୀରେ ସର୍ବାଧିକ ସଂଖ୍ୟକ ଇରାଓ୍ଵାଡି ଡଲ୍‌ଫିନ୍‌ ଅଛନ୍ତି।

ଏହି ସର୍ବେକ୍ଷଣ ଫଳାଫଳ ଅନୁସାରେ ଘେରି ଉଚ୍ଛେଦ ହେବା ପରେ ଆଜି ଚିଲିକାରେ ୧୫୫ଟି ଇରାଓ୍ଵାଡି ଡଲ୍‌ଫିନ୍‌ ଥିବା ଦେଖିବାକୁ ମିଳିଛି। ପୂର୍ବାପେକ୍ଷା ସେହି ଡଲ୍‌ଫିନ୍‌ଗୁଡ଼ିକ ଅଧିକ ସଂଖ୍ୟାରେ ଖୋଲାଖୋଲି ବିଚରଣ କରୁଛନ୍ତି। ଚଳିତ ବର୍ଷ ଡଲ୍‌ଫିନ୍‌ ଗଣନାରୁ ସେମାନଙ୍କ ସଂଖ୍ୟା ୧୫୨ ଥିବା ବନ୍ୟପ୍ରାଣୀ ବିଭାଗ ଦେଖିବାକୁ ପାଇଥିଲା। ସେହିପରି ପ୍ରତିବର୍ଷ ପରି ପାଖାପାଖି ଏକ ଲକ୍ଷ ପକ୍ଷୀ ହ୍ରଦରେ ରହୁଥିବା ଦେଖାଯାଇଥିଲା। ସେଗୁଡ଼ିକ ମଧ୍ୟରୁ ବିଦେଶାଗତ ଅନେକ ପକ୍ଷୀ ପ୍ରତ୍ୟାବର୍ତନ କରିନଥିବା ଜଣାପଡ଼ିଥିଲା। ଘେରି ଭାଙ୍ଗିଯିବା ପରେ ବହୁସଂଖ୍ୟକ ପକ୍ଷୀ ଚିଲିକାକୁ ଘର କରି ନେଇଥିବା ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଥିଲା। ସବୁଠାରୁ ବଡ଼ କଥା ହେଉଛି, ୧୯୮୫ ମସିହାରେ ସ୍ପଞ୍ଜ ଜାତୀୟ ଜଳଜ ପ୍ରାଣୀ ଚିଲିକାରେ ପ୍ରାୟତଃ ଉଭେଇ ଯାଇଥିଲା।

ବର୍ତମାନ ସେଗୁଡ଼ିକର ବଂଶ ବୃଦ୍ଧି ଘଟୁଥିବା ଚିଲିକାର ସ୍ୱାସ୍ଥ୍ୟଗତ ଜୈବ ବିବିଧତା କ୍ଷେତ୍ରରେ ଅଭିବୃଦ୍ଧିର ଲକ୍ଷଣ ବୋଲି ସର୍ବେକ୍ଷଣ ଫଳାଫଳରୁ କୁହାଯାଇଛି। ଚିଲିକାର ୧୫୨.୫ ବର୍ଗ କି.ମି. ଘେରିମୁକ୍ତ ହେବା ପରେ ସେହି ଅଞ୍ଚଳରେ ଆଉ ଜବରଦଖଲ ହୋଇନଥିବା ଫଳାଫଳରେ ଦର୍ଶାଯାଇଛି। ସେହିପରି ୩ଟି ଚ୍ୟାନେଲ୍‌, ପାଲୁର କେନାଲ୍‌ରେ କୌଣସି ଦଖଲ ହୋଇନାହିଁ। ସୂଚନାଯୋଗ୍ୟ ଯେ, ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ସର୍ବେକ୍ଷଣ କାର୍ଯ୍ୟ ଚାଲିଥିଲା। ଏଥିରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ସହିତ ୨୮ଟି ଦଳ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର