ଅସୁରକ୍ଷିତ ହୋଇପଡ଼ିଲେଣି ମହିଳା! ଦିନକୁ ୮ଜଣ ଦୁଷ୍କର୍ମର ଶିକାର

ଅସଦାଚରଣ ମାମଲା ବଢ଼ିଛି, ଜୋର ଜବରଦସ୍ତି ବି

୨୦୧୮ ତୁଳନାରେ ଧର୍ତବ୍ୟ ଅପରାଧ ବଢ଼ିଲା
ଚୋରି, ଡକାୟତି କମିବା ବଦଳରେ ବଢ଼ୁଛି
ପୁଲିସ ବିଭାଗରେ ଖାଲି ପଡ଼ିଛି ୧୦ ହଜାର ପଦବି

ଭୁବନେଶ୍ବର : ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଦୋହଲିଗଲାଣି। ଏମିତି ଯେ ୨୦୧୮ ତୁଳନାରେ ଧର୍ତବ୍ୟ ଅପରାଧ ସଂଖ୍ୟା କେବଳ ୧୩.୧% ବଢ଼ିଛି ତା ନୁହେଁ, ୫.୧% ଡକାୟତି ବଢ଼ିଛି, ୧୮.୭% ଚୋରି, ୧୭.୯% ଦୁଷ୍କର୍ମ ମଧ୍ୟ ବୃଦ୍ଧି ପାଇଛି। ସେପଟେ ପୁଲିସ ବିଭାଗରେ ୧୦ ହଜାର ପଦବି ଖାଲି। ଆଜି ବିଧାନସଭାରେ ବିଭିନ୍ନ ବିଧାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗୃହ ରାଷ୍ଟ୍ରମନ୍ତ୍ରୀ ଏଭଳି ସାଂଘାତିକ ସତକୁ ସାମ୍ନାକୁ ଆଣିଛନ୍ତି, ଯାହା ଆଖି ଝଲସାଇବା ଭଳି। କେବଳ ଆଶ୍ବାସନାର କଥା ହେଉଛି, ହତ୍ୟା ମାମଲା ସାମାନ୍ୟ (୧.୫%) କମିଛି।

ସରକାରଙ୍କ ତଥ୍ୟ ବୟାନ କରୁଛି, ମହିଳାମାନେ ରାଜ୍ୟରେ ଧୀରେ ଧୀରେ ଅସୁରକ୍ଷିତ ହୋଇ ପଡୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନାରୀ ସୁରକ୍ଷା ନାରାକୁ ପୁଲିସ ଯେମିତି ପ୍ରହସନରେ ପରିଣତ କରିଦେଲାଣି। କାରଣ ୨୦୧୮ ମସିହାରେ ରାଜ୍ୟରେ ୨୫୦୨ଟି ଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଥିଲା, ଯାହା ୨୦୧୯ରେ ବଢ଼ି ୨୯୫୦କୁ ଛୁଇଁଛି। ଅର୍ଥାତ୍ ଦିନକୁ ୮ଜଣ ମହିଳା ବା ଯୁବତୀ ଦୁଷ୍କର୍ମର ଶିକାର ହେଉଛନ୍ତି। େଯଉଁ କିଛି ଜିଲ୍ଲା ଏ କ୍ଷେତ୍ରରେ ସମ୍ବେଦନଶୀଳ ସ୍ଥାନରେ ଅଛି, ତା ମଧ୍ୟରେ ଭୁବନେଶ୍ବର କମିସନରେଟ୍ ପୁଲିସ, ଯାଜପୁର, ପୁରୀ, ବାଲେଶ୍ବର, ଭଦ୍ରକ, ମୟୂରଭଂଜ, ଗଞ୍ଜାମ, କୋରାପୁଟ, କଳାହାଣ୍ଡି, କେନ୍ଦୁଝର ଅନ୍ତର୍ଭୁକ୍ତ। ଏସବୁ ଜିଲ୍ଲାରେ ଦୁଷ୍କର୍ମ ମାମଲା ସଂଖ୍ୟା ଶହେରୁ ଅଧିକ। ୨୦୧୮ ତୁଳନାରେ ବ୍ରହ୍ମପୁରରେ ସବୁଠାରୁ ଅଧିକ ପ୍ରତିଶତ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଗୃହ ବିଭାଗର ତଥ୍ୟ କହୁଛି।

ମହିଳାଙ୍କ ସହିତ ଜୋର ଜବରଦସ୍ତ ଘଟଣା ମଧ୍ୟ ୧୬.୫% ବଢ଼ିଛି। ୨୦୧୮ରେ ରାଜ୍ୟରେ ଏଭଳି ମାମଲା ସଂଖ୍ୟା ୫୮୭୫ ଥିଲା, ଯାହା ୨୦୧୯ରେ ବଢ଼ି ୬୮୪୮କୁ ଛୁଇଁଛି। ପରିସଂଖ୍ୟାନ ସୂଚାଉଛି ଯେ ପୁରୀ, ବାଲେଶ୍ବର, ବଲାଙ୍ଗୀର, ଗଞ୍ଜାମ, କଳାହାଣ୍ଡି ଓ କେନ୍ଦୁଝର ଜିଲ୍ଲାରେ ଏଭଳି ମାମଲା ସଂଖ୍ୟା ପାଖାପାଖି ୪୦୦ ବା ଅଧିକ।

ଯୌନ ନିର୍ଯାତନା ମାମଲା ସ୍ଥିତି ବି ଉଦ୍‌ବେଗଜନକ। ରାଜ୍ୟରେ ଏଭଳି ୧୩୦୫ ମାମଲା ରୁଜୁ ହୋଇଛି, ଯାହା ଗତବର୍ଷ (୧୨୪୧) ଠାରୁ ୫.୧% ଅଧିକ। ଏ କ୍ଷେତ୍ରରେ ମଧ୍ୟ ଦିନକୁ ପାଖାପାଖି ୪ଜଣ ମହିଳାଙ୍କ ଭାଗ୍ୟ ବିପଦକୁ ଠେଲି େହାଇଯାଉଛି। ଗଞ୍ଜାମ ଜିଲ୍ଲା ରେକର୍ଡ କରିଛି। ଜଗତସିଂହପୁର, ଯାଜପୁର, େକନ୍ଦ୍ରାପଡା, ପୁରୀ, ଭଦ୍ରକ, ମୟୂରଭଂଜ, ଢେଙ୍କାନାଳ, ବ୍ରହ୍ମପୁର ଏ େକ୍ଷତ୍ରରେ ସମ୍ବେଦନଶୀଳ ଜିଲ୍ଲା ବୋଲି କୁହାଯାଇପାରେ।

ସର୍ବସାଧାରଣରେ ମହିଳାଙ୍କ ପ୍ରତି ଅସଦାଚରଣ ମାମଲା ୧୧.୩ ପ୍ରତିଶତ ବଢିଛି ରାଜ୍ୟରେ। ୨୦୧୮ରେ ୨୫୩୬ଟି ଏଭଳି ମାମଲା ରୁଜୁ େହାଇଥିଲା, ଯାହା ୨୦୧୯ରେ ବଢି ୨୮୨୫ରେ ପହଞ୍ଚିଛି। ଉପକୂଳବର୍ତୀ ଜିଲ୍ଲା ଅର୍ଥାତ୍ ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ପୁରୀ, ନୟାଗଡ, ବାଲେଶ୍ବରରେ ଏ ଧରଣର ମାମଲା ଅଧିକ। ତେବେ ସମ୍ବଲପୁର, ଗଞ୍ଜାମ, ବ୍ରହ୍ମପୁର, ଅନୁଗୁଳ, େଢଙ୍କାନାଳ ଭଳି ଜିଲ୍ଲା ପଛରେ ନାହିଁ।

ରାଜ୍ୟରେ ଦିନକୁ ପାଖାପାଖି ୪ଜଣଙ୍କୁ ହତ୍ୟା କରାଯାଉଛି। ୨୦୧୮ରେ ଏହି ସଂଖ୍ୟା ୧୩୭୮ ଥିଲା, ଏଥର କମି ୧୩୫୬ ଛୁଇଁଛି। କଟକ, ଯାଜପୁର, କେନ୍ଦ୍ରାପଡା,ବାଲେଶ୍ବର, ମୟୂରଭଂଜ, ଗଞ୍ଜାମ, କେନ୍ଦୁଝରରେ ୫୦ରୁ ଅଧିକ ହତ୍ୟାକାଣ୍ଡ ଘଟିଛି। ରାଜ୍ୟରେ ସବୁଠାରୁ ଅଧିକ ହତ୍ୟାକାଣ୍ଡ ମୟୂରଭଂଜରେ ଘଟିଛି। ୨୦୧୮ ରେକର୍ଡ ମଧ୍ୟ ମୟୂରଭଂଜ ଜିଲ୍ଲା ନାଁରେ ଥିଲା।

ରାଜ୍ୟରେ ଡକାୟତି ଓ ଚୋରି ଭୟଙ୍କର ଭାବେ ବୃଦ୍ଧି ପାଇଛି। ସବୁଠାରୁ ଅଧିକ ଡକାୟତି ମାମଲା ଆଉ କେଉଁଠି ନୁହେଁ, ଭୁବନେଶ୍ବର ପୁଲିସ କମିସନରେଟ୍ ଅଞ୍ଚଳରେ ହିଁ ଘଟିଛି। ଚୋରି କ୍ଷେତ୍ରରେ ଅପବାଦ ଲାଗିଛି ଭୁବନେଶ୍ବର କମିସନରେଟ୍ ପୁଲିସ ମୁଣ୍ଡରେ। ରାଜ୍ୟରେ ୨୦୧୮ରେ ୯୦୬୯ଟି ଚୋରି ମାମଲା ରୁଜୁ େହାଇଥିବା ବେଳେ ଏଥର ଏହା ବଢି ୧୦ ହଜାର ୭୬୬କୁ ଛୁଇଁଛି। ଯଦି ରାଜଧାନୀରେ ଏତେ ବଡ଼ ବଡିଆ ପୁଲିସ ଅଧିକାରୀ ଥାଇ ସବୁଠାରୁ ଅଧିକ ଚୋରି ଓ ଡକାୟତି ଘଟିବ, ତେବେ ଅନ୍ୟ ଜିଲ୍ଲାକୁ ପୁଲିସ ଡିଜି ଆଙ୍ଗୁଠି ଦେଖାଇବେ କେମିତି?

ଏହିଭଳି ରାଜ୍ୟରେ ସାମଗ୍ରିକ ମାମଲା ସଂଖ୍ୟା ୧ଲକ୍ଷ ୭ହଜାର ୪୦୮ରୁ ବଢି ୧ଲକ୍ଷ ୨୧ ହଜାର ୫୨୫ରେ ପହଞ୍ଚିଛି। ସବୁଠାରୁ ଅଧିକ ମାମଲା ଭୁବନେଶ୍ବର ପୁଲିସ କମିସନରେଟରେ ରୁଜୁ ହୋଇଛି।

ଉଦ୍‌ବେଗର ବିଷୟ ହେଉଛି, େଗାଟିଏ ପଟେ ଅପରାଧ ବଢୁଥିବା ବେଳେ ଅନ୍ୟପଟେ ହଜାର ହଜାର ପୁଲିସ ପଦବି ଖାଲି ପଡିଛି। ପୁଲିସ ବିଭାଗର ୪ଟି ବର୍ଗରେ ୭୨ ହଜାର ୧୧୯ଟି ପଦବି ରହିଛି, ଯେଉଁଥିରୁ ୬୨ ହଜାର ୬୫ଟି ପଦବିରେ କର୍ମଚାରୀ ଅଛନ୍ତି। ଅର୍ଥାତ୍ ୧୦ ହଜାର ୫୪ ପଦବି ଖାଲି ପଡିଛି। ସି ଗ୍ରୁପ ଅର୍ଥାତ୍ ତୃତୀୟ ଶ୍ରେଣୀ ବର୍ଗରେ ସବୁଠାରୁ ଅଧିକ ଅର୍ଥାତ୍ ୬୪୮୭ ପଦବି ଖାଲି। ୨୦୧୯ ଡିସେମ୍ବର ସୁଦ୍ଧା ଖାଲି ପଡିଥିବା ପଦବି ମଧ୍ୟରେ ପ୍ରଥମ ଶ୍ରେଣୀ ବର୍ଗରେ ୫୦୧ଟି ପଦବି ଖାଲି ପଡିଛି। ଦ୍ବିତୀୟ ଶ୍ରେଣୀ ବା ବି ଗ୍ରୁପରେ ୧୮୨୩ ଓ ଡି ଗ୍ରୁୁପରେ ୧୨୪୩ ପଦବି ଖାଲି। ଏଭଳି ସ୍ଥିତିରେ ଆଇନଶୃଙ୍ଖଳା କିଭଳି ରକ୍ଷା ହେବ?

ସମ୍ବନ୍ଧିତ ଖବର