ଘନାଉଛି କୋଟିଆ ଝଡ଼: ଦାୟିତ୍ବ ଖସାଇ ପାରିବେନି ନେତା, ଆନ୍ଧ୍ର ରାଜ୍ୟପାଳ ନିରବ କାହିଁକି?

କେନ୍ଦ୍ରର ଭୂମିକା ବି ଗୁରୁତ୍ବପୂର୍ଣ୍ଣ, ସବୁ ସାଂସଦ ଏକାଠି ହୋଇନାହାନ୍ତି, ସୁପ୍ରିମକୋର୍ଟରେ ଆନ୍ଧ୍ରର ଜବାବ

ଭୁବନେଶ୍ବର: ଆଉ ଦିନକ ପରେ (ଶୁକ୍ରବାର) କୋଟିଆ ବିବାଦ ସଂପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଆନ୍ଧ୍ରପ୍ରଦେଶ ସରକାର ଓଡ଼ିଶାର ଆବେଦନ ଉପରେ ମତ ରଖିବେ। ଆନ୍ଧ୍ରକୁ ଜବାବ ଦେବା ଲାଗି ରାଜ୍ୟରେ ସରକାରୀସ୍ତରରେ ଦିନତମାମ କସରତ ଚାଲିଛି। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପରେ କେଉଁ ପରିସ୍ଥିତିରେ ଆନ୍ଧ୍ର ସ୍କୁଲ ଚାଲିଲା, ଓଡ଼ିଶାର ସ୍ଥିତି କ’ଣ ସେ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତନାଘନା ଆରମ୍ଭ କରିଛି। ଏ ସଂକ୍ରାନ୍ତରେ କୋରାପୁଟ ଜିଲ୍ଲା ଅଧିକାରୀକୁ ଏକ ରିପୋର୍ଟ ତଲବ ହୋଇଥିବା ଖବର ମିଳିଛି।

ତେବେ ଏହି ପ୍ରସଙ୍ଗ ପୁଣି ଥରେ ତାଜା ହେବା ପରେ ବାସ୍ତବରେ କୋଟିଆ ପାଇଁ କେବଳ ରାଜ୍ୟ ସରକାର ଦୋଷୀ ନା ପ୍ରଶାସନିକ ଉଦାସୀନତା ଏକ କାରଣ ନା ଏ ନେଇ ଆଉ କିଛି ରହସ୍ୟ ରହିଛି? ଏହାକୁ ନେଇ ବୁଦ୍ଧିଜୀବୀ, ରାଜନୈତିକ ମହଲରେ ତର୍ଜମା ଆରମ୍ଭ ହୋଇଗଲାଣି।
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କୋଟିଆ ପାଇଁ ଏକାଧିକ ପ୍ରସ୍ତାବ ଦେଇଥିବା ବେଳେ ବିଜେପି ନେତା ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି ବିଧାନସଭା ଗୃହ କମିଟି ସଂପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆସନ୍ତାକାଲି ଠାରୁ ବିଧାନସଭା ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ବାଚସ୍ପତି ଏହି ପ୍ରସଙ୍ଗର ନେତୃତ୍ବ ନେବା ସହିତ ଗୃହ କମିଟି ତୁରନ୍ତ କୋଟିଆ ଗସ୍ତ କରୁ ବୋଲି ଶ୍ରୀ ମହାପାତ୍ର ପ୍ରସ୍ତାବ ରଖିଛନ୍ତି। ହେଲେ ରାଜନୈତିକ ମହଲ ଓ ପ୍ରଶାସକମାନେ କେନ୍ଦ୍ର ସରକାରଙ୍କ ଭୂମିକା ଓ ଆନ୍ଧ୍ରର ଆଭିମୁଖ୍ୟ ଉପରେ ବି ପ୍ରଶ୍ନ ଚିହ୍ନ ଲଗାଇଲେଣି। ଗୋଟିଏ ମହଲର ମତ ହେଉଛି ଯେ ରାଜ୍ୟ ସରକାରଙ୍କ ଦୋଷ ଏବଂ ପ୍ରଶାସନିକ ନିଷ୍କ୍ରିୟତା ଏକ କାରଣ ହୋଇପାରେ। କିନ୍ତୁ ଆନ୍ଧ୍ର ସରକାରଙ୍କ ମତିଗତି ବି କିଛି ଠିକ୍ ନାହିଁ। ଆନ୍ଧ୍ର ସରକାରଙ୍କ ବିସ୍ତାରବାଦୀ ନୀତି ପଛରେ ନିର୍ଦିଷ୍ଟ କି ଉଦ୍ଦେଶ୍ୟ ରହିଛି, ରାଜ୍ୟ ସରକାର ତାହାର ପ୍ରଥମେ ଅନୁସନ୍ଧାନ କରିବା ଦରକାର।

ଏହି ମହଲର ମତ ହେଉଛି ଯେ ଓଡ଼ିଶା ସ୍ବାଭିମାନ ଓ ଅସ୍ମିତା ପାଇଁ ବିଧାନସଭାରେ ବାରମ୍ବାର ଲଢ଼େଇ କରିଥିବା ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ଏବେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଅଛନ୍ତି। କୋଟିଆ ପ୍ରସଙ୍ଗ କ’ଣ, ବିବାଦ ପଛର ରହସ୍ୟ ତାଙ୍କ ଠାରୁ ଆଉ କେହି ଭଲ ଭାବେ ଜାଣିନାହାନ୍ତି। ଏଇଥିପାଇଁ ଯେ ସେ ଢେର୍ ସମୟ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ରାଜସ୍ବ ମନ୍ତ୍ରୀ ଥିଲେ, ଆଇନ ବିଭାଗ ଦାୟିତ୍ବରେ ବି। ସେତେବେଳେ ବି ଏହି ପ୍ରସଙ୍ଗ ବେଶ୍ ତାଜା ଥିଲା। ବିଜେଡି-ବିଜେପି ମିଳିତ ଭାବେ ଦୀର୍ଘ ୯ବର୍ଷ ଧରି ଶାସନ କରିଛନ୍ତି ଓ ସେ ସମୟରେ ରାଜସ୍ବ ଏବଂ ଆଇନ ବିଭାଗ ଉଭୟ ବିଜେପି ହାତରେ ଥିଲା। ଏଣୁ ବିଶ୍ବଭୂଷଣଙ୍କ ଭଳି ଅଭିଜ୍ଞ ରାଜନୈତିକ ନେତା ଚୁପ୍ ରହିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା।

ଏହି ମହଲର ଆହୁରି ମତ ପ୍ରକାଶ ପାଉଛି ଯେ କୋଟିଆ ବିବାଦ କୋର୍ଟରେ ସମାଧାନ ହେବା ସମୟସାପେକ୍ଷ। ଓଡ଼ିଶାର ରାଜନୈତିକ କାରଣ ପାଇଁ ଶ୍ରୀ ହରିଚନ୍ଦନ ଉଭୟ ସରକାରଙ୍କୁ ଏକାଠି ବସାଇ ଆଲୋଚନା କରିବାର କ୍ଷମତା ରଖିଛନ୍ତି। ଓଡ଼ିଶାର ସ୍ବାଭିମାନ ତାଙ୍କ ପାଇଁ ବଡ଼ ନା ରାଜ୍ୟପାଳ ପଦବି? ଯଦି ତାଙ୍କ କଥା ରହୁନାହିଁ, ତେବେ ସେ ରାଜ୍ୟ ସ୍ବାର୍ଥ ପାଇଁ ପଦତ୍ୟାଗ କଲେ ବି କମ୍ ହେବ ବୋଲି କୁହାଯାଉଛି।
କେବଳ ସେତିକି ନୁହେଁ, କୋଟିଆ ବିବାଦରେ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ସରକାରଙ୍କର ବି ଏକ ବଡ଼ ଭୂମିକା ରହିଛି। ବୁଦ୍ଧିଜୀବୀ ମହଲର କହିବା କଥା ହେଉଛି ଯେ କୋଟିଆ ପଞ୍ଚାୟତ ଅନ୍ତର୍ଗତ ଫାଟୁସିନେରି ଗାଁରେ ରହୁଥିବା ୪୯ଟି ପରିବାର ଲୋକଙ୍କର ଓଡ଼ିଶା ଭୋଟର ତାଲିକାରେ ନାଁ ଅଛି। ରାଜ୍ୟର ଭତ୍ତା ପାଉଛନ୍ତି ଓ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ବି। ଏହି ଲୋକମାନଙ୍କର ନାମ ଆନ୍ଧ୍ର ଭୋଟର ତାଲିକାରେ ରହିଥିବା କାରଣରୁ ସେମାନେ ସେ ଅଞ୍ଚଳର ସୁବିଧା ପାଉଛନ୍ତି। ଏମିତି ସବୁ ଗାଁରେ ହୋଇଛି।
ବାସ୍ତବରେ ଓଡ଼ିଶା ସରକାର ନିଜ ନିଜ ସ୍ତରରେ ଏହାର ସମାଧାନ କରିପାରିବେ କି? ଦେଶର ଏକାଧିକ ରାଜ୍ୟରେ ଏଭଳି ବିବାଦ ରହିଛି। କାହିଁକି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଚୁପ୍ ବସିଛି?
ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କର କହିବା କଥା ହେଉଛି, ଏକାଧିକ ଭୋଟର କାର୍ଡ ଥିଲେ ଉଚ୍ଛେଦ ନିୟମ ରହିଛି। ହେଲେ ଏ କ୍ଷେତ୍ରରେ ଓଡ଼ିଶାର କୌଣସି ଉପାୟ ନାହିଁ। ଆନ୍ଧ୍ର ନିର୍ବାଚନ କମିସନ ତାଲିକାକୁ ଯାଇ ଏହାକୁ ଯାଞ୍ଚ ବା ବାଦ୍ ଦିଆଯାଇପାରିବ ନାହିଁ। ଯେହେତୁ ଉଭୟ ବିବାଦୀୟ ଅଞ୍ଚଳକୁ ନିଜର ବୋଲି କହୁଛନ୍ତି, ଏଣୁ ଦୁଇଟି ଭୋଟର କାର୍ଡ ରହିଛି। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ହିଁ ଏ କ୍ଷେତ୍ରରେ ସବୁଠାରୁ ଉପଯୁକ୍ତ ଅନୁଷ୍ଠାନ, ଯିଏ ଏହା ଉପରେ ବଡ଼ ନିଷ୍ପତ୍ତି ନେଇପାରିବେ।

ଏବେ ପ୍ରଶ୍ନ ଉଠୁଛି ଯେ କୋଟିଆ ପ୍ରସଙ୍ଗରେ ରାଜ୍ୟ ବିଜେପି ନେତାମାେନ ରାଜ୍ୟ ସରକାରଙ୍କୁ ଆଙ୍ଗୁଠି ଦେଖାଇଉଥିବା ବେଳେ କାହିଁକି ଏ ସଂକ୍ରାନ୍ତରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରୁନାହାନ୍ତି? କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଥାନୀୟ ଅଞ୍ଚଳ ବୁଲି ଦେଖିଛନ୍ତି ଓ ଓଡ଼ିଶାକୁ କିଭଳି ଆନ୍ଧ୍ରପ୍ରଦେଶ ଜବରଦଖଲ କରିବାକୁ ଉଦ୍ୟମ କରୁଛି, େସ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ସବୁ ଦଳ ଏକାଠି ହେବା ପାଇଁ ବି ଶ୍ରୀ ପ୍ରଧାନ ଆହ୍ବାନ ଦେଇଛନ୍ତି। ଏହାକୁ ରାଜ୍ୟ ସରକାର ଗୁରୁତ୍ବର ସହିତ ଗ୍ରହଣ କରିବା ଯେମିତି ଅପରିହାର୍ଯ୍ୟ, ଠିକ୍ ସେମିତି ଶ୍ରୀ ପ୍ରଧାନ କେନ୍ଦ୍ର ସରକାରରେ ଅତ୍ୟନ୍ତ ପ୍ରଭାବୀ ପଦ ଓ କ୍ଷମତା ଉପଭୋଗ କରୁଥିବା କାରଣରୁ ସେ ଚାହିଁଲେ, ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି କାହିଁକି ଆକର୍ଷଣ କରିପାରିବେ। କେବଳ ସେତିକି ନୁହେଁ, ଶ୍ରୀ ପ୍ରଧାନଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିବିଡ଼ତା କାହାକୁ ଅଛପା ନାହିଁ। କିନ୍ତୁ ଶ୍ରୀ ପ୍ରଧାନ ଏହି ପ୍ରସଙ୍ଗରେ ଏଯାଏ ଶ୍ରୀ ଶାହଙ୍କୁ କାହିଁକି ଆପତ୍ତି ଜଣାଉନାହାନ୍ତି?

ସାମାଜିକ ଗଣମାଧ୍ୟମରେ କୋଟିଆ ପ୍ରସଙ୍ଗ ନେଇ ତାତି ମଧ୍ୟ ବଢ଼ିବାରେ ଲାଗିଛି। ଓଡ଼ିଶାର ସାଂସଦମାନେ ଦଳମତ ନିର୍ବିଶେଷରେ ଏ ନେଇ ନୂଆଦିଲ୍ଲୀରେ ତମ୍ବିତୋଫାନ କରିବା ପାଇଁ ମତପ୍ରକାଶ ପାଇଛି। ସଂପ୍ରତି କେନ୍ଦ୍ରରେ ବିଜେପି ସରକାରରେ ଥିବା ବେଳେ ରାଜ୍ୟରେ ଦଳର ୮ଜଣ ସାଂସଦ ଅଛନ୍ତି। ବିଜେଡିର ବି ୧୨ ଜଣ ସାଂସଦ ରହିଛନ୍ତି। ରାଜ୍ୟ ସ୍ବାର୍ଥ କଥା କହି ଉଭୟ ରାଜନୈତିକ ଦଳ ଅନେକ ପ୍ରସଙ୍ଗରେ ଗୋଟିଏ ମତ ରଖିଆସିଛନ୍ତି। ଏପରିକି ବିଜେଡି ସହଯୋଗରେ ବିଜେପି ଗୋଟିଏ ରାଜ୍ୟସଭା ଆସନ ବି ଜିତିଛି। କିନ୍ତୁ ଓଡ଼ିଶା ସ୍ବାର୍ଥରେ କାହିଁକି ସମସ୍ତ ୨୦ ସାଂସଦ ଏକାଠି ହେଉନାହାନ୍ତି? ଯେହେତୁ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ବି ସେ ଅଞ୍ଚଳର, ଏଣୁ ସମସ୍ତ ୨୧ ଜଣ ସାଂସଦଙ୍କ ମତ ଏକ ହେଲେ କୋଟିଆ ପ୍ରସଙ୍ଗରେ କେନ୍ଦ୍ର ଉପରେ ରାଜନୈତିକ ଚାପ ସୃଷ୍ଟି ହେବ।

ଏହାବ୍ୟତୀତ ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ବରୀ ବି ଆନ୍ଧ୍ରପ୍ରଦେଶର। ସେ ମଧ୍ୟ ଏହି ପ୍ରସଙ୍ଗରେ ସାମ୍ନାକୁ ଆସିପାରିବେ। ରାଜନୈତିକ ଦଳମାନେ କାଦୁଅ ଫିଙ୍ଗାଫିଙ୍ଗି ହେବା ପରିବର୍ତ୍ତେ ଏକାଠି ହେବା ଦରକାର ବୋଲି ମତପ୍ରକାଶ ପାଇଲାଣି। ଉଲ୍ଲେଖଥାଉକି, ଆସନ୍ତା ଶୁକ୍ରବାର ମାମଲା ପାଇଁ ଆଜି ରାଜ୍ୟ ସରକାରଙ୍କ ଆଇନ ବିଭାଗ, ଆଇନ ବିଶେଷଜ୍ଞ, କୋରାପୁଟ ଜିଲ୍ଲାପାଳ ଭିଡ଼ିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି। କିଭଳି ପ୍ରଭାବୀ ଢଙ୍ଗରେ ଏହି ମାମଲା ପରିଚାଳନା ହେବ, ସେ ନେଇ ପ୍ରସ୍ତୁତି ହୋଇଛି। ୧୯୬୮ ମସିହା ସମୟରୁ ସମସ୍ତ ନଥିପତ୍ରକୁ ସରକାର ଏକାଠି କରିଛନ୍ତି। ଏଥିରେ ୧୯୩୬ରେ ଭାଷା ଭିତ୍ତିକ ରାଜ୍ୟ ଭାବେ ଗଠନ ହେବା ପରଠୁ ଓଡ଼ିଶା ମାନଚିତ୍ରରେ କୋଟିଆ ଥିବା ପ୍ରମାଣ ବି ରହିଛି।

ସୁପ୍ରିମକୋର୍ଟରେଆନ୍ଧ୍ରର ଜବାବ

ଜୟପୁର: କୋଟିଆ ମାମଲାରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ଆଜି ସୁପ୍ରିମ କୋର୍ଟରେ ଜବାବ ଦାଖଲ କରାଯାଇଛି। ଓଡ଼ିଶା ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାରେ ସୁପ୍ରିମ କୋର୍ଟଙ୍କ ନିର୍ଦେଶ କ୍ରମେ ବିଜୟନଗରମ ଜିଲ୍ଲାପାଳ ମୁଢ଼େ ହରି ଜୱାରଲାଲ ଏସଂପର୍କରେ ସତ୍ୟପାଠ ଦାଖଲ କରିଛନ୍ତି। ଆନ୍ଧ୍ର ପକ୍ଷରୁ ଯୁକ୍ତି କରି ସେ ଦର୍ଶାଇଛନ୍ତି ଯେ ୧୯୫୨ରୁ ଏହି ଗଂଜେଇବାଦରା, ପାଟୁଚିନ୍ନାଉରୁ, ପଗୁଲୁଚିନ୍ନାଉରୁରେ ତିନୋଟି ଗାଁରେ ଆରକୁ ସଂସଦୀୟ କ୍ଷେତ୍ର ଓ ସାଲୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଏପରିକି ୨୦୦୬ ଓ ୨୦୧୩ରେ ଗଂଜେଇବାଦରା, ପାଟୁଚିନ୍ନାଉରୁ, ପଗୁଲୁଚିନ୍ନାଉରୁରେ ପଂଚାୟତ ନିର୍ବାଚନ ହୋଇଥିବା ଏବଂ ଏସମୟରେ ସରପଂଚ ଭାବେ ଜିତିଥିବା ପ୍ରାର୍ଥୀ ମାନଙ୍କ ନାଁ, ଭୋଟର ତାଲିକା, ଭୋଟରଙ୍କ ସଂଖ୍ୟା ଆଦି ବି କୋର୍ଟରେ ଦାଖଲ କରାଯାଇଛି। ସେଭଳି ୨୦୧୪ ଓ ୨୦୧୯ରେ ହୋଇଥିବା ସଂସଦ ଓ ବିଧାନସଭା ନିର୍ବାଚନର ଗ୍ରାମାଂଚଳର ତାଲିକା, ଭୋଟରଙ୍କ ସଂଖ୍ୟା, ଏହି ତିନୋଟି ପଂଚାୟତରେ ପଡ଼ିଥିବା ଭୋଟ ସଂଖ୍ୟାର ତାଲିକା ଆଦିକୁ ବି କୋର୍ଟରେ ଦାଖଲ କରାଯାଇଥିବା ସୂଚନା ମିଳିଛି। ଏହି ସବୁ ପଂଚାୟତ ଅଧୀନରେ ଥିବା ଗାଁ ଗୁଡ଼ିକରେ ଗ୍ରାମବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦିଆଯାଇଥିବା, ପଂଚାୟତ ସଂପାଦକଙ୍କ ଜରିଆରେ ହିତାଧିକାରୀଙ୍କୁ ଦିଆଯାଉଥିବା ବିଭିନ୍ନ ସୁବିଧା ଓ ସୁାଯୋଗ ଦିଆଯାଉଥିବା ଦର୍ଶାଯାଇଛି। ୧୯୬୮ ଏବଂ ୨୦୦୬ରେ ମାନ୍ୟବର ସୁପ୍ରିମକୋର୍ଟ ଏହି ମାମଲାରେ ସ୍ଥିତବସ୍ଥା ଜାରି କରିଥିଲେ। ଉଭୟ ରାଜ୍ୟର ଆପୋସ ବୁଝାମଣା ହୋଇଥିଲା। ଏହି ଅଂଚଳ ଆନ୍ଧ୍ର ଅଧୀନରେ ପୂର୍ବରୁ ଥିଲା ଏବଂ ଏବେ ବି ରହିଛି ବୋଲି ସତ୍ୟପାଠରେ ଜିଲ୍ଲାପାଳ ଉଲ୍ଳେଖ କରିଛନ୍ତି।

ସମ୍ବନ୍ଧିତ ଖବର