ଶ୍ରୀମନ୍ଦିର ଋଷି ପଞ୍ଚମୀ ନୀତି

ପୁରୀ: ଆଜି ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ବ୍ରତ ନୀତି ପାଳିତ ହୋଇଯାଇଛି। ସ୍ବୟଂ ମହାଲକ୍ଷ୍ମୀ ଠାକୁରାଣୀ ଏହି ବ୍ରତ ପାଳନ କରିଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ଆଜି ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁଯାୟୀ, ଋଷି ପଞ୍ଚମୀ ନୀତି ପାଳନ ପୂର୍ବକ ଆଜି ସକାଳ ଧୂପ ସରିବା ପରେ ପୂଜାପଣ୍ଡା ଶ୍ରୀଦେବୀଙ୍କୁ ଆଜ୍ଞାମାଳ ପ୍ରଦାନ କରିଥିଲେ। ପରେ ମହାଜନ ସେବକମାନେ ଶ୍ରୀଦେବୀଙ୍କୁ ସିଂହାସନରେ ବିଜେ କରାଇ ମୁକ୍ତିମଣ୍ଡପ ନିକଟକୁ ନେଇଥିଲେ। ସେଠାରେ ମୁକ୍ତିମଣ୍ଡପ ତଳେ ଥିବା ପାଲିଙ୍କିରେ ଶ୍ରୀଦେବୀଙ୍କୁ ବିଜେ କରାଯାଇଥିଲା। ପରେ ଶ୍ରୀଦେବୀ ଶ୍ରୀମନ୍ଦିରରୁ ବାହାରି ମାର୍କଣ୍ଡ ପୁଷ୍କରିଣୀଠାରେ ଥିବା ମାର୍କଣ୍ଡେୟ ମହାଦେବଙ୍କ ମନ୍ଦିରକୁ ବିଜେ କରିଥିଲେ। ସେଠାରେ ଶ୍ରୀଦେବୀଙ୍କୁ ମାଜଣା କରାଯାଇଥିଲା। ଏହାପରେ ପୂଜାପଣ୍ଡା ମାର୍କଣ୍ଡେୟଙ୍କ ଉପସ୍ଥିତିରେ ସପ୍ତଋଷିଙ୍କୁ ଆବାହନପୂର୍ବକ ବରୁଣ ପୂଜା ଆଦି କରି ନୈବେଦ୍ୟ ସମର୍ପଣ କରିଥିଲେ। ଏଠାରେ ପୂଜାପଣ୍ଡା ବ୍ରତ କଥା ପାଠ କରିଥିଲେ। ଏହାପରେ ଠାକୁରାଣୀଙ୍କୁ ଆଳତି କରାଯାଇଥିଲା। ପୂଜାନୀତି ଶେଷ ପରେ ଠାକୁରାଣୀ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସ୍ତ୍ରୀମାନେ ରଜସ୍ବଳା ସମୟରେ ନିଜର ଅଜ୍ଞାତରେ ଯଦି କିଛି ଦୋଷ କରିଥାନ୍ତି, ସେଥିରୁ ମୁକ୍ତି ପାଇବା ପାଇଁ ସପ୍ତଋଷିଙ୍କୁ ପୂଜାର୍ଚ୍ଚନା କରିବାର ବିଧି ରହିଛି। ଶ୍ରୀଦେବୀ ଏହିଦିନ ତାଙ୍କର ବ୍ରତ ଉପଲକ୍ଷେ ଶ୍ରୀମନ୍ଦିରରୁ ପୂଜାପଣ୍ଡାଙ୍କୁ ଛଞ୍ଚା ଦେଇଥାନ୍ତି। ବର୍ଷକୁ ଥରେ ମା’ଏହି ଦିନ ପୂଜାପଣ୍ଡାଙ୍କୁ ଛଞ୍ଚା ଦେଇଥାନ୍ତି।

ସମ୍ବନ୍ଧିତ ଖବର