ଭୁବନେଶ୍ବର : ରାଜଧାନୀରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ଚିହ୍ନଟ ହେଉଥିବା ଦୈନିକ ସଂକ୍ରମଣର ୪୦ ପ୍ରତିଶତ କେବଳ ଭୁବନେଶ୍ୱରରୁ ଆସୁଛି । ବାରମ୍ବାର ଚେତାଇବା ସତ୍ତ୍ବେ ଲୋକମାନେ ହାଟ ବଜାରରେ ଭିଡ଼ କରୁଥିବାରୁ ଏପରି ହେଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ପାଣିଗ୍ରାହୀ ।
ସେ କହିଛନ୍ତି ଯେ, ପାର୍ବଣ ସମୟରେ ଗହଳି ନ କରିବା ପାଇଁ ଆମେ ଲୋକ ମାନଙ୍କୁ ସଚେତନ କରାଇବା ସତ୍ତ୍ବେ ହାଟ ଓ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଏହା ଦ୍ୱାରା ପୁଣି ଥରେ ସଂକ୍ରମଣ ବଢିବାର ସମ୍ଭାବନା ଦେଖା ଯାଉଛି । ଗତକାଲି ଭୁବନେଶ୍ୱରରେ ସଂକ୍ରମଣ ଉପର ମୁହାଁ ହୋଇଥିବାର ନଜିର ସାମ୍ନାକୁ ଆସିଛି । ମାତ୍ର ଏପରି ସ୍ଥିତିରେ ଲୋକମାନେ ସଚେତନ ହେଉ ନଥିବାରୁ କମିଶନରେଟ ପୋଲିସକୁ କଟକଣା ବଢ଼ାଇବା ପାଇଁ କୁହାଯାଇଛି । କିପରି ଲୋକମାନେ ବାହାରେ ଗହଳି ନ କରିବେ, ଭିଡ଼କୁ ରୋକି ହେବ ସେ ନେଇ ଯୋଜନା ପ୍ରସ୍ତୁତ କରିବାକୁ ଆମେ ନିର୍ଦ୍ଦେଶ ଦେଇଛୁ ।
ଏହା ଛଡ଼ା ଲୋକମାନେ ନିଜେ ସତର୍କ ରୁହନ୍ତୁ ବୋଲି ଆମେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରୁଛୁ । ବାହାରେ ଅଯଥା ଗହଳି କରନ୍ତୁ ନାହିଁ ବୋଲି ସେ କହିଛନ୍ତି ।