ଖାଉଟିଙ୍କୁ ଖାଇବା ତେଲ ଚଡ଼କ, ୬ ମାସରେ ବଢ଼ିଲାଣି ୨ ଗୁଣରୁ ଅଧିକ

କଟକ : ଛଅ ମାସ ତଳେ ସୋରିଶ ତେଲ ଲିଟର ପିଛା ଥିଲା ୮୦/୯୦ ଟଙ୍କା। ଏବେ ଦାମ୍‌ ପହଞ୍ଚିଲାଣି ୧୮୦ ଟଙ୍କା ଉପରେ। ଅନ୍ୟ ଖାଇବା ତେଲର ଦାମ୍‌ ବି ବଢି ଚାଲିଛି ତାଳ ଦେଇ। ବଜାରରେ ଅନ୍ୟ ସାମଗ୍ରୀର ଦରଦାମ ମୋଟାମୋଟି ସ୍ଥିର ରହିଥିବା ବ‌େଳେ ଖାଇବା ତେଲ ଦର ବୃଦ୍ଧି ଖାଉଟିଙ୍କ ମୁଣ୍ଡରେ ଚଡ଼କ ପକାଇଛି। ଆନ୍ତର୍ଜାତିକ ବଜାରରେ ତେଲ ଉତ୍ପାଦନ ପାଇଁ ବ୍ୟବହୃତ କଞ୍ଚାମାଲ ଦାମ ବୃଦ୍ଧି ସାଙ୍ଗକୁ ତେଲ ଉପରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଟିକସ ଏଭଳି ଦର ବୃଦ୍ଧିର କାରଣ ବୋଲି କହିଛନ୍ତି ବ୍ୟବସାୟୀ।

ନଭେମ୍ବର/ଡିସେମ୍ବର ମାସରେ ସୋରିଶ ତେଲ ଦାମ୍‌ ଯାହା ଥିଲା ତାହା ଏବେ ପାଖାପାଖି ଦୁଇ ଗୁଣ ଅଧିକ ରହିଛି। ବିଭିନ୍ନ ବ୍ରାଣ୍ଡ୍‌ର ସନ୍‌ଫ୍ଲାୱାର, ପାମୋଲିନ୍ ତେଲ ଦର ମଧ୍ୟ ବଢ଼ି ଚାଲିଛି। କିନ୍ତୁ ଦୀର୍ଘ ୬ ମାସ ପରେ ଆଜି ବିଭିନ୍ନ କମ୍ପାନି ପକ୍ଷରୁ ପରୋକ୍ଷ ଭାବେ ଲିଟର ପିଛା ତେଲ ଦର ୩/୪ ଟଙ୍କା ହ୍ରାସ ପାଇଥିଲେ ବି ଏହା ଗ୍ରାହକଙ୍କୁ କେଉଁ ବାଟରେ ବି ଆଶ୍ବସ୍ତ କରୁ ନାହିଁ। ୨୦୨୦ ଡିସେମ୍ବର/ଜାନୁଆରି ସମୟରେ ମାଲଗୋଦାମ୍‌ ସମେତ ଓଡ଼ିଶାର ବିଭିନ୍ନ ବଜାରରେ ବିଭିନ୍ନ କମ୍ପାନିର ସୋରିଶ ତେଲର ଦାମ୍‌ ଲିଟର ପିଛା ୯୦/୯୫ଟଙ୍କା ରହିଥିଲା। ରିଫାଇନ୍ ତେଲ(ସନ୍‌ଫ୍ଲାୱାର) ଲିଟର ପିଛା ୧୦୦ ଟଙ୍କା ଓ ପାମୋଲିନ୍‌ ତେଲ ଲିଟର ପିଛା ୯୦ ଟଙ୍କା ମଧ୍ୟରେ ଥିଲା। କେବଳ ସନ୍‌ଡ୍ରପ୍‌ ଅଏଲ୍‌ ଲିଟରକୁ ଶହେ ଟଙ୍କାରୁ ଅଧିକ ରହିଥିଲା। ଚଳିତ ବର୍ଷ ଫେବ୍ରୁଆରି/ମାର୍ଚ୍ଚ ବେଳକୁ ସବୁ ଖାଇବା ତେଲ ଦର ବଢ଼ି ଲିଟର ପିଛା ପାଖାପାଖି ଦୁଇଗୁଣ ହୋଇଗଲା। ସୋରିଷ ତେଲ ଲିଟର ପିଛା ୧୭୦ରୁ ଆରମ୍ଭ କରି ୧୯୦ ଟଙ୍କା ହୋଇଥିବା ବେଳେ ବିଭିନ୍ନ କମ୍ପାନିର ସନ୍‌ଫ୍ଲାୱାର ତେଲ ଲିଟରକୁ ୧୭୦ଟଙ୍କାରୁ ଅଧିକ, ପାମୋଲିନ୍ ତେଲ ଲିଟରକୁ ୧୩୦ ଟଙ୍କାରୁ ଅଧିକ ହୋଇଗଲା।

India.com

ମାଲଗୋଦାମ ଜଗନ୍ନାଥ ଡିଷ୍ଟ୍ରିବ୍ୟୁଟର ପରିଚାଳନା ଦାୟିତ୍ବ ବୁଝୁଥିବା ବସନ୍ତ କୁମାର ସାହୁଙ୍କ କହିବା ଅନୁସାରେ, ଦୀର୍ଘ ମାସ ପରେ ବିଭିନ୍ନ ତେଲ କମ୍ପାନୀ ପରୋକ୍ଷ ଭାବେ ଲିଟର ପିଛା ୩/୪ଟଙ୍କା କମ୍ କରିଛନ୍ତି। ହୋଲ୍‌ସେଲ୍‌ରେ ଇଞ୍ଜିନ କମ୍ପାନି ସୋରିଶ ତେଲ ଲିଟରକୁ ପୂର୍ବରୁ ୧୯୨ଟଙ୍କା ରହିଥିବା ବେଳେ ଆଜି ୧୮୮ ଟଙ୍କା, ଡବଲ ହରିଣ ପୂର୍ବରୁ ୧୮୨ଟଙ୍କା ରହିଥିବା ବେଳେ ଏବେ ୧୮୧ଟଙ୍କା, ସାଲୋନି ସୋରିଶ ତେଲ ପୂର୍ବରୁ ୧୭୨ଟଙ୍କା ଥିବା ବ‌େଳେ ‌ଏବେ ୧୬୮ଟଙ୍କା, ଫ୍ରିଡମ୍‌ ସୋରିଶ ତେଲ ପୂର୍ବରୁ ୧୭୪ ଟଙ୍କା ଥିବା ବ‌େଳେ ଏବେ ୧୭୨ଟଙ୍କା ରହିଛି। କିନ୍ତୁ ହୋଲ୍‌ସେଲ୍‌ରେ ସନ୍‌ଡ୍ରପ୍ ତେଲ ଲିଟରକୁ ପୂର୍ବ ଭଳି ୨୧୫ଟଙ୍କା ରହିଛି। ଫ୍ରିଡମ୍ ଓ ଫର୍ଚ୍ୟୁନ୍ ସନ୍‌ଫ୍ଲାୱାର ତେଲ ଲିଟର ପିଛା ପୂର୍ବରୁ ୧୭୨ ଟଙ୍କା ରହିଥିବା ବ‌େଳେ ଏବେ ତାହା ୧୭୦ଟଙ୍କା ରହିଛି। ରୁଚି କମ୍ପାନିର ପାମୋଲିନ୍‌ ତେଲ ପୂର୍ବରୁ ୧୩୪ଟଙ୍କା ରହିଥିବା ବେଳେ ଏବେ ତାହା ୧୨୯ ଟଙ୍କା ଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି। ତେଲ ଦର ବୃଦ୍ଧିକୁ ନେଇ କଟକ ବଣିକ ସଂଘର ସାଧାରଣ ସଂପାଦକ ପ୍ରଫୁଲ କୁମାର ଛାଟୋଇ କହିଛନ୍ତି, ଖାଇବା ତେଲ ଉତ୍ପାଦନ ପାଇଁ ଅଧିକାଂଶ କଞ୍ଚାମାଲ ବିଦେଶରୁ ଆମଦାନୀ କରାଯାଇଥାଏ। ତେଣୁ ଆନ୍ତର୍ଜାତିକ ବଜାରରେ କଞ୍ଚାମାଲ ଦର ବଢ଼ିଲେ, ଖାଇବା ତେଲ ଦର ବଢ଼େ। ଦ୍ବିତୀୟ କାରଣଟି ହେଲା, ତେଲ ଉପରେ କେନ୍ଦ୍ର ସରକାର ବିଭିନ୍ନ ଟିକସ୍ ଲାଗୁ କରିବାରୁ ଖାଉଟିଙ୍କ ପାଖରେ ପହଞ୍ଚିବା ବ‌େଳକୁ ଦର ବୃଦ୍ଧି ଘଟୁଛି। ସୋରିଶ ଭାରତରେ ଉତ୍ପାଦନ ହେଲେ ମଧ୍ୟ ଅନ୍ୟ ତେଲ ଦାମ ବଢ଼ିଲେ, ସୋରିଶ ତେଲର ଦର ମଧ୍ୟ ବୃଦ୍ଧି ପାଇଥାଏ। କିନ୍ତୁ ତେଲ ବ୍ୟତୀତ ଅନ୍ୟ ଖାଉଟି ସାମଗ୍ରୀ ଦାମ୍‌ ପ୍ରାୟ ସ୍ଥିର ରହିଥିବା ଶ୍ରୀ ଛାଟୋଇ ସୂଚନା ଦେଇଛନ୍ତି। ମାଲଗୋଦାମର ଜଣେ ଖୁଚୁରା ବ୍ୟବସାୟୀଙ୍କ କହିବା ଅନୁସାରେ, ଖୁଚୁରାରେ ଲିଟରକୁ ସୋରିଷ ତେଲ(ଇଞ୍ଜିନ) ୧୯୨ ଟଙ୍କା, ଫ୍ରିଡମ୍ ୧୭୩ଟଙ୍କା, ସାଲୋନି ୧୭୩ ଟଙ୍କା, କିଲୋ ପିଛା ହରଡ଼ ଡାଲି (ରେଗୁଲାର) ୧୦୦ ଟଙ୍କା, ଭଲ ହରଡ ଡାଲି ୧୧୦ ଟଙ୍କା, ମୁଗ ଡାଲି ୯୮ ଟଙ୍କା, ଛଡା ବିରି ୯୪/୯୫ଟଙ୍କା, ବୁଟ ଡାଲି ୭୫ ଟଙ୍କା, ଚିନି ୩୯/୪୦ ଟଙ୍କା, ଉସୁନା ଚାଉଳ ୨୫ରୁ ୩୪ଟଙ୍କା, ଅରୁଆ ଚାଉଳ ୨୬ରୁ ୫୦ଟଙ୍କା, ସୁଜି ୨୮/୨୯ ଟଙ୍କା, ଅମୂଲ୍‌ ୩୫୦ଟଙ୍କା, ଜିରା ୨୦୦ଟଙ୍କା, ଗୋଟା ସୋରିଶ ୮୫ ଟଙ୍କା ଦରରେ ଖାଉଟିଙ୍କୁ ବିକ୍ରି କରାଯାଉଛି।

ସମ୍ବନ୍ଧିତ ଖବର