ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। କିଛି ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା କୋରାପୁଟ ସେମିଳିଗୁଡ଼ାଠାରେ ୧୧.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡ଼ିଠାରେ ୧୨ ଡିଗ୍ରି, ପାରଳାଖେମୁଣ୍ଡି ଓ କିରେଇରେ ୧୨.୫ ଡିଗ୍ରି ରହିଥିଲା। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଧୀରେଧୀରେ ବଢ଼ିବା ସହ ସ୍ବାଭାବିକ ହେବାରେ ଲାଗିଛି। ଆସନ୍ତା ଦୁଇ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ। ୨୦ ଓ ୨୧ ତାରିଖରେ କେତେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ସୂଚନା ମୁତାବକ, ୨୦ ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୧ତାରିଖ ଦିନ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଆଦି ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ବର୍ଷାର ବିସ୍ତୃତି କମ୍ ରହିବ, ଠାଏଠାଏ ବର୍ଷା ହେବ ବୋଲି କେନ୍ଦ୍ର କହିଛି।