ବ୍ୟାସନଗର : ମହାମାରୀ କରୋନା ସାଙ୍ଗକୁ ପାର୍ବଣ ବଜାରରେ ମହଙ୍ଗା ମାଡ଼ ଖାଉଟିଙ୍କ ଉପରେ ପ୍ରଭାବ ପକାଇଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। କରୋନା ସମୟରେ ସାଧାରଣ ଲୋକେ ଜୀବିକା ହରାଇଥିବା ବେଳେ ଅଧିକାଂଶ ଲୋକଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିଲା। ପରିବାର ପ୍ରତିପୋଷଣ ପାଇଁ ଲୋକମାନେ ନାହିଁନଥିବା ହିନସ୍ତା ହେଉଛନ୍ତି। ଏହି ସମୟରେ କେନ୍ଦ୍ର ସରକାରଙ୍କ ଗୋଟିଏ ପରେ ଗୋଟିଏ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ସିଧା ସଳଖ ହାଣ୍ଡିଶାଳରେ ପ୍ରଭାବ ପକାଇଛି। ଦରଦାମ ବୃଦ୍ଧିକୁ ନେଇ ଗୃହିଣୀମାନେ ଚିନ୍ତାରେ ପଡ଼ିଛନ୍ତି।

Advertisment

publive-image IndiaTv

ପେଟ୍ରୋଲ. ଡିଜେଲ ଓ ରନ୍ଧନ ଗ୍ୟାସର ଦର କ୍ରମାଗତ ଭାବେ ବଢ଼ି ଚାଲିଥିବା ବେଳେ ଖାଇବା ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କ ଆଖିରୁ ନିଦ ହଜାଇ ଦେଲାଣି। ଦୁଇବର୍ଷ ମଧ୍ୟରେ ରନ୍ଧନ ଗ୍ୟାସର ମୂଲ୍ୟ ଦୁଇଗୁଣ ବୃଦ୍ଧିପାଇ ହଜାର ଟଙ୍କା ପାଖରେ ପହଞ୍ଚିଲାଣି। ସେହିପରି ଖାଇବା ତେଲ ଦର ମଧ୍ୟ ଦୁଇଗୁଣ ବୃଦ୍ଧି ପାଇ ୨ଶହ ଟଙ୍କା ପାର ହୋଇଗଲାଣି। ବିଭିନ୍ନ ଡାଲିର ଦର ଦେଢ଼ଗୁଣ ବୃଦ୍ଧି ପାଇଥିବା ବେଳେ ପରିବା ବଜାରରେ ମଧ୍ୟ ହାତ ମାରିହେଉନାହିଁ। ପିଆଜ ମଧ୍ୟ ୫୦ ଟଙ୍କା ପାର ହେଇଗଲାଣି। ଏପରିସ୍ଥିତିରେ ୧ ହଜାର ଟଙ୍କାରେ ବ୍ୟାଗ ପୂରୁନି।

ପେଟ୍ରୋଲ, ଡିଜେଲ ଦର ଆଗାମୀ ଦିନରେ ଆହୁରି ମହଙ୍ଗା ହେବ ବୋଲି ହେଉଥିବା ଚର୍ଚ୍ଚା ସାଧାରଣ ଲୋକଙ୍କ ଆଶଙ୍କା ବଢ଼ାଇଦେଇଛି। ତୈଳ ଦରରେ ସରକାର ନିୟନ୍ତ୍ରଣ ଆଣିବାରେ ବିଫଳ ହେଲେ ଖାଦ୍ୟ ସଙ୍କଟ ଲାଗି ରହିବ ବୋଲି ବ୍ୟବସାୟୀମାନେ କହୁଛନ୍ତି। ସେହିପରି କରୋନା କଟକଣା ସମୟରେ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ଲୋକମାନେ ପରିବାର ପ୍ରତିପୋଷଣ ପାଇଁ ସଂଗ୍ରାମ କରୁଛନ୍ତି। ଏପରି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ସାଧାରଣ ଲୋକଙ୍କ ଉପରେ ସିଧା ସଳଖ ପ୍ରଭାବ ପକାଇବ ବୋଲି ମତ ପ୍ରକାଶ ପାଇଛି।