ପୋଲା ଦଣ୍ଡାକାଠ ବଢ଼ାଇଲାଣି ଚିନ୍ତା: ରଥ ନିର୍ମାଣ ବିଳମ୍ବ ଆଶଙ୍କା

୧୦ରୁ ଅଧିକ ପୋଲାଯୋଗୁ କାମରେ ଲାଗିଲାନି, ଦଣ୍ଡାକାଠ ଆସିଲେ ଆଗେଇବ ରଥନିର୍ମାଣ

ପୁରୀ: ଚଳିତବର୍ଷ ରଥ ନିର୍ମାଣ ବିଳମ୍ବ ହେବା ଆଶଙ୍କା ଦେଖାଦେଇଛି। ଅଧିକାଂଶ ଦଣ୍ଡାକାଠ ପୋଲା ପଡ଼ୁଥିବାରୁ ଏଭଳି ଆଶଙ୍କା ଦେଖାଦେଇଛି। ମିଳିଥିବା ସୂଚନା ଅନୁସାରେ, ଗତ କିଛିଦିନ ଧରି ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ବଜ ରଥ ପାଇଁ ଆସିଥିବା କାଠ ପୋଲା ଥିବା ମିଳୁଛି। ତେବେ, ଅଧିକ ପୋଲାକାଠ ନନ୍ଦିଘୋଷ ଓ ଦର୍ପଦଳନ ରଥରୁ ମିଳୁଛି। ସ୍ଥିତି ଏପରି ହୋଇଛି ଯେ ଦଣ୍ଡା ପ୍ରସ୍ତୁତି ପାଇଁ ଆଉ କାଠ ନାହିଁ। ଦଣ୍ଡା ପାଇଁ ଆବଶ୍ୟକ କାଠ ଆସିବାପରେ ଯାଇ ଆବଶ୍ୟକ ଦଣ୍ଡା ପ୍ରସ୍ତୁତି ହେବ। ଏଣୁ ଏହାକୁ ନେଇ ଚିନ୍ତାରେ ତିନି ରଥର ମୁଖ୍ୟ ବିଶ୍ବକର୍ମାମାନେ ପଡ଼ିଛନ୍ତି। ଦଣ୍ଡାକାଠ ହାଣି ସାରିବା ପରେ ଏଭଳି ପୋଲା ବାହାରୁଥିବାରୁ ଅସନ୍ତୋଷ ବି ବ୍ୟକ୍ତ କରିଛନ୍ତି।

ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ବକର୍ମା ବିଜୟ କୁମାର ମହାପାତ୍ର କହିଛନ୍ତି, ଅସନ କାଠରେ ତିନିରଥର ଦଣ୍ଡା ପ୍ରସ୍ତୁତ ହୋଇଥାଏ। ଏଥିପାଇଁ ୪୦ ଫୁଟିଆ ୩୦ଟି ଅସନ କାଠ ଆବଶ୍ୟକ। ପ୍ରତି ରଥ ପାଇଁ ୧୦ଟି ଲେଖାଏଁ ଅସନ କାଠରୁ ଦଣ୍ଡା ପ୍ରସ୍ତୁତ ହୋଇଥାଏ। ଚଳିତବର୍ଷ ଅଧିକ ଦଣ୍ଡାକାଠ ପୋଲାପଡ଼ୁଛି। କାଠ ହାଣି ସାରିବାପରେ ଏହା ପୋଲା ବୋଲି ଜଣାପଡ଼ୁଛି। ଇତିମଧ୍ୟରେ ନନ୍ଦିଘୋଷ ରଥର ୫/୬ଟି ଦଣ୍ଡାକାଠ ପୋଲା ପଡ଼ିଲାଣି। ସେହିଭଳି ଦର୍ପଦଳନ ରଥର ୨/୩ଟି ଦଣ୍ଡାକାଠ ପୋଲା ପଡ଼ିଲାଣି। ବଡ଼ଠାକୁରଙ୍କ ତାଳଧ୍ବଜ ରଥର ବି କିଛି ଦଣ୍ଡାକାଠ ପୋଲାପଡ଼ିଛି। ଯଦ୍ବାରା ରଥ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଛି। ପୁଣି ରଥକାଠ ଆସିବା ପରେ ଯାଇ ଦଣ୍ଡା ନିର୍ମାଣ ହେବ। ଏହାଦ୍ବାରା ରଥ ନିର୍ମାଣ କାର୍ଯ୍ୟ ବିଳମ୍ବ ହେବ। ଯାହା ଆମ ପାଇଁ ଚିନ୍ତାର କାରଣ ପାଲଟିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ତେବେ, ରଥକାଠ ଆସିବା ପୂର୍ବରୁ ଓ ରଥକାଠ କାଟିବା ପୂର୍ବରୁ ବନ ବିଭାଗର ଏକ ଦଳ ଏହା ପୋଲା କି ନାହିଁ ଯାଞ୍ଚ କରିଥାଏ। ଚଳିତବର୍ଷ ଦଣ୍ଡାକାଠ ପ୍ରାୟ ପୋଲା ବାହାରିବା କମିଟିର ଯାଞ୍ଚ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପ କହିଛନ୍ତି, କିଛି ଦଣ୍ଡାକାଠ ପୋଲା ଥିବା ଜଣାପଡ଼ିବାରୁ ନୟାଗଡ଼ ବନଖଣ୍ଡକୁ ଚିଠି କରାଯାଇଛି। ଆବଶ୍ୟକ ଦଣ୍ଡାକାଠ ଯୋଗାଇଦେବାକୁ କୁହାଯାଇଛି। ଦଣ୍ଡା ପାଇଁ ଆବଶ୍ୟକ ଅସନକାଠ ଆସିବା ପର୍ଯ୍ୟନ୍ତ ରଥର ଅନ୍ୟ ଅଂଶ ନିର୍ମାଣ କାର୍ଯ୍ୟ ଚାଲିଥିବ। ଅସନକାଠ ଆସିବା ପରେ ଦଣ୍ଡା ନିର୍ମାଣ ହେବ ବୋଲି ଶ୍ରୀ ମେକାପ କହିଛନ୍ତି। ରଥ ସଂହିତା ଅନୁଯାୟୀ, ତିନିରଥ ନିର୍ମାଣ ପାଇଁ ୪୨୬ ଖଣ୍ଡ ଧଉରା, ୩୬୪ ଖଣ୍ଡ ଅସନ, ୭୨ ଖଣ୍ଡ ଫାଶି ଓ ୩ ଖଣ୍ଡ ଶିମିଳି କାଠ, ଏପରି ‌ମୋଟ୍‌ ୮୬୫ ଖଣ୍ଡ କାଠ ଆବଶ୍ୟକ ଥାଏ। ଗତବର୍ଷ ୫୩ ଖଣ୍ଡ କାଠ ବଳି ପଡ଼ିଥିଲା। ଏଣୁ ଚଳିତବର୍ଷ ରଥଯାତ୍ରା ପାଇଁ ୮୧୨ ଖଣ୍ଡ ରଥ କାଠ ଆବଶ୍ୟକ।

ସମ୍ବନ୍ଧିତ ଖବର