ଆଶ୍ରୟସ୍ଥଳୀରୁ ଘରକୁ ଫେରୁଥିବା ଲୋକଙ୍କ ଉପରେ ସତର୍କ ଦୃଷ୍ଟି
୧୨ ଜିଲ୍ଲାକୁ ଚିଠି ଲେଖିଲେ ସ୍ବାସ୍ଥ୍ୟ ବିଭାଗ ଏସିଏସ୍‌

Advertisment

ଭୁବନେଶ୍ବର : ବାତ୍ୟା 'ୟାସ୍‌' ଚାଲିଯାଇଛି। ବାତ୍ୟା ପରବର୍ତ୍ତୀ ବନ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ଲାଗିପଡ଼ିଛି। ଏବେ ବାତ୍ୟା ଆଶ୍ରୟସ୍ଥଳୀରୁ ଫେରୁଥିବା ଲୋକଙ୍କ ଭିତରେ କୋଭିଡ ସଂକ୍ରମଣ ବ୍ୟାପିବା ଆଶଙ୍କା ଦେଖାଦେଇଛି। ଏ ନେଇ ଚିନ୍ତାରେ ସରକାର। ଏଥିପାଇଁ ଆଶ୍ରୟସ୍ଥଳୀରେ ଘରକୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ଗୁରୁବାର ୧୨ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ ଓ ଖୋର୍ଦ୍ଧା। ବାତ୍ୟା ଯୋଗୁ ପ୍ରଭାବିତ ଜିଲ୍ଲାର ବହୁ ଲୋକ ବାତ୍ୟା ଆଶ୍ରୟସ୍ଥଳୀରେ ଏକାଠି ହୋଇଥିଲେ। ଫଳରେ ସେମାନଙ୍କ ଭିତରେ ଉତ୍ତମ ଦୂରତା ରକ୍ଷା ସମ୍ଭବ ହୋଇନଥିବ। ସେହିପରି ଯେଉଁ ବ୍ୟକ୍ତିମାନେ ବାତ୍ୟା ପୁନରୁଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ସେମାନେ ପ୍ରପୀଡ଼ିତ ଲୋକଙ୍କୁ ସୁରକ୍ଷିତ ସ୍ଥାନ ଓ ସେମାନଙ୍କ ନିଜ ଘରକୁ ନେବା ଆଣିବା କରିବାବେଳେ କୋଭିଡ ନିୟମାନୁଯାୟୀ ଦୂରତା ରକ୍ଷା ହୋଇପାରିନଥିବ। ଏହା ଫଳରେ ସେମାନଙ୍କ ଭିତରେ କୋଭିଡ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି।

ଘରକୁ ଫେରୁଥିବା ଲୋକମାନଙ୍କର ସୁସ୍ଥତା କିମ୍ବା କୋଭିଡ ଲକ୍ଷଣ ନେଇ ସତର୍କ ଦୃଷ୍ଟି ରଖାଯିବ। ଏଣିକି ଘରକୁ ଘର ବୁଲି ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ସେସବୁ ଅଞ୍ଚଳରେ କରୋନା ଯାଞ୍ଚ କରିବେ। ଯଦି କାହାର ସ୍ବାସ୍ଥ୍ୟ ବିଗିଡ଼ିଯାଏ, ତାହେଲେ ତୁରନ୍ତ ସେହି ବ୍ୟକ୍ତିଙ୍କର କୋଭିଡ ପରୀକ୍ଷା ପରେ ସଂକ୍ରମିତ ଚିହ୍ନଟ ହେଲେ ତାଙ୍କୁ ଏକାନ୍ତବାସରେ ରଖି ଚିକିତ୍ସା ଯୋଗାଇବା ପାଇଁ ପ୍ରଶାସନ ବ୍ୟବସ୍ଥା କରିବ ବୋଲି ସେ ଜଣାଇଛନ୍ତି।