ଆଇଆଇସିଙ୍କ ରିଷ୍ଟ ଖଣ୍ଡନ ପୂଜା

ଥାନାକୁ ଗ୍ରହଦଶା!

କଳାବାଡ଼ିଆ : ଅନ୍ଧବିଶ୍ୱାସର ଜାଲରେ ଖାଲି ମୟୂରଭଞ୍ଜର ସରଳ ଆଦିବାସୀ ନୁହନ୍ତି, ଥାନା ଅଧିକାରୀ ବି ପଡ଼ିଯାଇଛନ୍ତି। ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଅଘଟଣ। ବିବାଦୀୟ ପରିସ୍ଥିତିରେ ଜଣେ ପରେ ଜଣେ ଥାନା ଅଧିକାରୀଙ୍କ ବଦଳି; ପୁଣି ଏବେ ନୂଆ ଥାନା ଆଇଆଇସି ମିନତି ବିଶ୍ୱାଳଙ୍କ ଯୋଗଦାନ ପରେପରେ ହିଁ ବଜାର ଉପରେ ଅପରାଧ ଘଟିଛି। ବ୍ଲକ ଅଧ୍ୟକ୍ଷଙ୍କୁ ମାଡ଼ ହେଲା ତ ପୁଣି ଥାନା ସାମନା ଦୋକାନରୁ ଚୋରି; ନାବାଳିକାକୁ ଗଣଦୁଷ୍କର୍ମ। ଏମିତି ଅଘଟଣର କାରଣ ଯାହା ଥାଉନା କାହିଁକି; ଏହାପଛରେ କୌଣସି ଦୁଷ୍ଟଶକ୍ତିର ହାତ ରହିଛି ବୋଲି ପୁଲିସର (ଅନ୍ଧ) ବିଶ୍ୱାସ। ଏଣୁ ଏଥିପାଇଁ ଆଜି ନିଜେ ଥାନା ଅଧିକାରୀ ବିଶ୍ୱାଳ ପଣ୍ଡିତ ଡକାଇ ରିଷ୍ଟ ଖଣ୍ଡନ କରିଛନ୍ତି ନିଜ କାର୍ଯ୍ୟାଳୟରେ, ଆଉ ନିଜେ ଯୋଡ଼ହସ୍ତ ହୋଇ ସତ୍ୟନାରାୟଣ ପୂଜା ସଂକଳ୍ପରେ ବସିଯାଇଛନ୍ତି। ମହିଳା ଥାନା ଆଇଆଇସିଙ୍କ ଏଭଳି ଭୂମିକା ଆଜି ଦିନତମାମ ଏ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ପୂର୍ବରୁ ଏଠାରେ ଆଇଆଇସି ଥିବା ଗୋବିନ୍ଦଚନ୍ଦ୍ର ବେହେରାଙ୍କର ସ୍ୱଳ୍ପ କାଳ ମଧ୍ୟରେ ବେତନଟୀ ବ୍ଲକକୁ ବଦଳି ହୋଇଛି। ସେହିପରି ଗୋବିନ୍ଦଚନ୍ଦ୍ରଙ୍କ ପୂର୍ବରୁ ବାଙ୍ଗିରିପୋଷିରେ ଥିବା ଥାନା ଅଧିକାରୀ ଛତିଶଚନ୍ଦ୍ର ରାୟଙ୍କର ବଦଳି ମଧ୍ୟ ବିବାଦୀୟ ପରିସ୍ଥିତିରେ ହୋଇଥିଲା। ଗୋବିନ୍ଦଚନ୍ଦ୍ରଙ୍କ ସ୍ଥାନରେ ବେତନଟୀ ଥାନା ଆଇଆଇସି ମିନତି ବିଶ୍ୱାଳ ବାଙ୍ଗିରିପୋଷି ଥାନା ଅଧିକାରୀ ଭାବେ ଯୋଗଦେଇଛନ୍ତି। ଏହା ପରେପରେ ହିଁ ଅଧ୍ୟକ୍ଷଙ୍କୁ ମାଡ଼, ନାବାଳିକାକୁ ଗଣଦୁଷ୍କର୍ମ ଘଟିଛି। ଏଣୁ ଏହି ପୂଜାର ଆୟୋଜନ। ଏଥିରେ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏ ସଂପର୍କରେ ଆଇଆଇସି ଶ୍ରୀମତୀ ବିଶ୍ୱାଳଙ୍କୁ ପଚାରିବାରୁ ଏହା ଥାନାରେ ଏକ ଚିରାଚରିତ ପୂଜା ବୋଲି କହିଥିଲେ।

ସମ୍ବନ୍ଧିତ ଖବର