ରାଉରକେଲା: କଲୁଙ୍ଗାସ୍ଥ ରାଉରକେଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆର୍‌ଆଇଟି) ଅଧୀନରେ ଗତ ୩୦ ବର୍ଷ ଧରି ଥିବା ପ୍ରାୟ ୬ ଏକର ଜାଗା ଉଚ୍ଛେଦକୁ ଆଜି ମ୍ୟାନେଜମେଣ୍ଟ ପକ୍ଷରୁ କଡା ବିରୋଧ କରାଯାଇଛି। ବିନା ନୋଟିସ୍‌ରେ ତରବରିଆ ଭାବେ ଇଡ୍‌କୋର ଏଭଳି ପଦକ୍ଷେପକୁ ଆର୍‌ଆଇଟି ନୂତନ ପରିଚାଳନା କମିଟିର ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, କାର୍ଯ୍ୟକାରୀ ଅଧ୍ୟକ୍ଷା ରଶ୍ମିତା ଟେଟେ ଓ ଅନ୍ୟମାନେ ବିରୋଧ କରିଛନ୍ତି। ଭଙ୍ଗାଯାଇଥିବା ଗେଟ୍‌, କ୍ୟାଣ୍ଟିନ୍‌ ଓ ସାଇକେଲ୍‌ ଷ୍ଟାଣ୍ଡର କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି। ସେପଟେ ଉଚ୍ଛେଦବେଳେ ଉତ୍ତେଜନା ଉପୁଜିବାରୁ ଇଡ଼୍‌କୋ କର୍ତ୍ତୃପକ୍ଷ ଆର୍‌ଆଇଟି ମ୍ୟାନେଜମେଣ୍ଟକୁ ୩ ଦିନ ସମୟ ଦେଇଥିବା ଜଣାପଡିଛି। ବିବାଦୀୟ ଜାଗା ସଂକ୍ରାନ୍ତରେ ସ୍ଥାନୀୟ ଇଡ୍‌କୋ ଅଧିକାରୀ ବିଜୟ କୁମାର ମହାନ୍ତିଙ୍କୁ ବାରମ୍ବାର ଯୋଗା‌ଯୋଗ କରାଯାଇଥିଲେ ହେଁ ସେ ‌ଫୋନ ଉଠାଇ ନଥିଲେ। ଜବରଦଖଲ ଦଖଲରେ ଥିବା ଏହି ଜାଗାକୁ ଶିକ୍ଷାନୁଷ୍ଠାନକୁ ଦିଆ ନଯାଇ ବ୍ୟବସାୟୀଙ୍କୁ ଟେକି ଦିଆଯିବାକୁ ଯେଉଁ ଚକ୍ରାନ୍ତ ଚାଲିଛି ତାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି।

Advertisment

ଉଲ୍ଲେଖଯୋଗ୍ୟ, କଲୁଙ୍ଗାରେ ପ୍ରାୟ ୫ ଏକର ଜାଗାରେ ଆର୍‌ଆଇଟି ସ୍ଥାପନ ହୋଇଛି। ପାର୍ଶ୍ବକୁ ଲାଗି ରହିଥିବା ପ୍ରାୟ ୬ ଏକର ଜାଗାକୁ ଆର୍‌ଆଇଟି ବେଆଇନ ଭା‌ବେ ପ୍ରାୟ ୩୦ ବର୍ଷ ଧରି ନିଜ ଦଖଲରେ ରଖିଥିଲା। ଜାଗାକୁ ଖାଲି କରିବାକୁ ଇଡ୍‌କୋ ଆର୍‌ଆଇଟି କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରିଥିଲେ। ଇଡ୍‌କୋ ଏଭଳି ପଦକ୍ଷେପ ବିରୋଧରେ ଆଇଆଇଟି କର୍ତ୍ତୃପକ୍ଷ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟ ମାମଲାର ଶୁଣାଣୀ କରି ଗତ ପ୍ରାୟ ୭ ମାସ ତଳେ ସ୍ଥାନୀୟ ଇଡ୍‌କୋ ଡିଭିଜନ କାର୍ଯ୍ୟାଳୟରେ ଆବେଦନ କରିବାକୁ ଆର୍‌ଆଇଟି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆର୍‌ଆଇଟି କର୍ତ୍ତୃପକ୍ଷ ଏ ଦିଗରେ ସେମିତି କୌଣସି ପଦକ୍ଷେପ ନେଇ ନଥିବାରୁ ଇଡ୍‌କୋ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

ଉଲ୍ଲେଖନୀୟ ଯେ ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟର ତୃତୀୟ ବୈଷୟିକ ଡିପ୍ଲୋମା କଲେଜ ଭାବେ ୧୯୮୪ରେ କଲୁଙ୍ଗାରେ ଆର୍‌ଆଇଟି ପ୍ରତିଷ୍ଠା ହୋଇଥିଲା। ପ୍ରା‌ୟ ୫ ଏକର ପରିମିତ ଜାଗାରେ ଆର୍‌ଆଇଟି ଚାଲୁଛି। ପ୍ରଥମେ ଡିପ୍ଲୋମାର ତିନିଟି ବିଭାଗ ସିଭିଲ, ଇଲେକ୍ଟ୍ରିକାଲ, ମେକାନିକାଲ୍‌‌ ଖୋଲାଯାଇଥିଲା। ଚାହିଦା ବଢ଼ିବାରୁ ପରବର୍ତ୍ତୀ ସମୟରେ ଆଉ ତିନିଟି ବିଭାଗ କମ୍ପୁଟର, ମେଟ୍ରୋଲୋଜି, ଇଲେକ୍ଟ୍ରୋନିକ୍ସ ଖୋଲିଲା। ୨୦୦୦ରେ ଏମ୍‌ସିଏ ଓ ଏମ୍‌ବି ଖୋଲିଥିଲା। ପାଖାପାଖି ୨୦୧୦ ବେଳକୁ ଆଇଟିଆଇ ଓ ପରେ ଆବାସିକ ଯୁକ୍ତ ଦୁଇ କଲେଜ ମଧ୍ୟ ଖୋଲିଲା। ସେତେବେଳେ ଏହାର ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୨୦୦ରୁ ଅଧିକ ଥିଲା। ଶିକ୍ଷକ ଓ କର୍ମଚାରୀଙ୍କ ସଂଖ୍ୟା ଥିଲା ୧୫୦ରୁ ଅଧିକ। ସେମାନଙ୍କ ଦରମା ବାବଦରେ ମାସିକ ପ୍ରାୟ ୨୫- ୨୬ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା। କ୍ୟାମ୍ପସ ସିଲେକ୍ସନ ପାଇଁ ଏଠାକୁ ବହୁ ପ୍ରତିଷ୍ଠିତ କମ୍ପାନୀ ଆସୁଥିଲେ ଓ ପ୍ରତିବର୍ଷ ବହୁ ଛାତ୍ରଛାତ୍ରୀ ନିଯୁକ୍ତି ପାଉଥିଲେ। ତେବେ ଗତ ୨୦୧୬ରୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇବା ତଥା ପରିଚାଳନାଗତ ତ୍ରୁଟି ଯୋଗୁଁ କଲେଜର ସ୍ଥିତି ବିଗିଡିବାକୁ ଲାଗିଲା। ନିକଟରେ ନିଖିଳ ଭାରତ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ୨୦୨୨-୨୩ ଶିକ୍ଷା ବର୍ଷରେ ଡିପ୍ଲୋମା, ଏମ୍‌ସିଏ , ଏମ୍‌ବିଏ ଓ ଅନ୍ୟାନ୍ୟ ପାଠ୍ୟକ୍ରମରେ ନାମ ଲେଖାକୁ ଅନୁମତି ଦେଇଛନ୍ତି।