ରୀତା ସାହୁଙ୍କ ମିଥ୍ୟା ସତ୍ୟପାଠ!

ସମ୍ବଲପୁର: ବିଜେପୁର ବିଧାନସଭାର ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ନାମରେ ଆସିଛି ମିଥ୍ୟା ସତ୍ୟପାଠ ଅଭିଯୋଗ। ଭୁବନେଶ୍ୱର ବଡ଼ଗଡ଼ ବ୍ରିଟ୍‌ କଲୋନିସ୍ଥିତ ସଚେତନ ନାଗରିକ ମଂଚ ପକ୍ଷରୁ ମଂଗଳବାର ରାଜ୍ୟର ମୁଖ୍ୟ ନିବାର୍ଚନ ଅଧିକାରୀଙ୍କଠାରେ ଲିଖିତ ଅଭିଯୋଗ କରାଯାଇଛି। ନାମାଙ୍କନପତ୍ର ଦାଖଲ ସମୟରେ ରୀତା ସାହୁ ତାଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ବୋଲି ସତ୍ୟପାଠ ଦାଖଲ କରିଛନ୍ତି। ୧୯୮୬ ମସିହାରେ ଝାରସୁଗୁଡ଼ା ପୁରୁଣାବସ୍ତି ଏମ୍‌ପିଏଲ୍‌ ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିଥିବା ରୀତା ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ମାତ୍ର ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ପୁରୁଣାବସ୍ତି ଏମ୍‌ପିଏଲ୍‌ ହାଇସ୍କୁଲରୁ ୧୯୮୬ ମସିହା ବାର୍ଷିକ ପରୀକ୍ଷାରେ ୪୮ ଜଣ ଏବଂ ସପ୍ଲିମେଣ୍ଟାରି ପରୀକ୍ଷାରେ ୨ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଏହି ବର୍ଷ ପାସ୍‌ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରୀତା ସାହୁ ନାମ୍ନୀ କୌଣସି ଛାତ୍ରୀ ପରୀକ୍ଷାରେ ପାସ୍‌ କରି ନାହାନ୍ତି। ତେଣୁ ରୀତାଙ୍କ ସତ୍ୟପାଠ ସଂପୂର୍ଣ୍ଣ ଅସତ୍ୟ ବୋଲି ସଚେତନ ନାଗରିକ ମଂଚର ମହାସଚିବ ବହ୍ଲବ ଚରଣ ସାହୁ ଅଭିଯୋଗ ଆଣିଛନ୍ତି। ଆଇନ ଅନୁଯାୟୀ ଏହାର ତଦନ୍ତ କରିବା ସହିତ ରୀତାଙ୍କ ପ୍ରାର୍ଥୀପତ୍ର ନାକଚ କରିବା ଏବଂ ତାଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଦମା ରୁଜୁ କରିବାକୁ ଶ୍ରୀ ସାହୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ଲିଖିତ ଭାବେ ଅନୁରୋଧ କରିଛନ୍ତି। ଏଥି ସହିତ ଆବଶ୍ୟକ ପଦକ୍ଷେପ ନିମନ୍ତେ ବରଗଡ଼ ଜିଲ୍ଲାପାଳ, ପଦ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ନିଂ ଅଫିସର ଏବଂ ନୂଆଦିଲ୍ଲୀସ୍ଥିତ ମୁଖ୍ୟ ନିର୍ବାଚନ କମିସନରଙ୍କ ପାଖକୁ ଡାକ ଯୋଗେ ଏହି ଅଭିଯୋଗପତ୍ର ପ୍ରେରଣ କରିଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବିଜେପୁର ବିଧାୟକ ତଥା ରୀତା ସାହୁଙ୍କ ସ୍ୱାମୀ ସୁବଳ ସାହୁଙ୍କ ଅକାଳ ବିୟୋଗ ଯୋଗୁଁ ଏବେ ବିଜେପୁର ବିଧାନସଭା ଆସନରେ ଉପନିର୍ବାଚନ ହେଉଛି। ସୁବଳ ସାହୁ କଂଗ୍ରେସ ଟିକଟରେ ବିଜେପୁର ବିଧାନସଭାରେ ୩ ଥର ନିର୍ବାଚିତ ହୋଇଥିବା ବେଳେ ରୀତା ଏବେ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ଅନ୍ୟ ପକ୍ଷରେ ରୀତା ସାହୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ମାଟ୍ରିକ୍‌ ପାସ୍‌ କରିଛନ୍ତି ଏବଂ ତାଙ୍କ ପାଖରେ ବୋର୍ଡ ପ୍ରଦତ୍ତ ସାର୍ଟିଫିକେଟ୍‌ ଥିବା ସେ ପ୍ରତିକ୍ରିୟାରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର