ବରଗଡ଼: ପଞ୍ଚାୟତ ନିର୍ବାଚନରେ ସାରା ଓଡ଼ିଶାରେ ବିଜେଡି ବିଜୟ ବାନା ଉଡ଼ାଇଛି। କିନ୍ତୁ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ନୂତନ ଚିତ୍ର ଦେଖିବାକୁ ମିଳିଛି । ୨୦୧୯ର ଶେଷ ଉପନିର୍ବାଚନରେ ଏଠାରେ ବିଜେଡି ରେକର୍ଡ ସଂଖ୍ୟକ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ପଞ୍ଚାୟତ ନିର୍ବାଚନରେ ଏହା ପ୍ରାୟ ଅଧାକୁ ଖସି ଆସିଛି। ଉଲ୍ଳେଖଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କୁ ୧,୩୫,୯୫୭ ଭୋଟ ମିଳିଥିଲା। ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ସନତ ଗଡତିଆ ମାତ୍ର ୩୭,୯୬୭ ଭୋଟ୍‌ ପାଇଥିଲେ।

Advertisment

ସାରା ରାଜ୍ୟରେ ରେକର୍ଡ ସୃଷ୍ଟି ରୀତା ସାହୁ ୯୭,୯୯୦ ଭୋଟରେ ବିଜୟ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ର ୫,୮୭୩ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ତେବେ ପଚାଂୟତ ନିର୍ବାଚନରେ ଏହି ବିଧାନସଭା ଅଧିନରେ ଥିବା ସାତଟି ଜୋନରୁ ବିଜେପି  ୩ଟିରେ ବିଜୟ ଲାଭ କରି ଭୋଟ୍‌ ସଂଖ୍ୟାକୁ ମଧ୍ୟ ବିଜେଡିର ସମାନ ସ୍ତରକୁ ଆଣିବାରେ ସଫଳ ହୋଇଛି। ଅନ୍ୟପକ୍ଷରେ କଂଗ୍ରେସ ବିଧାନସଭା ଠାରୁ ଚାରି ଗୁଣ ଅଧିକା ଭୋଟ ପାଇ ୨୦ ହଜାର ପାଖକୁ ଛୁଇଁଛି। ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର ଜୋନ-୧ରେ ବିଜେଡି ୧୧୧୩୦, ବିଜେପି ୧୦୫୭୧ ଓ କଂଗ୍ରେସ ୮୮୭, ଜୋନ-୨ରେ ବିଜେଡି ୬୫୭, ବିଜେପି ୭୯୬୧ ଓ କଂଗ୍ରେସ ୧୩୮୬, ଜୋନ-୩ରେ ବିଜେଡି ୧୧୩୪୧, ବିଜେପି ୭୮୮୧ ଓ କଂଗ୍ରେସ ୩୪୨୬, ଗାଇସିଲେଟ ଜୋନ-୧ରେ ବିଜେଡି ୧୨୯୬୯, ବିଜେପି ୧୧୮୫୧ ଓ କଂଗ୍ରେସ ୩୩୧୨, ଜୋନ-୨ରେ ବିଜେଡି ୧୦୦୯୩ , ବିଜେପି ୧୧୮୮୪ ଓ କଂଗ୍ରେସ ୬୫୩୯  ଏବଂ ବରପାଲି ଜୋନ-୨ରେ ବିଜେଡି ୧୧୪୨୩, ବିଜେପି ୮୭୦୬ ଓ କଂଗ୍ରେସ ୨୨୯୪, ଜୋନ-୩ରେ ବିଜେଡି ୭୭୪୧, ବିଜେପି ୯୫୫୨ ଓ କଂଗ୍ରେସ ୨୫୯୧ ଭୋଟ ପାଇଥିଲା।

ଏହି ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ ଚଳିତ ନିର୍ବାଚନରେ ବିଜେପି ମଧ୍ୟ ୭୦ ହଜାରରୁ ଅଧିକ ଭୋଟ ପାଇଛି।  ତେବେ ବରପାଲି ଜୋନ-୩ର ବରମକେଲା ପଚାଂୟତ ବରଗଡ଼ ବିଧାନସଭା ଅଧିନରେ ଆସୁଛି। ଏବଂ ଏହି ପଚାଂୟତରେ ମଧ୍ୟ ବିଜେପି ଓ ବିଜେଡି ଏକ ହଜାର ଅଧିକ ଭୋଟ ପାଇଛି । ତେଣୁ ସାମଗ୍ରିକ ଭାବରେ ଏହି ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ବିଜେପି ଭୋଟ ବ୍ୟାଙ୍କ ଏହି ନିର୍ବାଚନ ମଣ୍ଡଳୀରେ ଦ୍ୱିଗୁଣିତ ହୋଇଥିବା ବେଳେ ବିଜେଡି ଭୋଟ ବ୍ୟାଙ୍କ ଅଧାକୁ ଖସି ଆସିଛି। ଯାହା ସ୍ଥାନୀୟ ବିଧାୟିକା ରୀତା ସାହୁଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବ ବୋଲି ସମୀକ୍ଷକ କହୁଛନ୍ତି। ବିଜେପୁରରେ ବିଧାୟିକାଙ୍କ ନିଜସ୍ବ ସଂଗଠନ ମଜଭୁତ ନଥିଲା। ବିଜେଡି ସ୍ରୋତରେ ଯେତିକି କର୍ମୀ ସକ୍ରିୟ ଥିଲେ, ସେମାନେ ହିଁ ସାହା ଭରସା। ଅନ୍ୟପକ୍ଷରେ ପୁରୁଣା ଏବଂ ନବାଗତ କର୍ମୀଙ୍କ ମଧ୍ୟରେ ବିଧାୟିକା ସମନ୍ବୟର ସେତୁ ବାନ୍ଧିବାରେ ଫେଲ୍‌ ମାରିଲେ ବୋଲି ଚର୍ଚ୍ଚା ହେଉଛି। ତେଣୁ ବିଜେଡି ପାଇଁ ବିଜେପୁର ଏକ ଚିନ୍ତାର କାରଣ ପାଲଟିବା ସ୍ବାଭାବିକ।