ବିଜେପୁର ବିଧାନସଭା ଉପନିର୍ବାଚନରେ ରୀତା ସାହୁଙ୍କ ବିପୁଳ ବିଜୟ: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଗୁରୁବାର ଅପରାହ୍ଣରେ ଶେଷ ହୋଇଥିବା ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଜେପୁର ବିଧାନସଭା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ବିପୁଳ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୀତା ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୁଣିଥରେ ବିଜେପୁରକୁ  ନିଜ ଦଖଲରେ ରଖିଛି ବିଜୁ ଜନତା ଦଳ । ଆଉ ଏହାସହ ବିଗତ ଦେଢ ବର୍ଷ ମଧ୍ୟରେ ଏହି ଆସନରେ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି ବିଜେଡି । ରେକର୍ଡ ୯୭,୯୯୦ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାଜିତ କରି ପୁଣି ଥରେ ବିଜେପୁରରେ ସବୁଜ ବାନା ଉଡାଇଛନ୍ତି ରୀତା ।

ରାଜ୍ୟ ନିର୍ବାଚନ କମିସନ ୱେବ୍‌ସାଇଟ୍‌ ସୂଚନା ଅନୁସାରେ, ବିଜେଡି ପ୍ରାର୍ଥିନୀ ରୀତା ସାହୁ ୧,୩୫,୯୫୭ ଖଣ୍ଡ ଭୋଟ୍‌ ପାଇ ଏହି ନିର୍ବାଚନରେ ବିଜୟିନୀ ହୋଇଛନ୍ତି। ଏଥିରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ବା ୩୭,୯୬୭ ଖଣ୍ଡ ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତୃତୀୟ ସ୍ଥାନରେ ଅଛନ୍ତି କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା। ସେ ୫,୮୭୩ ଖଣ୍ଡ ଭୋଟ୍‌ ପାଇଛନ୍ତି।

ଏହା ସହ ରୀତା ସାହୁ  ଆଉ ଏକ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି । ଚଳିତ ବିଧାନସଭାର ନିର୍ବାଚିତ ବିଧାୟକଙ୍କ ମଧ୍ୟରେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ରୀତା। ଏହାପୂର୍ବରୁ ଗତ ବିଧାନସଭା ନିର୍ବାଚନରେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଖଣ୍ଡପଡାରେ ୮୧,୪୩୦ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାତ୍ ଦେଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ସବୁଠୁ ବଡ କଥା ହେଲା, ୨୦୧୮ ଉପନିର୍ବାଚନ ତୁଳନାରେ ଢେର ଅଧିକ ଭୋଟ ହାତେଇଛନ୍ତି ରୀତା।

ସମ୍ବନ୍ଧିତ ଖବର