ଭୁବନେଶ୍ୱର: ଦକ୍ଷତା ବିକାଶ ପ୍ରଶିକ୍ଷଣରେ ଆକର୍ଷଣୀୟ ଯୋଜନା ଲୋଭ ଦେଖାଇ ୧୫ଟି ଏନ୍ଜିଓଙ୍କଠାରୁ ୬୨ ଲକ୍ଷ ୧୨ ହଜାର ୩୧୧ ଟଙ୍କା ଠକି ନେଇଥିବା ଅଭିେଯାଗରେ ରୁଧିତାପ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜ୍ମେଣ୍ଟ(ଆରଆଇଟିଏମ୍)ର ପରିଚାଳନା ନିର୍ଦ୍ଦେଶକ ସୁଧୀର ସାହୁଙ୍କୁ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଳ୍ୟୁ) ଗିରଫ କରିଛି। ତାଙ୍କ ଘର ଜଗତ୍ସିଂହପୁର କୁଜଙ୍ଗ ଥାନା ଅଧୀନ ବାଗୋଇରେ। ତାଙ୍କୁ ଆଜି ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯିବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏହି ଠକେଇର ପରିମାଣ କୋଟିଏ ଟଙ୍କାରୁ ଊର୍ଧ୍ବ ହେବ ବୋଲି ତଦନ୍ତ ବେଳେ ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି।
ସ୍ବାସ୍ଥ୍ୟ, ପରିମଳ ଓ ଦକ୍ଷତା ବିକାଶ ଦିଗରେ ଏନ୍ଜିଓଗୁଡ଼ିକ ରାଜ୍ୟର ବିଭିନ୍ନ ସ୍ଥାନରେ କାମ କରୁଛନ୍ତି। ବିଭିନ୍ନ ଅନୁଷ୍ଠାନ ଜରିଆରେ ଗରିବ ପିଲାମାନଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ, ସ୍ବାସ୍ଥ୍ୟସେବା ପ୍ରଦାନ ସହ ଶିବିର ଆୟୋଜନ, ପରିମଳ ବ୍ୟବସ୍ଥାରେ ଉନ୍ନତି ପାଇଁ ଏହି ଏନ୍ଜିଓମାନେ ବ୍ୟବସ୍ଥା କରିଛନ୍ତି। ଏଭଳି ଏକ ଏନ୍ଜିଓ ହରିଜନ ଆଦିବାସୀ ମହିଳା ସମିତି ନୟାଗଡ଼ ଜିଲ୍ଲାରେ କାମ କରୁଛି। ଏହି ଏନ୍ଜିଓର ସମ୍ପାଦକ ବିଜୟ କୁମାର ମହାପାତ୍ରଙ୍କ ଅଭିଯୋଗକ୍ରମେ ଅଭିଯୁକ୍ତକୁ ଗିରଫ କରାଯାଇଛି।
ଅଭିଯୋଗ ମୁତାବକ, ଆରଆଇଟିଏମ୍ ପଳାସୁଣୀ ସପ୍ତସତୀ ବିହାରରେ ଏକ ଭଡ଼ା ଘରେ ଅଫିସ୍ ଆରମ୍ଭ କରିଥିଲା। ଭାରତ ସରକାରଙ୍କ ଅଧୀନରେ ପରିଚାଳିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନ୍ଫର୍ମେସନ ଟେକ୍ନୋଲୋଜି, ଖଦି ଭିଲେଜ୍ ଇଣ୍ଡଷ୍ଟ୍ରିଜ୍ କମିସନରୁ ସଂସ୍ଥାକୁ ଫ୍ରାଞ୍ଚାଇଜ୍ ମିଳିଛି ବୋଲି ମିଛ ଘୋଷଣା କରିଥିଲା। ପିଲାମାନଙ୍କୁ ପ୍ରଶିକ୍ଷଣ ଦେବାକୁ ହେଲେ ପ୍ରଥମେ ପ୍ରଶିକ୍ଷକଙ୍କ ଦରମା ବାବଦକୁ ଛାତ୍ରଛାତ୍ରୀଙ୍କ ମୁଣ୍ଡ ପିଛା ଟ୍ରେନିଂ ଫି’ଜମା କରିବାକୁ ପଡ଼ିବ। ପ୍ରଶିକ୍ଷଣ ସରିବା ପରେ ଆରଆଇଟିଏମ୍ ଜମା ଅର୍ଥର ୬ ଗୁଣ ପ୍ରଦାନ କରିବ। ସଂସ୍ଥାର ସିଏସ୍ଆର ଯୋଜନା ଅଧୀନରେ ଏହି ବ୍ୟବସ୍ଥା ରହିଛି ବୋଲି ସଂସ୍ଥା ଘୋଷଣା କରିଥିଲା। ତେବେ ସଂସ୍ଥା ସମ୍ପର୍କରେ ଅନୁସନ୍ଧାନ ନ କରି ଏକାଧିକ ଏନ୍ଜିଓ ପ୍ରଲୋଭିତ ହୋଇ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ ଦେବା ପାଇଁ ଏଠାରେ ନାମ ଲେଖାଇଥିଲେ। ଏଥିପାଇଁ ଟ୍ରେନିଂ ଫି’ ଜମା କରିଥିଲେ। ପ୍ରଶିକ୍ଷଣ ସରିଥିଲେ ମଧ୍ୟ ସଂସ୍ଥା ୬ ଗୁଣ ଅର୍ଥ ପ୍ରଦାନ କରିନଥିଲା। ଏନେଇ ହରିଜନ ଆଦିବାସୀ ମହିଳା ସମିତି ସମ୍ପାଦକ ଶ୍ରୀ ମହାପାତ୍ର ଗତ ଏପ୍ରିଲ ମାସରେ କ୍ରାଇମ୍ବ୍ରାଞ୍ଚର ଦ୍ବାରସ୍ଥ ହୋଇଥିଲେ। ଇଓଡବ୍ଲ୍ୟୁରେ ଏ ନେଇ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ଏକାଧିକ ଏନ୍ଜିଓଙ୍କୁ ସେ ଠକିଥିବା ଜଣାପଡ଼ିଥିଲା।