ନଦୀ ଗର୍ଭରେ ଲୀନ ହେବାକୁ ବସିଛି କେନ୍ଦ୍ରାପଡା ଜିଲ୍ଲାର ୧୨ଟି ଗାଁ !

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ୧୨ଟି ଗାଁ ନଦୀ ଗର୍ଭରେ ଲୀନ ହେବାକୁ ବସିଛି । ବ୍ରାହ୍ମଣୀ-ପାଟଶାଳା ଓ ହଂସୁଆ ନଦୀର ସଙ୍ଗମ ସ୍ଥଳରେ ନଦୀର ସ୍ରୋତ ପଥର ପ୍ୟାକିଂ ଧୋଇ ନେଉଛି । ଏହାକୁ ଦେଖି ଜୀବନ ମରଣ ଚିନ୍ତାରେ ଗ୍ରାମବାସୀ, ସେମାନଙ୍କ ମନରେ କୋକୁଆ ଭୟ ଖେଳି ଯାଇଛି।

ବ୍ରାହ୍ମଣୀ, ପାଟଶାଳା ଓ ହଂସୁଆ ନଦୀର ସଂଗମ ସ୍ଥଳ  ଏବେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ୧୨ଟି ଗାଁ ପାଇଁ ବିପଦ ପାଲଟିଛି । ମିଳନ ସ୍ଥଳରେ ପ୍ରବଳ ସ୍ରୋତ ଓ ନଦୀର ଗତିପଥର ପରିବର୍ତନ ଯୋଗୁଁ ଏବେ ଘର ଅଗଣାରେ ନଦୀ ପହଞ୍ଚି ସାରିଛି । ଭୟ ଭିତରେ ପ୍ରତି ମୁହୂର୍ତ୍ତରେ ମରି ମରି ବଞ୍ଚୁଛନ୍ତି ଦକ୍ଷିଣଭେଡା, ଉଆସିଡ଼ିହ, ଯଦୁଚନ୍ଦ୍ରପୁର, ପଶ୍ଚିମଭେଡ଼ା, ଝାଡକଟା, ଲୋକନାଥପ୍ରସାଦ ଭଳି ୧୨ଟି ଗାଁର ଲୋକେ ।

ପୂର୍ବରୁ ପାଟଶାଳା ନଦୀ ଗର୍ଭରେ ଦକ୍ଷିଣଭେଡା ଗାଁର ୩୦ ପରିବାରର ଘର ଡିହ ଲୀନ ହୋଇସାରିଛି । ଏବେ ସେମାନେ ଅନ୍ୟତ୍ର ବସବାସ କରୁଛନ୍ତି । ନଦୀ ପାଇଁ ଅନେକ ଭୂମିହୀନ ହୋଇଛନ୍ତି । ଏକର ଏକର ଚାଷ ଜମି ନଦୀ ଗିଳି ସାରିଛି । ତେବେ ଗାଁ ଗୁଡ଼ିକର ସୁରକ୍ଷା ପାଇଁ ତଟବନ୍ଧ ପକ୍ଷରୁ ନଦୀ ବନ୍ଧରେ ପଥର ପ୍ୟାକିଂ କରାଯାଇଛି । ହେଲେ ଏହା ନାମକୁ ମାତ୍ର । ନିମ୍ନମାନର କାମ ଯୋଗୁଁ ନଦୀ ସ୍ରୋତରେ ଭାସି ଯାଇଛି ପଥର ପ୍ୟାକିଂ, ଯାହା ଏବେ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଛି ।

ସମ୍ବନ୍ଧିତ ଖବର