ଭଦ୍ରକ: ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ବୈତରଣୀ ନଦୀ ଫୁଲି ଉଠିଛି। ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରେ ସୋମବାର ବିପଦ ସଂକେତ ଉପରେ ରହିଛି। ଏଠାରେ ଜଳସ୍ତର ୧୭.୯୦ ମିଟରକୁ ଛୁଇଁଛି। ଆଉ ମାତ୍ର ୦.୩୦ ମିଟର ଜଳସ୍ତର ବଢ଼ିଲେ ସ୍ଥିତି ଅଡୁଆ ହେବ। ଶହ ଶହ ଗାଁ ଜଳମଗ୍ନ ହୋଇଯିବ। ଲକ୍ଷାଧିକ ଲୋକ ବନ୍ୟାଜଳ ଦ୍ୱାରା ପ୍ରଭାବିତ ହେବେ।
ବୈତରଣୀରେ ବନ୍ୟାଜଳ ଆସୁଥିବାରୁ ଧାମନଗର ଓ ଭଣ୍ଡାରୀପୋଖରି ବ୍ଲକର ଲୋକେ ପ୍ରଭାବିତ ହୋଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ପ୍ରାୟ ୫୦ରୁ ଅଧିକ ଗାଁ ବନ୍ୟା ଜଳ ଯୋଗୁଁ ପ୍ରଭାବିତ ହୋଇଛି। ଧାନଚାଷୀ ଓ ପରିବାଚାଷୀଙ୍କ ବହୁ କ୍ଷତି ହୋଇଛି। ଅନେକ ରାସ୍ତା ଜଳମଗ୍ନ ହୋଇଯାଇଛି।
/sambad/media/post_attachments/wp-content/uploads/2018/07/Baitarani1-300x169.jpg)
ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି। ଜିଲ୍ଲାପାଳ ଜ୍ଞାନ ଦାସ ସୋମବାର ଏ ବାବଦରେ ଏକ ସମୀକ୍ଷା ବୈଠକ ଡକାଇ ପରିସ୍ଥିତି ସଂପର୍କରେ ଅବଗତ ହେବା ପରେ ଏଥିରୁ ବଞ୍ଚିବା ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଧାମନଗର ଓ ଭଣ୍ଡାରୀପୋଖରି ବ୍ଲକ ଉନ୍ନୟନ ଅଧିକାରୀମାନେ ମଧ୍ୟ ବୈତରଣୀ ନଦୀକୁ ଯାଇ ଜଳସ୍ତର ପରିଦର୍ଶନ କରିଛନ୍ତି। ଉଭୟ ବ୍ଲକରେ ୨ଟି ଲେଖାଏଁ ଡଙ୍ଗା ରଖାଯାଇଛି। ଏଗୁଡ଼ିକ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଲାଗିବ। ପଡୋଶୀ କେନ୍ଦୁଝର ଜିଲ୍ଲାରେ ୩ ଦିନ ହେବ ଲଗାଣ ବର୍ଷା ହେବା ପରେ ବୈତରଣୀରେ ବନ୍ୟା ଦେଖାଯାଇଛି। ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ମଧ୍ୟ ରବିବାର ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Baitarani.jpg)