ଯାଜପୁର: ଯାଜପୁର ଜିଲ୍ଲାରେ ଲଘୁ ଖଣିଜ ସମ୍ପଦର କଳା କାରନାମା କେବଳ କଳାପଥରରେ ସୀମିତ ରହିନାହିଁ। ଜିଲ୍ଲାରେ ପ୍ରବାହିତ ବୈତରଣୀ, ବ୍ରାହ୍ମଣୀ ଓ ମହାନଦୀ ଭଳି ପ୍ରମୁଖ ନଦୀର ଶାଖାଗୁଡ଼ିକରେ ବାଲିମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବିନା ଅନୁମତି ଜିଲ୍ଲାରେ ଶହ ଶହ ବାଲିଘାଟ ଚାଲିଛି। ଯାଜପୁର ଜିଲ୍ଲା ସମେତ ପଡ଼ୋଶୀ ଭଦ୍ରକ, କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ ପ୍ରଭୃତି ଜିଲ୍ଲାକୁ ହଜାର ହଜାର ଟ୍ରିପ ଚୋରାବାଲି ଦିନରାତି ଚାଲାଣ ଚାଲିଛି। ଜିଲ୍ଲାର ୧୦ଟି ତହସିଲରେ ମାତ୍ର ୧୯ଟି ବାଲି ଖାଦାନକୁ ପରିବେଶ ଅନୁମତି ମିଳିଛି। ଅଥଚ ଜିଲ୍ଲାରେ ଶତାଧିକ ବେଆଇନ୍ ବାଲିଘାଟରେ ମେସିନ ଜରିଆରେ ବାଲି ଉତ୍ତୋଳନ ହେଉଛି।
ସୂଚନା ଅଧିକାର ତଥ୍ୟ ମୁତାବକ ଯାଜପୁର ଜିଲ୍ଲାରେ ମାତ୍ର ୧୯ଟି ବାଲି ଖାଦାନକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ ପରିବେଶ ଅନୁମତି ଦେଇଛି। ଏଥିମଧ୍ୟରୁ ୫ଟି ବାଲିଖାଦାନର ଚଳାଇବା ପାଇଁ ମିଳିଥିବା ଅନୁମତିର ସମୟ ସୀମା ସରିଗଲାଣି। ବ୍ରାହ୍ମଣୀ ନଦୀର ସାନନହଗା, ବଡ଼ନହଗା ବାଲିଖାଦାନର ପରିବେଶ ଅନୁମତି ସମୟସୀମା ଗତ ମାର୍ଚ୍ଚରୁ ଶେଷ ହୋଇଛି। ସେହିପରି, ବ୍ରାହ୍ମଣୀ ନଦୀର ମୀର୍ଜାପୁର ସାମିଲ ବାସୁଦେଇପୁର-୨ର ଅନୁମତି ଅଗାମୀ ନଭେମ୍ବର ପର୍ଯ୍ୟନ୍ତ ଅଛି। ଖରସ୍ରୋତା ନଦୀ ବାଲି ଖାଦାନ କଚେରିଗାଁର ଅନୁମତି ଗତ ମାର୍ଚ୍ଚରେ ଶେଷ ହୋଇଥିବା ବେଳେ ବ୍ରାହ୍ମଣୀ ନଦୀ ବାଲି ଖାଦାନ କାକୁଡିକୁଦ ଘାଟର ପରିବେଶ ଅନୁମତି ନଭେମ୍ବରରେ ଶେଷହେବ। ଖରସ୍ରୋତା ନଦୀର କଳସପୁର ବାଲିଘାଟ ଅନୁମତି ନଭେମ୍ବରରେ ଶେଷହେବ। ଖରସ୍ରୋତା ନଦୀର ଓଳେଇଚନ୍ଦ୍ରପୁର ବାଲିଘାଟର ଅନୁମତି ନାହିଁ। ଖରସ୍ରୋତାର ବନ୍ଧମୁଣ୍ଡା ଓ ବସନ୍ତପୁର ବାଲିଘାଟ ଅନୁମତି ନଭେମ୍ବର ପର୍ଯ୍ୟନ୍ତ ଅଛି। ସେହିପରି, ବୁଢ଼ାନଦୀର ଉଆସାହି, କାଳୀନ୍ଦ୍ରବାଦ ନଭେମ୍ବର ପର୍ଯ୍ୟନ୍ତ ରହିଛି। ବୁଢ଼ାନଦୀର ଭଗତପୁର ପରିବେଶ ଅନୁମତି ମାର୍ଚ୍ଚରେ ଶେଷ ହୋଇଛି। ଦୁର୍ଗାପୁରକୁଦ -୨ ବାଲି ଖାଦାନର ଅନୁମତି ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ରହିଛି। ବୈତରଣୀ ନଦୀର ସାଳବା ବାଲି ଖାଦାନ ଅନୁମତି ନଭେମ୍ବର ପର୍ଯ୍ୟନ୍ତ ରହିଛି। ଖରସ୍ରୋତା ନଦୀର ବଡ଼ସୁଆର ନଭେମ୍ବର ଓ ବୈତରଣୀର ସାଅଁଳ-୨ ଆସନ୍ତା ଜାନୁଆରି ପର୍ଯ୍ୟନ୍ତ ରହିଛି। ବୁଢ଼ାନଦୀର କାଳୀନ୍ଦ୍ରବାଦ ବାଲିଘାଟର ନଭେମ୍ବର ପର୍ଯ୍ୟନ୍ତ ଅନୁମତି ରହିଛି। ବୈତରଣୀ ନଦୀର ଧନତ୍ରୀ ଘାଟ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁମତି ହାସଲ କରିଛି। ବୈତରଣୀ ନଦୀର ରମ୍ପାଳ ଘାଟକୁ ଆସନ୍ତାବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁମତି ମିଳିଛି।
ଜିଲ୍ଲାର ମୋଟ ୧୯ଟି ବାଲି ଖାଦାନ ଚଳାଇବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଅନୁମତି ମିଳିଥିଲା। ଏଥିରୁ ୫ଟି ବାଲି ଖାଦାନ ଚଳାଇବାର ସମୟ ସୀମା ଶେଷ ହୋଇଗଲାଣି। ସମୟ ସୀମା ଶେଷ ହୋଇଥିବା ୫ଟି ବାଲି ଖାଦାନ ମଧ୍ୟରୁ ଖରସ୍ରୋତା ନଦୀର କଚେରିଗାଁ ଓ ବୁଢ଼ାନଦୀର ଭଗତପୁର ବାଲିଘାଟର ତହସିଲଦାର ଲିଜ୍ଧାରୀ ବୋଲି ଦର୍ଶାଯାଇଛି। ଚୋରା ବାଲି ଚାଲାଣ ସହିତ ଲିଜ୍ଧାରୀ ଅନୁମତିଠାରୁ ବହୁଗୁଣ ଅଧିକ ବାଲି ଖନନ କରୁଛନ୍ତି। କଳାପଥର ଖାଦାନରେ ବ୍ୟାପକ କେଳେଙ୍କାରୀ ଧରାପଡ଼ିଥିବା ବେଳେ ଏବେ ବାଲି ଚୋରାଚାଲାଣକୁ ନେଇ ଲୋକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/56g4j65g465gjgdgjd-1.jpg)