ମଳୟ ରଞ୍ଜନ ସାହୁ
ରାଉରକେଲା: ପଡ଼ୋଶୀ ଝାଡ଼ଖଣ୍ଡ ଛୋଟାନାଗପୁର ମାଳ ଅଞ୍ଚଳର ଲୋହରଦାଗାରୁ ଉତ୍ପତ୍ତି କୋଏଲ ନଦୀ। ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶାର ୨୮୫ କିଲୋମିଟର ଅଞ୍ଚଳରେ ପ୍ରବାହିତ। ଦକ୍ଷିଣ କୋଏଲ ନଦୀ ଓଡ଼ିଶାର ସୁନ୍ଦରଗଡ଼ରେ ପ୍ରବାହିତ ହୋଇ ବେଦବ୍ୟାସରେ ଶଙ୍ଖ ଓ ବ୍ରାହ୍ମଣୀରେ ମିଶିଛି। ଏକଦା କୋଏଲ ଥିଲା ଅଞ୍ଚଳବାସୀଙ୍କର ଜୀବନରେଖା। ନଦୀର ଉପରମୁଣ୍ଡ ଝାଡ଼ଖଣ୍ଡ ବସିଆ ନିକଟରେ ଡ୍ୟାମ୍‌ ନିର୍ମାଣ ଓ ଅବାଧ ବାଲି ଉତ୍ତୋଳନ କୋଏଲ ପାଇଁ ବଡ଼ ବିପଦ ପାଲଟିଛି। ବର୍ଷ ବର୍ଷ ଧରି ସ୍ଥାନୀୟବାସିନ୍ଦାଙ୍କ ପାଇଁ ଜୀବନରେଖା ପାଲଟିଥିବା କୋଏଲର ଅସ୍ତିତ୍ବ ଏବେ ସଙ୍କଟରେ। ବିଧାନସଭାରେ ପ୍ରଶ୍ନ ଉଠିବା ପରେ ଓଡ଼ିଶା ସରକାର ବିଳମ୍ବରେ ହେଲେ ମଧ୍ୟ ରାଉରକେଲା ହମିରପୁର ନିକଟରେ କୋଏଲ ଜଳକୁ ସଂରକ୍ଷିତ ରଖିବା ଲାଗି ବ୍ୟାରେଜ୍‌ ନିର୍ମାଣ କରୁଛନ୍ତି।

Advertisment

ଜଳସେଚିତ ହୋଇପାରୁନି ଚାଷଜମି

ବାଲି ମାଫିଆଙ୍କ କବଜାରେ ନଦୀଶଯ୍ୟା, ଜଳକଷ୍ଟ ଭୋଗୁଛନ୍ତି ଲୋକେ

ଯାହା ୨୦୨୬ ଜୁନ ମାସ ଶେଷ ସୁଦ୍ଧା ସରିବ ବୋଲି କୁହାଯାଉଛି। ତେବେ ଏଥିରେ ପୂର୍ବରୁ ଯେତିକି ଲୋକଙ୍କୁ ଲାଭ ମିଳୁଥିଲା, ତା’ ହେବନି। କାରଣ ଯେ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ଉପରମୁଣ୍ଡରୁ ଡ୍ୟାମ୍‌ ପାଣି ଛଡ଼ା ନଯାଇଛି, ସେ ପର୍ଯ୍ୟନ୍ତ କୋଏଲ ସୁନ୍ଦରଗଡ଼ର ରାଉରକେଲା ଓ କିଛି ବ୍ଲକ୍‌ବାସୀଙ୍କୁ ଏମିତି ଦୁଃଖ ଦେଇ ଚାଲିଥିବ। ବର୍ଷା ଦିନେ ସ୍ଥିତି ଅସମ୍ଭାଳ ହେଉଥିବ। ଖରାଦିନେ ନଦୀଜଳସ୍ତର ହ୍ରାସ ପାଉଥିବାରୁ ଇସ୍ପାତ ସହରାଞ୍ଚଳ ସମେତ ଆଖପାଖରେ ଜଳସଙ୍କଟ ଉତ୍କଟ ହେଉଛି। କିଛି ବର୍ଷ ତଳେ କୋଏଲ ଶୁଖିଯିବାରୁ ସହରରେ ପାନୀୟ ଜଳ ପାଇଁ ହାହାକାର ସ୍ଥିତି ସୃଷ୍ଟି ହୋଇଥିଲା।

କୋଏଲ ନଦୀ ଇସ୍ପାତ ସହରାଞ୍ଚଳ, ଶକ୍ତିନଗର, କୋଏଲନଗର, ଝିରପାଣି, ଜଗଦା, ହମିରପୁର ଆଦି ଅଞ୍ଚଳର ପାଖାପାଖି ୨ ଲକ୍ଷରୁ ଅଧିକ ଲୋକଙ୍କୁ ପାନୀୟ ଜଳ ଯୋଗାଣ ହୋଇଥାଏ। କେବଳ ସେତିକି ନୁହେଁ; କୁଆରମୁଣ୍ଡା, ନୂଆଗାଁ, ବିଶ୍ରା ସମେତ କିଛି ବ୍ଲକ୍‌ରେ ପ୍ରାୟ ୨ ହଜାର ହେକ୍ଟର ଚାଷଜମି ଜଳସେଚିତ ହୋଇଥାଏ। ଦ୍ବିତୀୟ ଶିଳ୍ପାଞ୍ଚଳ ପାଇଁ କୋଏଲ ନଦୀ ବେଶ୍‌ ଗୁରୁତ୍ବପୂର୍ଣ୍ଣ। କାରଣ ଶିଳ୍ପାଞ୍ଚଳକୁ ଆବଶ୍ୟକ ପାଣି ପାଇଁ କୋଏଲ ନଦୀ ହିଁ ଏକମାତ୍ର ବିକଳ୍ପ। ସେପଟେ ବାଲିମାଫିଆଙ୍କ ବେଧଡକ ବାଲି ଉଠାଣ ନଦୀ ପାଇଁ ବିପଦ ଆଣୁଛି।‌ ବେଳ ଥାଉ ଥାଉ ସୁରକ୍ଷା ପାଇଁ କୌଣସି ଠୋସ୍‌ ପଦ‌‌କ୍ଷେପ ନିଆନଗଲେ କୋଏଲ ନଦୀ ସବୁଦିନ ପାଇଁ ତା’ର ପରିଚୟ ହରାଇବସିବ, ଏଥିରେ ଦ୍ବିମତ ନାହିଁ।