ସୁମନ୍ତ ପରିଡ଼ା
ଭୁବନେଶ୍ବର: ଦୟା ନଦୀର ଗରିମାମୟ ପୃଷ୍ଟଭୂମି ଆଜି ବି ଇତିହାସର ପୃଷ୍ଠାମଣ୍ଡନ କରୁଛି। ଏହି ନଦୀ କୂଳରେ ସବୁଠୁ ବଡ଼ କଳିଙ୍ଗ ଯୁଦ୍ଧର ସୂତ୍ରପାତ ହୋଇଥିଲା। ନଦୀ କୂଳର ବାତାବରଣ ପ୍ରବଳ ପ୍ରତାପୀ ଚଣ୍ଡାଶୋକଙ୍କୁ ଧର୍ମାଶୋକ ହେବାକୁ ବାଧ୍ୟ କରିଥିଲା। କଳିଙ୍ଗର ଅନେକ ଐତିହ୍ୟକୁ ଜାବୁଡ଼ି ଧରିଥିବା ଦୟାନଦୀ ଆଜି ବଞ୍ଚିବା ପାଇଁ ସଂଘର୍ଷ କରୁଛି। ଲୋକ ଓ ପ୍ରଶାସନର ଦୟା କାମନା କରୁଛି। ରାଜଧାନୀର ବର୍ଜ୍ୟଜଳ ଏହାର ପାଣିକୁ ବିଷାକ୍ତ କରି ଦେଲାଣି। ଗଙ୍ଗୁଆ ଦେଇ ପ୍ରବାହିତ ରାଜଧାନୀର ବର୍ଜ୍ୟଜଳ ପ୍ରତିଦିନ ଦୟାରେ ମିଶୁଛି। ସ୍ଥିତି ଏପରି ଯେ ଲୋକେ ଏହାର ଜଳ ଛୁଇଁବାକୁ ଡରୁଛନ୍ତି। ନିକଟରେ ଦୟାନଦୀର ଦୂଷିତ ଜଳ ଯୋଗୁ ନଦୀକୂଳିଆ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପୀ ବହୁ ଲୋକଙ୍କ ଜୀବନ ଯାଇଥିଲା।
Advertisment
କୁଆଖାଇରୁ ବାହାରିଥିବା ଦୟାନଦୀର ଲମ୍ବ ପ୍ରାୟ ୬୦ କିଲୋମିଟର। ଡାହାଣ ପାର୍ଶ୍ବରେ ଏହା ଖୋର୍ଦ୍ଧା ଜିଲ୍ଲା ଓ ବାମ ପାର୍ଶ୍ବରେ ପୁରୀ ଜିଲ୍ଲା ଦେଇ ପ୍ରବାହିତ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଅଳ୍ପ କିଛି ଅଞ୍ଚଳ ଦେଇ ପ୍ରବାହିତ ହେବା ପରେ ପୁରୀ ଜିଲ୍ଲାର ପିପିଲି, ଡେଲାଙ୍ଗ, ସତ୍ୟବାଦୀ, କଣାସ ଓ ବ୍ରହ୍ମଗିରି ଦେଇ ବଡ଼ଗୋଠଠାରେ ଚିଲିକାରେ ମିଶିଛି। ଅତୀତରେ ଏହା ଚାଷୀ ଓ ମତ୍ସ୍ୟଜୀବୀଙ୍କ ଜୀବନରେଖା ଥିଲା। ଦୟାନଦୀର ଜଳ ପ୍ରାୟ ୫୧,୬୨୭ ହେକ୍ଟର ଚାଷ ଜମିକୁ ଜଳସେଚିତ କରୁଥିଲା। 
ସାକ୍ଷୀଗୋପାଳ କେନାଲ୍ ୨୯,୩୮୭ ହେକ୍ଟର ଓ କଣାସ କେନାଲ୍ ୧୧,୩୮୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରୁଥିଲା। ଚନ୍ଦକା ଜଙ୍ଗଲରୁ ବାହାରିଥିବା ଗଙ୍ଗୁଆ ନାଳ ପିପିଲିର କଣ୍ଟି-ବାରିମୂଳଠାରେ ଦୟା ନଦୀରେ ମିଶି ଏହାର ଜଳକୁ ବିଷାକ୍ତ କରିଦେଲାଣି। ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ଦୈନିକ ୧୦୭ ଏମ୍ଏଲ୍‌ଡି(୧୦୭୦ ଲକ୍ଷ ଲିଟର) ବର୍ଜ୍ୟଜଳ ବାହାରୁଛି। ଯେଉଁଥିରୁ ଘରୋଇ ବର୍ଜ୍ୟଜଳ ୪୬ ଏମ୍ଏଲ୍‌ଡି, ଶିଳ୍ପ ବର୍ଜ୍ୟଜଳ ୨୯ ଏମ୍ଏଲ୍ଡି ଓ ମିଶ୍ରିତ ବର୍ଜ୍ୟଜଳ ୩୦.୩୫ ଏମ୍ଏଲ୍‌ଡି। ପ୍ରାୟ ୪୫ କିଲୋମିଟର ଲମ୍ବ ଗଙ୍ଗୁଆ ନାଳ ଦେଇ ରାଜଧାନୀର ଏହି ବର୍ଜ୍ୟଜଳ ପ୍ରବାହିତ ହେଉଛି ଓ ଦୈନିକ ଦୟା ନଦୀକୁ ୬୫୨ କ୍ୟୁସେକ୍‌(ପ୍ରାୟ ୧୯ହଜାର ଲିଟର) ବର୍ଜ୍ୟଜଳ ଛାଡ଼ୁଛି।
ଯେଉଁଥିରେ ଘାଟିକିଆ, ପଟିଆ, ମଞ୍ଚେଶ୍ବର, ବାଣୀବିହାର, ଲକ୍ଷ୍ମୀସାଗର, ବରଗଡ଼, ଏୟାରପୋର୍ଟ, ସାମନ୍ତରାୟପୁର ଆଦି ଅଞ୍ଚଳର ଘରୋଇ ଓ ଶିଳ୍ପାଞ୍ଚଳର ଦୂଷିତ ଜଳ ଦୟାନଦୀରେ ମିଶୁଛି। ଭୁବନେଶ୍ବରର ବିଭିନ୍ନ ଶିଳ୍ପ ଓ ଡାକ୍ତରଖାନାରୁ ନିର୍ଗତ ନମନୀୟ ନୀଳଧଳା ଧାତୁ ଓ ବ୍ୟାକ୍ଟେରିଆଯୁକ୍ତ ଦୂଷିତ ଜଳ ବି ସିଧାସଳଖ ଦୟାରେ ମିଶୁଛି। ପରିଣାମ ସ୍ବରୂପ ଦୟାନଦୀରେ ଜଳଜୀବ ବି ବଞ୍ଚୁନାହାନ୍ତି। ଗବେଷଣାରୁ ଜଣାପଡ଼ିଛି, ଗଙ୍ଗୁଆ ଜଳରେ ଆର୍ସେନିକ୍, କାଡ୍‌ମିୟମ, କ୍ରୋମିୟମ, କପର, ସୀସା, ପାରଦ, ଜିଙ୍କ ଆଦି ବିଷାକ୍ତ ଧାତବ ପଦାର୍ଥ ଭରି ରହିଛି। ଏଣୁ ଏହା ସିଧାସଳଖ ଦୟାରେ ମିଶିବା ପରେ ପାଣିକୁ ବ୍ୟବହାର ଅନୁପଯୋଗୀ କରିଦେଉଛି। ଦୟା ନଦୀର ଏହି ବିଷାକ୍ତ ଜଳ ଚାଷ ପାଇଁ ଅନୁପଯୁକ୍ତ ବୋଲି ବି ଆଇସିଏଆର୍‌ର ବୈଜ୍ଞାନିକମାନେ କହିଛନ୍ତି। 
ଅଖିଳ ଭାରତ କୃଷକ ମହାସଭାର ରାଜ୍ୟ ସଂପାଦକ ଅଶୋକ ପ୍ରଧାନ କହିଛନ୍ତି, ଏହି ବିଷାକ୍ତ ଜଳ ପୁରୀ ଜିଲ୍ଲାର ତିନି ବ୍ଲକ୍‌ର ଚାଷବାସ ଗୁରୁତର ପ୍ରଭାବିତ କରିଛି। ୧୦/୧୨ ବର୍ଷ ତଳେ ଦୟାରେ କାଚକେନ୍ଦୁ ପାଣି ପ୍ରବାହିତ ହେଉଥିଲା। ଲୋକେ ଆଞ୍ଜୁଳିରେ ଏହାକୁ ନେଇ ପିଇ ପାରୁଥିଲେ। କିନ୍ତୁ ଏବେ ଏହାର ବିଷାକ୍ତ ଜଳକୁ ଦେଖି ଲୋକେ ଡରିଲେଣି। ଏହି ବିଷାକ୍ତ ପାଣି ପାଇଁ ଫସଲ ନଷ୍ଟ ହୋଇଯାଉଛି। ମାଛ, ଗେଣ୍ଡା, କୋଚିଆ ଆଦି ଜଳଜୀବ ଓ ଚିଲିକାର ମତ୍ସ୍ୟସଂପଦ ଲୋପ ପାଉଛି। ବିଷାକ୍ତ ଜଳ ଚିଲିକାର ବିଦେଶାଗତ ପକ୍ଷୀଙ୍କୁ ବି ମୃତ୍ୟୁମୁହଁକୁ ଠେଲି ଦେଉଛି। ଏହି ଅଞ୍ଚଳର ମତ୍ସ୍ୟଜୀବୀ ଜୀବିକା ହରାଇ ଦାଦନ ଖଟିବାକୁ ଯାଉଛନ୍ତି।
ବିଷାକ୍ତ ପାଣି ବ୍ୟବହାର କରି ନଦୀକୂଳିଆ ଲୋକେ ଚର୍ମରୋଗ, ଜଣ୍ଡିସ, କିଡ୍‌ନି ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି। ନିକଟରେ ବିଷାକ୍ତ ଜଳ କାରଣରୁ ଝାଡ଼ାବାନ୍ତିରେ ୭ଜଣଙ୍କ ମୃତ୍ୟୁ ହୋଇଥିଲା। ଦୟା ନଦୀର ସୁରକ୍ଷା ଦାବିରେ ବିଭିନ୍ନ ସଂଗଠନ ଏକ ହୋଇ ବଡ଼ଗୋଠଠାରୁ ରାଜଧାନୀ ପର୍ଯ୍ୟନ୍ତ ପଦଯାତ୍ରା କରିବାକୁ ନିଷ୍ପତ୍ତି ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ମହାନଦୀ ବଞ୍ଚାଅ ଆନ୍ଦୋଳନ, ଦୟା ସୁରକ୍ଷା ଅଭିଯାନ, ଅଖିଳ ଭାରତ କୃଷକ ମହାସଭା, ଚିଲିକା ସୁରକ୍ଷା ଅଭିଯାନ, ନିର୍ମଳ ଦୟା ଅଭିଯାନ, ପ୍ରୟାସ ଭଳି ସଂଗଠନ ଦୟା ସୁରକ୍ଷା ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଗଙ୍ଗୁଆକୁ ବିଶୋଧନ କରି ଦୟାକୁ ଜହରରୁ ମୁକ୍ତ କରିବାକୁ ଦାବି କରି ଆସୁଛନ୍ତି।