ରତ୍ନାକର ଭୋଇ 
ସମ୍ବଲପୁର: ଓଡ଼ିଶାର ଜୀବନରେଖା ମହାନଦୀ। ଛତିଶଗଡ଼ ସରକାରଙ୍କ ୬ଟି ବ୍ୟାରେଜ୍ ନିର୍ମାଣ ଯୋଗୁଁ ମହାନଦୀରେ ଜଳପ୍ରବାହ ଯଥେଷ୍ଟ ହ୍ରାସ ପାଇଛି। ବର୍ଷର ପାଖାପାଖି ୮ ମାସ ମହାନଦୀ ଶୁଖିଲା ପଡ଼ୁଛି। କେତେକ ଜାଗାରେ ଏହା ଏକ ମୃତନଦୀର ଭ୍ରମ ମଧ୍ୟ ସୃଷ୍ଟି କରୁଛି। ମହାନଦୀ ଜଳ ବିବାଦ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ଟ୍ରିବ୍ୟୁନାଲରେ ୮ ବର୍ଷ ଧରି ବିଚାରାଧୀନ ରହିଛି। କିନ୍ତୁ ଛତିଶଗଡ଼ଠାରୁ ଓଡ଼ିଶା କିଛି ଶିଖିପାରି ନାହିଁ। ଛତିଶଗଡ଼ ଭଳି ଓଡ଼ିଶା ସରକାର ବ୍ୟାରେଜ୍ ନିର୍ମାଣ କରିଥିଲେ ହୁଏତ ଆଜି ଏମିତି ସ୍ଥିତି ସୃଷ୍ଟି ହୋଇ ନଥାନ୍ତା କି ଓଡ଼ିଶାବାସୀଙ୍କ ଜୀବନଜୀବିକା ବିପନ୍ନ ହେବା ଭଳି ସ୍ଥିତି ଉପୁଜି ନଥାନ୍ତା ବୋଲି ବିଶେଷଜ୍ଞ ମତ ରଖିଛନ୍ତି। 
ଜଳସଂପଦ ବିଭାଗର ତଥ୍ୟ ଅନୁସାରେ, ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲା ମହାନଦୀ ଅବବାହିକାରେ ଆସୁଛି। ତହିଁରୁ ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡ଼ା, ଜଗତସିଂହପୁରର ଶତ ପ୍ରତିଶତ, ସମ୍ବଲପୁରର ୯୧.୨୫% ଏବଂ କଟକର ୯୯.୪୮ ପ୍ରତିଶତ ଅଞ୍ଚଳ ମହନଦୀ ଅବବାହିକାରେ ଆସୁଛି। ଦିନଥିଲା ବର୍ଷ ସାରା ସ୍ବଚ୍ଛ ନିର୍ମଳ ଜଳରାଶିରେ ଭରି ରହୁଥିଲା ମହାନଦୀ। ଏବେ କିନ୍ତୁ ଛତିଶଗଡ଼ ସରକାର ବର୍ଷାଦିନେ ବ୍ୟାରେଜ୍ଗୁଡ଼ିକର ସବୁ ଗେଟ୍ ଖୋଲି ଦେଇ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ଅକ୍ଟୋବର ମଧ୍ୟଭାଗରୁ ପାଣି ରୋକିଦେଇ ଓଡ଼ିଶାବାସୀଙ୍କୁ କଲବଲ କରୁଛନ୍ତି। ବର୍ତ୍ତମାନ ସ୍ଥିତି ଏମିତି ଯେ ମହାନଦୀ ତଟବର୍ତ୍ତୀ ଅଞ୍ଚଳରେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଅଣମୌସୁମୀ ଋତୁରେ ଜଳ ସଂରକ୍ଷଣ ନିମନ୍ତେ ଓଡ଼ିଶା ସରକାର ମହାନଦୀରେ କମ୍ ଉଚ୍ଚତାର ବ୍ୟାରେଜ୍ (ଇନ୍ଷ୍ଟ୍ରିମ୍ ଷ୍ଟୋରେଜ) ନିର୍ମାଣ କରିବାର ଆବଶ୍ୟକତା ରହିଛି। ଏଭଳି ହେଲେ, ଅଣମୌସୁମୀ ସମୟରେ ମଧ୍ୟ ମହାନଦୀ ଜଳପୂର୍ଣ୍ଣ ହୋଇରହିବ। ଆଖପାଖ ଅଞ୍ଚଳର ଭୂଗର୍ଭ ଜଳସ୍ତର ବଢ଼ିବା ସହିତ ଲୋକଙ୍କୁ ଆଉ ଖରାଦିନେ ଜଳକଷ୍ଟ ଭୋଗିବାକୁ ପଡ଼ିବ ନାହିଁ। ନଦୀର ଉଭୟ ପାର୍ଶ୍ୱରେ ଉଠାଜଳସେଚନ ମାଧ୍ୟମରେ ରବିଧାନ ତଥା ପରିବା ଚାଷ ହୋଇପାରିବ। ହେଲେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ମଧ୍ୟ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି ସରକାର।
ଜଣେ ବିଶେଷଜ୍ଞଙ୍କ କହିବା ଅନୁସାରେ, ୧୯୫୮-୨୦୨୨ ମସିହା ମଧ୍ୟରେ ଅକ୍ଟୋବରରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ହାରାହାରି ୧୪୩୦୦ କ୍ୟୁସେକ୍ ଜଳ ପାୱାର୍ ଚ୍ୟାନେଲରୁ ମହାନଦୀକୁ ପ୍ରବାହିତ ହେଉଥିଲା। ମହାନଦୀରେ ୪ ମିଟର ଉଚ୍ଚ ଗେଟ୍ ବିଶିଷ୍ଟ ଗୋଟିଏ ପ୍ରକଳ୍ପରେ ଜଳଧାରଣ କ୍ଷମତା ପାଖାପାଖି ୦.୦୧୪୦ ନିୟୁତ ଏକର ଫୁଟ ହେବ। ହାରାହାରି ୭୫୦୦ କ୍ୟୁସେକ୍ ହାରରେ ଜଳ ସଂରକ୍ଷଣ କରାଗଲେ ମାତ୍ର ୨୪ ଘଣ୍ଟା ମଧ୍ୟରେ ଗୋଟିଏ ପ୍ରକଳ୍ପ ଭର୍ତ୍ତି ହୋଇଯିବ। ଏଥିପାଇଁ ବଡ଼ ବଜେଟ୍ କିମ୍ବା ବିସ୍ଥାପନ ସମସ୍ୟାର ଭୟ ବି ନାହିଁ। ଅବଶ୍ୟ ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ସମ୍ବଲପୁରରେ ୮୦୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ସରୋବର ବ୍ୟାରେଜ୍ ନିର୍ମାଣ ପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପଟେ ଜିଲ୍ଲାର ଦେଓଗାଁଠାରେ ବ୍ୟାରେଜ୍ ନିର୍ମାଣ ପାଇଁ ୭୦୫ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ଜଳସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ପ୍ରସ୍ତାବିତ ୫ଟି ବ୍ୟାରେଜ୍ ମଧ୍ୟରୁ ଖଇରମାଲ ଓ ଗୋଧନେଶ୍ବର ପ୍ରକଳ୍ପ ପାଇଁ ବର୍ତ୍ତମାନ ଡିଜାଇନ୍ ପ୍ରସ୍ତୁତି ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/28/dadgadgdgzcv-2025-10-28-01-25-17.jpg)
