ସୁଦୀପ୍ତ ଷଡ଼ଙ୍ଗୀ
ବ୍ରହ୍ମପୁର: ଗଞ୍ଜାମର ଜୀବନରେଖା ପୁଣ୍ୟତୋୟା ଋଷିକୁଲ୍ୟା ଏବେ ସଂକଟରେ। ଏହାର ଜଳ ସଂରକ୍ଷଣ ଦିଗରେ ସୁଚିନ୍ତିତ ପଦକ୍ଷେପ ନିଆଯାଇପାରିନାହିଁ। ଏକାଧିକ ପ୍ରକଳ୍ପ ପ୍ରସ୍ତାବରେ ଅଟକିଛି। ଜଳ ପରିଚାଳନା ଅଭାବ ଯୋଗୁଁ ଋଷିକୁଲ୍ୟା ନଦୀରେ ପ୍ରବାହିତ ହେଉଥିବା ପ୍ରାୟ ୮୦ ପ୍ରତିଶତ ପାଣି ସମୁଦ୍ରରେ ମିଶି ନଷ୍ଟ ହୋଇଯାଉଛି। ଏତେ ବଡ଼ ନଦୀରୁ ଗଞ୍ଜାମ ଜିଲ୍ଲାର ମାତ୍ର ୬୦ହଜାର ହେକ୍ଟର୍‌ ଜମିକୁ ଜଳସେଚନ ସୁବିଧା ହୋଇ ପାରିଛି। କେବଳ ଖରିଫରେ ଚାଷୀ ପାଣି ପାଇଥାନ୍ତି। କିନ୍ତୁ ରବି ଋତୁରେ ଚାଷୀ ଋଷିକୁଲ୍ୟାରୁ ପାଣି ଟୋପାଏ ପାଇପାରୁ ନାହାନ୍ତି। କନ୍ଧମାଳଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଋଷିମାଳ ପର୍ବତରୁ ଉତ୍ପତ୍ତିଲାଭ କରିଥିବା ଋଷିକୁଲ୍ୟା ଗଞ୍ଜାମ ଜିଲ୍ଲାର ସୋରଡ଼ା, ଆସିକା, ଧରାକୋଟ, ପୁରୁଷୋତ୍ତମପୁର ଓ ଗଞ୍ଜାମ ବ୍ଲକ୍‌ ଦେଇ ବଙ୍ଗୋପସାଗରରେ ମିଶିଛି। 

Advertisment

ଜଳସେଚନ ସହିତ ପାନୀୟଜଳ ପାଇଁ ଜିଲ୍ଲାବାସୀ ଏହା ଉପରେ ନିର୍ଭରଶୀଳ। ନଦୀର ପାଣି ସଦ୍‌ବିନିଯୋଗ ସହିତ ସୁପରିଚାଳନା ପାଇଁ ବହୁବର୍ଷ ହେଲା ଋଷିକୁଲ୍ୟା ଉନ୍ନୟନ ପରିଷଦ ଗଠନ ପାଇଁ ଚାଷୀ ସଂଗଠନ ଦାବି କରିଆସୁଛନ୍ତି। ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିବା ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ କହିଛନ୍ତି। ଋଷିକୁଲ୍ୟାରେ ଅନ୍ୟ ୬ଟି ନଈ ଓ ନାଳର ପାଣି ପଡ଼ୁଛି। ତଥାପି ଋଷିକୁଲ୍ୟା ବର୍ଷକୁ ୮ମାସ ଶୁଖିଲା ରହୁଛି। ମାଫିଆମାନେ ଅନବରତ ବାଲିଖନନ ଓ ଚାଲାଣ କରୁଛନ୍ତି। ଏହାଦ୍ବାରା ନଦୀରେ ନଦୀଶଯ୍ୟାରେ ମାଟି ଦେଖାଯାଇ ଅନାବନା ଘାସ ଓ ଲଟାବୁଦାରେ ପୋତିହୋଇ ନଦୀର ଗତିପଥକୁ ଅବରୋଧ କରୁଛି। 

୮୦% ପାଣି ସମୁଦ୍ରକୁ ବହିଯାଉଛି
ପ୍ରସ୍ତାବରେ ଅଟକିଛି ପିପଳପଙ୍କା ଡ୍ୟାମ୍‌
ବାଲି ମାଫିଆଙ୍କୁ ଅଙ୍କୁଶ ନାହିଁ

ଋଷିକୁଲ୍ୟା ପାଣି ସଂରକ୍ଷଣ ପାଇଁ ଅନ୍ତଃନଦୀ ଜଳାଶୟ ଯୋଜନାରେ ସୋରଡ଼ା ନିକଟସ୍ଥ ସିଙ୍ଗିପୁରଠାରେ ୩୫.୯ କୋଟି ଟଙ୍କା ବ୍ୟୟରେ ବ୍ୟାରେଜ୍‌ ତିଆରି କରାଯିବ। ସେହିପରି ଛତ୍ରପୁର ବ୍ଲକ୍‌ର କଂସାରୀଗଣ୍ଡରେ ୨୪୦ କୋଟି ୭୦ ଲକ୍ଷ ଟଙ୍କାର ବ୍ୟାରେଜ୍‌ କାମଚାଲିଛି। କାମ ସମ୍ପୂର୍ଣ୍ଣ ହେଲେ ଋଷିକୁଲ୍ୟା ପାଣି ସଂରକ୍ଷିତ ରଖାଯାଇ ପାରିବ ବୋଲି ଆଶା କରାଯାଉଛି। ଅନ୍ୟପଟେ ଋଷିକୁଲ୍ୟାର ଉପରମୁଣ୍ଡରେ ସୋରଡ଼ା ନିକଟସ୍ଥ ପିପଳପଙ୍କାରେ ପ୍ରାୟ ୧ହଜାର ୧୩କୋଟି ଟଙ୍କାରେ ଡ୍ୟାମ୍‌ ନିର୍ମାଣ ପ୍ରସ୍ତାବ ଅଟକି ରହିଛି। ଋଷିକୁଲ୍ୟାକୁ ବଞ୍ଚାଇବା ପାଇଁ ମହାନଦୀ-ଋଷିକୁଲ୍ୟା ସଂଯୋଗୀକରଣକୁ ଗୁରୁତ୍ବ ଦେବାକୁ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଦାବି କରିଆସୁଛନ୍ତି। ୨୦୦୦ ମସିହାରେ ଶ୍ରୀ ପଣ୍ଡା ନଦୀ ସଂଯୋଗୀକରଣ ଜରିଆରେ ମହାନଦୀର ବଳକା ଜଳକୁ ଆସିକା ଠାରେ ବଡ଼ନଦୀରେ ପକାଇ ଋଷିକୁଲ୍ୟାକୁ ଚିରସ୍ରୋତା କରିବାକୁ ପ୍ରସ୍ତାବ ଦେଇଥିଲେ, ତାହା ଆଗକୁ ବଢ଼ି ପାରି ନାହିଁ।