ମାଲକାନଗିରି: ସାତଟି ପାହାଡ଼ିଆ ନଦୀର ସଙ୍ଗମରୁ ସୃଷ୍ଟି ହୋଇଛି ସପ୍ତଧାରା। ମାଲକାନଗିରି ଜିଲ୍ଲାର ଚିରସ୍ରୋତା ନଦୀ ମଧ୍ୟରୁ ଏହା ଅନ୍ୟତମ। ପାହାଡ଼ିଆ ଶାଖା ନଦୀ ମଧ୍ୟରେ ରହିଛି ସର୍ଗି ନାଳ, ବାଙ୍କୁଲି ନାଳ, ଗୁମାଝରଣ ନାଳ, ଭୀମାଖୋଜ ନାଳ, ଜାମଯୋଡି ନାଳ, ଚିଙ୍ଗଡ଼ାଗୁଡ଼ା ନାଳ, କୁରଲୁ ନାଳ। ଏକଦା ବର୍ଷ ତମାମ ଦୁଇ କୂଳ ଖାଇ ବୋହୁଥିଲା ସପ୍ତଧାରା। ଏବେ କେବଳ ବର୍ଷା ହେଲେ ପାଣି ଦୁଇ କୂଳକୁ ଛୁଉଁଛି। ନଚେତ୍ ଶୁଷ୍କ ହୋଇ ପଡ଼ୁଛି। କୋରାପୁଟ ଜିଲ୍ଲାର ମାଛକୁଣ୍ଡରୁ ସପ୍ତଧାରା ବାହାରି ବୈପାରିଗୁଡ଼ା ବ୍ଲକର ବାଙ୍କୁଲି, ମାଝିଗୁଡ଼ା, ମାଲକାନଗିରି ଜିଲ୍ଲାର ଖଇରପୁଟ ଏବଂ ମାଥିଲି ବ୍ଲକ ହୋଇ କିଆଙ୍ଗରେ କୋଲାବ ନଦୀରେ ମିଶିଛି। ୪୫ କିମି ବ୍ୟାପ୍ତ ଏହି ନଦୀର ଗାଜିଆଗୁଡ଼ା, ମେଣ୍ଡକୁଲି, ଚାଲାଣଗୁଡ଼ା, ଦଗାମ, ଧୁଙ୍ଗିଆପୁଟ ଭଳି ସ୍ଥାନରେ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ନଦୀ ଶୁଷ୍କ ହେବାର ଅନେକ କାରଣ ରହିଥିବା ବେଳେ ପ୍ରମୁଖ କାରଣ ମଧ୍ୟରେ ରହିଛି ଉପର ମୁଣ୍ଡରେ ଜଳବିଦ୍ୟୁତ୍ ପ୍ରକଳ୍ପ ପାଇଁ ବନ୍ଧ ନିର୍ମାଣ। ସେହିପରି ନଦୀତଟରେ ପ୍ରଚୁର ନୀଳଗିରି ଗଛ ଲଗାଯିବା ଅନ୍ୟତମ କାରଣ ହୋଇଛି। ବର୍ଷା ଦିନରେ ୭ଟି ଶାଖା ନଦୀ ସହ ପାହାଡ଼ିଆ ଅଞ୍ଚଳର ପାଣି ସପ୍ତଧାରା ଦେଇ ପ୍ରବାହିତ ହେଉଥିବାରୁ ୩୨୬ ନଂ ଜାତୀୟ ରାଜପଥ ଉପରକୁ ମାଡ଼ି ଆସିଥାଏ ନଦୀ।
୭ ଶାଖା ନଦୀ ସ୍ଥିତି ସଙ୍ଗିନ, ବର୍ଷା ହେଲେ ଫୁଲୁଛି ନଚେତ୍ ଶୁଖିଲା
୨୦୧୭ରେ ଟୁଇଟ୍ କରି ପ୍ରଶଂସା କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ
ଘଞ୍ଚ ଅରଣ୍ୟ ଭିତରେ ପ୍ରବାହିତ ସପ୍ତଧାରା ଜିଲ୍ଲାର ଅନନ୍ୟ ପର୍ଯ୍ୟଟନୀସ୍ଥଳୀ ଭାବେ ମଧ୍ୟ ପରିଚିତ। ବର୍ଷତମାମ ନଦୀକୂଳରେ ପର୍ଯ୍ୟଟକ ଭୋଜିଭାତ କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇଥାନ୍ତି। ୨୦୧୭ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମାଲକାନଗିରି ଗସ୍ତରେ ଆସିଥିବା ବେଳେ ଆକାଶମାର୍ଗରୁ ସପ୍ତଧାରାର ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇ ଟୁଇଟ୍ କରି ପ୍ରଶଂସା କରିଥିଲେ। ସପ୍ତଧାରାର ବିକାଶ ସହ ବୃହତ୍ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଘୋଷଣା କରିଥିଲେ। ଯାହା ଏଯାବତ୍ କାର୍ଯ୍ୟକାରୀ ହୋଇପାରିନି। ସମୟକ୍ରମେ ନଦୀର ଜଳଧାରା କମିବାରେ ଲାଗିଥିବାରୁ ପୂର୍ବ ଭଳି ଆଉ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଜମୁନି। ପର୍ଯ୍ୟଟନ ବିଭାଗ ପକ୍ଷରୁ ସପ୍ତଧାରା ପିକନିକ୍ ପଏଣ୍ଟରେ କୌଣସି ସୁବିଧା କରାଯାଇନି। କେବଳ ଗୋଟିଏ ବୋର୍ଡ ଲଗାଇ ବିଭାଗ କାମ ସାରି ଦେଇଛି। ସପ୍ତଧାରା ଶୁଖିବା ପରେ ସଂରକ୍ଷିତ ଜଙ୍ଗଲରେ ରହୁଥିବା ଜୀବଜନ୍ତୁ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ବୈପାରିଗୁଡ଼ା ବ୍ଲକର ମନ୍ତ୍ରୀଆମ୍ବ ନିକଟରେ ଆନ୍ଧ୍ରର ଘରୋଇ କମ୍ପାନି ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରି ବନ୍ଧ ବାନ୍ଧିଥିବାରୁ ଯେଉଁ କିଛି ପାଣି ତଳ ମୁଣ୍ଡକୁ ବୋହୁଥିଲା ତାହା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ପଡ଼ିଛି। ଫଳରେ ପାଣି ବିନା ଶୁଷ୍କ ହୋଇ ପଡ଼ିଥିବା ସପ୍ତଧାରା ଇତିହାସ ପାଲଟିବାକୁ ଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/02/sfhhfsxvbbbv-2025-11-02-02-15-45.jpg)