ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଲଘୁ ଖଣି ମାଫିଆଙ୍କ ବେଆଇନ କାର୍ଯ୍ୟ ବଢ଼ି ଚାଲିଛି। ସେମାନଙ୍କ ମନମୁଖି କାରବାର ଯୋଗୁଁ ପରିବେଶକୁ ବହୁ ମୂଲ୍ୟ ଦେବାକୁ ପଡ଼ୁଛି। ବେଆଇନ ଲଘୁ ଖଣି ଖନନ ଯୋଗୁଁ ନଦୀର ଗତିପଥ ବଦଳିବା ବି ଆଶଙ୍କା ସୃ୍ଷ୍ଟି ହେଲାଣି। କେବଳ ବଲାଙ୍ଗୀର ଜିଲ୍ଲା ପରିସୀମାରେ ତେଲ ନଦୀର ଉଭୟ ପାର୍ଶ୍ବରେ ୫୭ କିଲୋମିଟର ପର୍ଯ୍ୟନ୍ତ ଆଡ଼ିବନ୍ଧ ଯୋଜନା ଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇନାହିଁ। ବଲାଙ୍ଗୀର ଜିଲ୍ଲାର ତୁଷୁରାରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ପର୍ଯ୍ୟନ୍ତ ତେଲ ନଦୀ କୂଳ ଅବକ୍ଷୟ ହେବାକୁ ଲାଗିଛି। ଏଠାରେ ପାଖାପାଖି ୨୫ କିଲୋମିଟର୍‌ ଯାଏ ତେଲ ନଦୀର ପାର୍ଶ୍ବରେ ଜଙ୍ଗଲ ଓ ମୋରମ୍‌ ପାହାଡ଼ ଭରି ରହିଛି। ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳ ଥିବାରୁ ଏଠାରେ ଅଧିକାରୀଙ୍କ ପାଦ ପଡ଼ୁନାହିଁ। ଯାହାର ସୁଯୋଗ ନେଇ ତେଲ ନଦୀର ପ୍ରାକୃତିକ ହିଡ଼କୁ ଖୋଳି ମୋରମ ଚାଲାଣ ଜାରି ରହିଛି।

Advertisment

ଫଳରେ ବନ୍ୟାପାଣି ମାଡ଼ରେ ହିଡ଼ ଖାଇଗଲାଣି। ଏହାକୁ ରୋକାଯିବା ପାଇଁ କୌଣସି ସ୍ଥାନରେ ବନୀକରଣ ଯୋଜନା ମଧ୍ୟ ନାହିଁ। ବରଂ ଲଘୁଖଣି ମାଫିଆମାନେ ନଦୀକୂଳରେ ଥିବା କ୍ଷୁଦ୍ର ଜଙ୍ଗଲ କାଟି ପଦା କରି ଦେଉଛନ୍ତି। ବର୍ତ୍ତମାନ ବର୍ଷା ଋତୁରେ ନଦୀ ପୂର୍ଣ୍ଣଗର୍ଭା ଥିବାରୁ ପାଣି ମାଡ଼ରେ କୂଳ ଧସିଯାଉଛି। କେବଳ ତେଲ ନଦୀ ନୁ‌ହେଁ, ଜିଲ୍ଲାର ଅନ୍ୟ ନଦୀନାଳଗୁଡ଼ିକର ମଧ୍ୟ ସମାନ ଅବସ୍ଥା। ନଦୀନାଳଗୁଡ଼ିକର ଉଭୟ ପାର୍ଶ୍ବରେ ୮୮୮ କିଲୋମିଟର ଆଡ଼ିବନ୍ଧ କରିବାକୁ ଯୋଜନା ରହିଛି। କିନ୍ତୁ ବର୍ତ୍ତମାନ ଯାଏ ମାତ୍ର ୧୮୦ କିଲୋମିଟର ଆଡ଼ିବନ୍ଧ ସମ୍ପୂର୍ଣ୍ଣ ହୋଇଛି। ଅର୍ଥାତ ୭୦୭ କିଲୋମିଟର ଆଡ଼ିବନ୍ଧ କାମ ଆରମ୍ଭ ହୋଇନାହିଁ। ଯାହାଦ୍ବାରା ନଦୀନାଳଗୁଡ଼ିକ ଅସୁରକ୍ଷିତ ଅବସ୍ଥାରେ ରହିଛି।