ସମୟସୀମା ଧାର୍ଯ୍ୟ କଲେ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ : ୨ ବର୍ଷରେ ଦୂର କର ନଦୀନାଳ ପ୍ରଦୂଷଣ

0

ଭୁବନେଶ୍ବର : ଦେଶ‌ର ନଦୀନାଳ ଜଳ ପ୍ରଦୂଷଣ ହାର ସୀମା ଟପିଲାଣି। ଓଡ଼ିଶାରେ ମଧ୍ୟ ମହାନଦୀ, ବ୍ରାହ୍ମଣୀ, କାଠଯୋଡ଼ି, ବୁଢ଼ାବଳଙ୍ଗ, କୁଆଖାଇ ଆଦି ନଦୀ ଧାରାର ଅନେକ ସ୍ଥାନରେ ବି ପ୍ରଦୂଷଣ ମାତ୍ରା ଏତେ ଅଧିକ ଯେ ମଣିଷ ବ୍ୟବହାର ଉପଯୋଗୀ ରହିନାହିଁ। ଭୁବନେଶ୍ବର ଉପକଣ୍ଠରେ ଥିବା ଗଙ୍ଗୁଆ ନାଳ ପ୍ରଦୂଷଣ ତାଲିକାରେ ଏକ ନମ୍ବର ସ୍ଥାନରେ। ଏ ନେଇ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି), ନୂଆଦିଲ୍ଲୀ ରାଜ୍ୟ ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଜୁନ୍‌ ୩୦ ତାରିଖ ସୁଦ୍ଧା ନଦୀଜଳ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରି ଦାଖଲ କରିବାକୁ ମୁଖ୍ୟ ସଚିବଙ୍କୁ ଆଦେଶ ଦେଇଛନ୍ତିି। ସେହି କାର୍ଯ୍ୟ ଯୋଜନାଗୁଡ଼ିକୁ ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରି ନଦୀଜଳ ପ୍ରଦୂଷଣମୁକ୍ତ କରିବାକୁ କହିଛନ୍ତି। ଏଥିପାଇଁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଜ୍ୟ ସରକାରଙ୍କଠାରୁ ଦକ୍ଷତା ପ୍ରଦର୍ଶନ ସଂପର୍କିତ ୧୫ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଲୋଡ଼ିଛନ୍ତି।

କେନ୍ଦ୍ରୀୟ ବୋର୍ଡକୁ ୧୫ କୋଟିର ବ୍ୟାଙ୍କ ଗ୍ୟ‌ାରେଣ୍ଟି ଦେ‌ବାକୁ ହେବ
୩୦ ସୁଦ୍ଧା ଆଉ ୧୦ଟି କାର୍ଯ୍ୟ ଯୋଜନା ଦେବ ଜଙ୍ଗଲ ବିଭାଗ
ପୌର ବର୍ଜ୍ୟଜଳ ହିଁ ନଦୀନାଳକୁ ପ୍ରଦୂଷିତ କରୁଛି
ଗଙ୍ଗୁଆ ନାଳ ପ୍ରଦୂଷଣ ତାଲିକାରେ ୧ ନମ୍ବର

ରାଜ୍ୟର ପ୍ରମୁଖ ୧୧ଟି ନଦୀନାଳର ବିଭିନ୍ନ ପ୍ରବାହ ଧାରାରେ ପ୍ରଦୂଷଣ ମାତ୍ରା ଅତ୍ୟଧିକ ଥିବା ରେକର୍ଡ କରାଯାଇଛି। ଏଥିମଧ୍ୟରୁ ଗଙ୍ଗୁଆ ନାଳର ପ୍ରଦୂଷଣ ମାତ୍ରା ରାଜ୍ୟରେ ସର୍ବାଧିକ ତଥା ପ୍ରଦୂଷଣ ରେକର୍ଡ ତାଲିକାରେ ଏକ ନମ୍ବର ଶ୍ରେଣୀଭୁକ୍ତ। ଜଳରେ ବାୟୋଲୋଜିକାଲ୍‌ ଅକ୍ସିଜେନ୍‌ ଡିମାଣ୍ଡ(ବିଓଡି) ପ୍ରତିଶତ ଅନୁଯାୟୀ ପ୍ରଦୂଷଣ ଶ୍ରେଣୀ ସୃଷ୍ଟି ହୋଇଛି। ସାଧାରଣତଃ ଜଳରେ ବିଓଡି ମାତ୍ରା ୩ ପ୍ରତିଶତ ରହିବା କଥା। କିନ୍ତୁ ପ୍ରାୟ ସବୁ ନଦୀନାଳରେ ବିଓଡି ମାତ୍ରା ୨୦-୩୦ ପ୍ରତିଶତ ରହିଥିବା ଏକ ଅନୁଧ୍ୟାନରୁ ପରିଲକ୍ଷିତ ହୋଇଛି। ଜଳରେ ବିଓଡି ମାତ୍ରା ଅଧିକ ରହିଲେ ଅମ୍ଳଜାନ କମିଯାଏ। ଫଳରେ ସେହି ଜଳ ମଣିଷ ବ୍ୟବହାର ଯୋଗ୍ୟ ହୋଇରହୁ ନାହିଁ। ମାତ୍ରାଧିକ ବିଓଡି ରହିଲେ, ଏହା ମାଛ ଓ ଅନ୍ୟାନ୍ୟ ଜଳଚର ଜୀବଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ।

ଏନ୍‌ଜିଟି ଦର୍ଶାଇଛନ୍ତି ଯେ ଏହି ୧୧ଟି ନଦୀନାଳର ୧୨୯ଟି ସ୍ଥାନରେ ପ୍ରଦୂଷଣ ମାତ୍ରା ଅନୁଧ୍ୟାନ କରାଯାଇଥିଲା। ଏଥିମଧ୍ୟରୁ ୯୩ଟି ସ୍ଥାନରେ ପ୍ରଦୂଷଣ ମାତ୍ରା ଅଧିକ ରହିଥିବା ଦର୍ଶାଯାଇଛି। ତେବେ ପରବର୍ତୀ ସମୟରେ ୮୭ଟି ସ୍ଥାନରେ ପ୍ରଦୂଷଣ ନିୟନ୍ତ୍ରଣ ସୀମା ମଧ୍ୟରେ ରହିଥିବା ଦର୍ଶାଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ତେବେ ନଦୀନାଳ ପ୍ରଦୂଷଣର ଅନ୍ୟତମ ମୁଖ୍ୟ କାରଣ ହେଉଛି ସହରାଞ୍ଚଳରୁ ନିଷ୍କାସିତ ହେଉଥିବା ବର୍ଜ୍ୟଜଳ। ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଆଦି ସହରରୁ ପ୍ରତ୍ୟେକ ଦିନ ପ୍ରାୟ ୪୦ ଲକ୍ଷ ଲିଟର ବର୍ଜ୍ୟଜଳ ବାହାରି ନଦୀରେ ମିଶୁଛି। ବର୍ଜ୍ୟଜଳକୁ ପ୍ରକ୍ରିୟାକରଣ ନ କରି ସିଧାସଳଖ ନଦୀନାଳକୁ ଛାଡ଼ିଦେବା ଫଳରେ ଏଭଳି ସାଂଘାତିକ ସ୍ଥିତି ଉପୁଜୁଛି।

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ମାସ ୪ ତାରିଖରେ ଏନ୍‌ଜିଟି ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟକୁ ନଦୀନାଳ ଜଳ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଆଦେଶ ଦେଇଥିଲେ। ଏଥିପାଇଁ କାର୍ଯ୍ୟ ଯୋଜନା(ଆକ୍ସନ ପ୍ଲାନ)ମାନ ପ୍ରସ୍ତୁତ କରି ଜୁନ୍‌ ୩୦ ତାରିଖ ସୁଦ୍ଧା ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ନିର୍ଦେଶ ଦେଇଥିଲେ। ତଦନୁଯାୟୀ ବର୍ତମାନ ସୁଦ୍ଧା ୯ଟି ଯୋଜନା ପ୍ରସ୍ତୁତ ହୋଇସାରିଛି। ଜୁନ୍‌ ୩୦ ତାରିଖ ସୁଦ୍ଧା ଆଉ ୧୦ଟି ଚୂଡ଼ାନ୍ତ କରି ଏନ୍‌ଜିଟିଙ୍କୁ ପ୍ରଦାନ କରିବେ ନ‌ିଜେ ମୁଖ୍ୟ ସଚିବ। ରାଜ୍ୟର ନଦୀନାଳ ପ୍ରଦୂଷଣ ସଂପର୍କରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଧ୍ୟାନ କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର