ଭଦ୍ରକ: ଭଦ୍ରକ ଜିଲ୍ଲାର ଜୀବନରେଖା କୁହାଯାଉଥିବା ସାଳନ୍ଦୀ ନଦୀ ଏବେ ବିପଦରେ। ନଦୀ ପୁନରୁଦ୍ଧାର ନାଁରେ କୋଟି କୋଟି ଟଙ୍କା ଅନୁଦାନ ଆସୁଛି। କିନ୍ତୁ ଠିକ୍ ବିନିଯୋଗ ହୋଇ ନ ପାରିବାରୁ ସାଳନ୍ଦୀ ଏବେ ଶୁଖିବାକୁ ବସିଲାଣି। ଦିନ ଥିଲା, ସାଳନ୍ଦୀ ଜଳରେ ଭଦ୍ରକ ଜିଲ୍ଲା ଶସ୍ୟଶ୍ୟାମଳା ହେଉଥିଲା। ହେଲେ ଏବେ ନଦୀ ଶୁଖିଲା ପଡ଼ୁଥିବାରୁ କୃଷକଙ୍କ ଜୀବନଜୀବିକା ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି।
କେନ୍ଦୁଝର ଜିଲ୍ଲା ମେଘାସନ ପର୍ବତରୁ ସାଳନ୍ଦୀ ନଦୀ ବାହାରି ପ୍ରାୟ ୧୪୪ କିମି ପ୍ରବାହିତ ହେବା ପରେ ଚାନ୍ଦବାଲିର ତିନିତରଠାରେ ବୈତରଣୀ ନଦୀରେ ମିଶିଛି। କେନ୍ଦୁଝର ଜିଲ୍ଲା ହଦଗଡ଼ରେ ସାଳନ୍ଦୀ ନଦୀ ଉପରେ ଏକ ଡ୍ୟାମ୍ ନିର୍ମାଣ କରାଯାଇ କେନାଲ୍ ଯୋଗେ କେନ୍ଦୁଝର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ଚାଷଜମିକୁ ଜଳଯୋଗାଣ ହେଉଛି। ସାଳନ୍ଦୀ ଯୋଗୁ ଭଦ୍ରକ ଜିଲ୍ଲାର ବନ୍ତ, ଭଦ୍ରକ, ତିହିଡ଼ି ଓ ଚାନ୍ଦବାଲି ବ୍ଲକ୍ର ୮ ହଜାର ୩୦୦ ହେକ୍ଟର୍ ଚାଷଜମିକୁ ଜଳସେଚିତ ହେଉଛି। ସମଗ୍ର ଜିଲ୍ଲାକୁ ଶସ୍ୟଶ୍ୟାମଳା କରିବା ଦିଗରେ ସାଳନ୍ଦୀ ନଦୀ ସାହାଭରସା ଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଆଜି ସାଳନ୍ଦୀ ପରିତ୍ୟକ୍ତ ଅବସ୍ଥାକୁ ଚାଲିଗଲାଣି। ନଦୀଶଯ୍ୟା ଦଳରେ ଭର୍ତ୍ତି ହୋଇଗଲାଣି। ସହରର ବର୍ଜ୍ୟଜଳ ପରିଚାଳନା ଠିକ୍ ଭାବେ ହେଉ ନଥିବାରୁ ନଦୀର କାଚକେନ୍ଦୁ ପରି ଜଳରାଶି ଏବେ ଅପରିଷ୍କାର ହୋଇଯାଇଛି। କେଉଁଠି କୂଳ ପୋତି କିଏ ଘର କଲାଣି ତ ଆଉ କେଉଁଠି ନଦୀ କୂଳଖାଇ ଗାଁ ଭିତରକୁ ମାଡ଼ି ଆସିଲାଣି। ଶଯ୍ୟା ବି ପୋତି ହୋଇଗଲାଣି।
ଅତୀତରେ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଅର୍ଜୁନ ଚରଣ ସେଠୀ ସାଳନ୍ଦୀ ସଂସ୍କାର ପାଇଁ ୧୦୦ କୋଟି ଟଙ୍କାର ଅନୁଦାନ ରାଶି ଯୋଗାଇ ଦେଇଥିଲେ। ହେଲେ ଏହି ଅନୁଦାନ ରାଶିକୁ ଚଳୁ କରିଦିଆଗଲା। ସେହିପରି ସାଳନ୍ଦୀ ପୁନରୁଦ୍ଧାର ପାଇଁ ୧୯୯୯ ମହାବାତ୍ୟା ପରେ ୧୪୪ କୋଟି ୬୦ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା। ନଦୀବନ୍ଧ ନିର୍ମାଣ ପାଇଁ ୫୦ କୋଟି ୩୯ ଲକ୍ଷ ଟଙ୍କା ଏବଂ ଜମି ଅଧିଗ୍ରହଣ ପାଇଁ ୪୪ କୋଟି ଟଙ୍କା ମିଳିଥିଲା। କେବଳ ସେତିକି ନୁହେଁ, ଏବେ ମଧ୍ୟ ସାଳନ୍ଦୀ ନଦୀବନ୍ଧର ମରାମତି, ରକ୍ଷଣାବେକ୍ଷଣ ଓ ପଥର ପ୍ୟାକିଂ ନାମରେ କୋଟି କୋଟି ଟଙ୍କାର ଅନୁଦାନ ଆସୁଛି। ମାତ୍ର କାମ ଶୂନ।
୧୯୯୯ ଓ ୨୦୧୪ରେ ସାଳନ୍ଦୀର ଭୟଙ୍କର ବନ୍ୟା ଜିଲ୍ଲାର ଅନେକ ଅଞ୍ଚଳକୁ ବୁଡ଼ାଇ ଦେଇଥିଲା। ସାଳନ୍ଦୀ ବାମ ଓ ଡାହାଣ ପାର୍ଶ୍ବ ନଦୀବନ୍ଧ ଯୋଜନା ପାଇଁ ପ୍ରସ୍ତାବ ରହିଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇ ପାରୁ ନାହିଁ। ସେହିପରି ସୌନ୍ଦର୍ଯ୍ୟୀକରଣ ପାଇଁ ସାଳନ୍ଦୀର ଉଭୟ ପାର୍ଶ୍ବରେ ବନୀକରଣ ବ୍ୟବସ୍ଥା କରାଯାଉ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/18/untitled-17-2025-11-18-07-21-39.jpg)