ଭୂସ୍ଖଳନ: ଧସିଲା ୨ଶହ ଫୁଟ ନଦୀବନ୍ଧ

କୋଚିଳା ନଦୀବନ୍ଧକୁ ନେଇ ଆତଙ୍କରେ ଗ୍ରାମବାସୀ

ଧାମନଗର : ଆଜି ଅପରାହ୍‌ଣରେ ଭୂସ୍ଖଳନ ଯୋଗୁଁ କୋଚିଳା ନଦୀବନ୍ଧ ୨୦୦ ଫୁଟ୍‌ ଧସିପଡ଼ିଛି। ଏଥିସହ ବନ୍ଧର ଅନେକ ସ୍ଥାନରେ ଫାଟ ସୃଷ୍ଟିି ହୋଇଛି। କିଛିଦିନ ତଳେ ଏହି ବନ୍ଧର ଅର୍ଜୁନପୁର ପଞ୍ଚାୟତ ନିକଟ ତରେଇସାହି ପାଖରେ ଶହେ ଫୁଟ ଅତଡ଼ା ଧସି ନଦୀରେ ମିଶି ଯାଇଥିଲା। ସେବେଠୁ ଲୋକେ ଭୟଭିତ ହୋଇ ରହିଥିଲେ। ଆଜିର ଘଟଣା ପରେ ନଦୀକୂଳ ଗ୍ରାମବାସୀଙ୍କ ମନରେ ଆତଙ୍କ ଖେଳିଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ଅନ୍ତର୍ଗତ ପଧାନୀ ପଞ୍ଚାୟତରେ ଘଟିଛି ଏହି ଘଟଣା। ଏପର୍ଯ୍ୟନ୍ତ ଭୂସ୍ଖଳନର କାରଣ ଜଣାପଡ଼ି ନାହିଁ।

ପଧାନୀ ପଞ୍ଚାୟତର ଉପର ଶଇଲୋ ନିକଟରେ ଘଟିଥିବା ଆଜିର ଏହି ଘଟଣାରେ ବୈତରଣୀର ଶାଖା ନଦୀ କୋଚିଳା ନଦୀ ବନ୍ଧ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଭୂସ୍ଖଳନରେ ୨୦୦ ଫୁଟ୍‌ ନଦୀବନ୍ଧ ତ ଧସିଛି, ବନ୍ଧର ଅନେକ ସ୍ଥାନ ବି ଫାଟି ଆଁ କରିଛି। ଫଳରେ ନଦୀବନ୍ଧ ବିପଦସଙ୍କୁଳ ଅବସ୍ଥାରେ ପହଞ୍ଚିିଛି। ଭୂସ୍ଖଳନର କାରଣ କେହି କହିପାରୁ ନାହାନ୍ତି। ହେଲେ ସ୍ଥାନୀୟ ଲୋକଙ୍କ କହିବା କଥା; ଲଘୁଚାପ ଜନିତ ଲଗାଣ ବର୍ଷାରେ କୋଚିଳାରେ ବନ୍ୟା ଆସିଥିଲା। ବନ୍ୟାପାଣି ନଦୀବନ୍ଧରେ ମାଡ଼ ହୋଇଥିଲା। ବନ୍ୟା ହ୍ରାସ ପରେ ଆଜି ଭୂସ୍ଖଳନ ହୋଇଛି। ବନ୍ଧ ଭିଜି ରହିଥିବା ବେଳେ ଜଳସ୍ତର ହ୍ରାସଯୋଗୁଁ ଏପରି ଘଟିଥିବା ଲୋକେ ଆଶଙ୍କା କରୁଛନ୍ତି।

ଏ ସଂପର୍କରେ ସେଚ ବିଭାଗର କନିଷ୍ଠ ଯନ୍ତ୍ରୀ କିଶୋର କୁମାର ଦାସଙ୍କ ସହ ଯୋଗାଯୋଗ କରାଯିବାରେ ସେ ଭିନ୍ନ ମତ ଦେଇଛନ୍ତି। ନଦୀବନ୍ଧ ପାର୍ଶ୍ୱ ଜନବସତିରୁ ବର୍ଷାପାଣି ବୋହି ନଦୀକୁ ଯାଉଛି। ବନ୍ଧ ତଳେ କିଛି ସ୍ଥାନରେ କାଦୁଆ ମାଟି ରହିଛି। ଏଥିଯୋଗୁଁ ବନ୍ଧ ଦୁର୍ବଳ ହୋଇ ଭୂସ୍ଖଳନ ଘଟିଛି ବୋଲି ସେ କହିଛନ୍ତି। ଘଟଣା ପରେ ଯନ୍ତ୍ରୀ ଶ୍ରୀ ଦାସ ଘଟଣାସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କରିଛନ୍ତି। ତୁରନ୍ତ ମରାମତି ପାଇଁ ପଦକ୍ଷେପ ନେବା ବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ। ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଘଟଣାସ୍ଥଳ ଦେଖିବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି। ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ସମିତି ସଭ୍ୟ ପ୍ରଦୀପ କୁମାର ମଲ୍ଲିକ ଓ ପୂର୍ବତନ ସମିତି ସଭ୍ୟ ବିଦ୍ୟାଧର ରାଉତ ପ୍ରମୁଖ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ତୁରନ୍ତ ମରାମତି ପାଇଁ ଜଳ ସମ୍ପଦ ବିଭାଗ ନିକଟରେ ଦାବି କରିଛନ୍ତି। ଅବସ୍ଥା ଯାହା; ଏଠାରେ ବନ୍ଧ ମରାମତି ଜରୁରି ହୋଇ ପଡ଼ିଛି। ପୁଣି ଯଦି ଭୂସ୍ଖଳନ ହୁଏ, ତେବେ ବନ୍ଧପାର୍ଶ୍ୱ ଜନବସତିର ଜଗନ୍ନାଥ ଧଳ, ଇନ୍ଦ୍ରମଣି ଧଳ, କୃଷ୍ଣଚନ୍ଦ୍ର ଧଳ, ସୁରେଶ ବିଶ୍ୱାଳ, ପ୍ରକାଶ ବିଶ୍ୱାଳ, ଶାନ୍ତୁନୁ ବିଶ୍ୱାଳଙ୍କ ଘର ନଦୀ ଗର୍ଭକୁ ଚାଲିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଏଥିସହ ପଧାନୀ, ଅର୍ଜୁନପୁର ଓ ହସନାବାଦ ପଞ୍ଚାୟତ ପାଇଁ ଏହା ମହା ବିପଦକୁ ଡାକି ଆଣିବ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକେ ଦାବି କରିଛନ୍ତି; ର-ଠ ମରାମତି ନକରି ଭୂସ୍ଖଳନ ସ୍ଥାନରେ କଂକ୍ରିଟ ଓ୍ଵାଲ ନିର୍ମାଣ ହେଉ। ନଦୀବନ୍ଧରେ ପଥର ପ୍ୟାକିଂ କରାଯାଉ। ତେବେ ଯାଇ ବିପଦରୁ ତ୍ରାହି ମିଳିବ ବୋଲି ସ୍ଥାନୀୟ ଅଞ୍ଚଳର ଅକ୍ଷୟ ନାୟକ, ନୃସିଂହ ଚରଣ ଲେଙ୍କା, ଦିଲ୍ଲୀପ ବିଶ୍ୱାଳ, ଅଶୋକ କୁମାର ରାଉତ, ରୁଦ୍ରକିଶୋର ରାଉତ, ସନ୍ତୋଷ ରାୟ ପ୍ରମୁଖ କହିଛନ୍ତି। ପ୍ରାପ୍ତ ଖବର ମୁତାବକ ଆସନ୍ତା କାଲି ଜଳ ସମ୍ପଦ ବିଭାଗର ଏକ ଉଚ୍ଚସ୍ତରୀୟ ଟିମ୍‌ ଭୂସ୍ଖଳନର ତଦନ୍ତ କରିବାକୁ ଆସିବେ। ପରିସ୍ଥିତି ଅନୁଧ୍ୟାନ ପରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। କିଛି ଦିନ ତଳେ ଅର୍ଜୁନପୁରର ତରେଇସାହି ନିକଟରେ ଶହେ ଫୁଟର ଅତଡ଼ା ଧସିଥିଲା। ଅସ୍ଥାୟୀ ଭାବେ ବାଉଁଶ ଓ ବାଲିବସ୍ତା ପକାଇ ତା’ର ମରାମତିି ହୋଇଛି। ଏ ଘଟଣାରେ ସ୍ଥାୟୀ ପ୍ରତିକାର ନହେଲେ ବିରୋଧ ହେବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ; ନଦୀବନ୍ଧ ପ୍ରଶସ୍ତିକରଣ ଯୋଜନାରେ କୋଚିଳା ନଦୀ ମୁହାଣଠାରୁ ଅନଳଡିହ ପର୍ଯ୍ୟନ୍ତ ଦକ୍ଷିଣ ପାର୍ଶ୍ୱର ପ୍ରାୟ ୮କିମି ବନ୍ଧ କାମ ପାଇଁ ୧୫ କୋଟି ଟଙ୍କା ମଞ୍ଜୁର ହୋଇଛି। ହେଲେ ଠିକା ସଂସ୍ଥାର ମନ୍ଥର କାର୍ଯ୍ୟ ଯୋଗୁଁ ନିର୍ଧାରିତ ସମୟ ତିନି ବର୍ଷ ଭିତରେ ଯେ ଏହି କାମ ସରିବ, ତାହା ଜଣାପଡ଼ୁ ନାହିଁ। ଏବେ ଭୂସ୍ଖଳନ ପରେ ବୁଦ୍ଧିଜୀବୀ ମହଲ ଏନେଇ ଅଧିକ ଗୁରୁତ୍ୱ ଦେଇଛନ୍ତି।

ସମ୍ବନ୍ଧିତ ଖବର