ଡିନାମାଇଟ୍ ଲଗାଇ ଉଡ଼ାଇଦେଲେ ୨୪କୋଟିର ନଦୀବନ୍ଧ

ଭାସି ଯାଉଥିବା ବେଳେ ୨ଜଣ ଉଦ୍ଧାର, ବାଇକ୍‌ ଭାସିଗଲା, ଜଳସେଚନ ବିଭାଗର ଏତଲା

ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ କୋତପୁର ପଞ୍ଚାୟତ ବୁଦ୍ଧଲିଙ୍ଗ ଛକ-ରମାପୁର ମଝିରେ କେଲୁଅ ନଦୀବନ୍ଧର ଡାହାଣ ପାର୍ଶ୍ବରେ ଗତକାଲି ରାତି ପ୍ରାୟ ୧୦ଟାରୁ ଏକ ବିରାଟ ଘାଇ ସୃଷ୍ଟି ହୋଇଛି। ୨୪ କୋଟି ଟଙ୍କା ବିନିମୟରେ ଗତବର୍ଷ ନିର୍ମିତ ଏହି ମଜଭୁତ ନଦୀବନ୍ଧକୁ କେତେକ ଦୁର୍ବୃତ୍ତ ଡିନାମାଇଟ୍‌ ବିସ୍ଫୋରଣ କରି ଉଡ଼ାଇ ଦେଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଜାରକା ଜଳସେଚନ ବିଭାଗ ପକ୍ଷରୁ ଏହାର ଯାଞ୍ଚ କରାଯାଇଥିଲା। ଏହି ଘାଇ ମନୁଷ୍ୟକୃତ ବୋଲି ସହକାରୀ ଯନ୍ତ୍ରୀ କାମଦେବ ଦାସ କହିବା ସହ ଧର୍ମଶାଳା ଥାନାରେ ଏତଲା ଦେଇଛନ୍ତି।

ଗତକାଲି ରାତି ପ୍ରାୟ ୧୦ଟା ବେଳେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଲୋକମାନେ ପହଞ୍ଚି ଦେଖିବା ବେ‌ଳକୁ ବୁଦ୍ଧଲିଙ୍ଗ ଛକ-ରମାପୁର ମଝିରେ କେଲୁଅ ନଦୀବନ୍ଧର ଡାହାଣ ପାର୍ଶ୍ବରେ ୫୦ ଫୁଟ୍‌ ଚଉଡ଼ାର ଏକ ଘାଇ ହୋଇଯାଇଛି। ଏହି ସମୟରେ ଘାଇ ସୁଅରେ କାଏମା ଅଞ୍ଚଳର ଦେବେନ୍ଦ୍ର ସାହୁ ଓ ଆନନ୍ଦ ବାରିକ ଭାସି ଯାଉଥିବାବେଳେ‌ ସେମାନଙ୍କୁ ଲୋକେ ଉଦ୍ଧାର କରିଥିଲେ। ସେମାନଙ୍କର ଏକ ବାଇକ୍‌ ଘାଇ ଭାସିଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ଏହି ଘାଇର ଓସାର ୩୫୦ ଫୁଟକୁ ବୃଦ୍ଧି ପାଇଛି। କେଲୁଅ ନଦୀ ଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଏହି ନଦୀବନ୍ଧ ରାସ୍ତାରେ ଘାଇ ହେବା ଅଞ୍ଚଳବାସୀଙ୍କୁ ବିସ୍ମିତ କରିଛି। ଏଠାରେ ଘାଇ ହେବା ଫଳରେ ନିକଟସ୍ଥ ନୂଆପାଟଣା ଓ ସାନ ନହନଙ୍ଗରା ଗାଁରେ ପାଣି ପଶିଯାଇଛି। ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ରାତି ସୁଦ୍ଧା କଣ୍ଟିଗଡ଼ିଆ, ପଟୁଣିଆ, ମିର୍ଜାପୁର, ପାଟପୁର, ଅଭୟପୁର ଆଦି ପଞ୍ଚାୟତରେ ବନ୍ୟାଜଳ ପ‌୍ରବେଶ କରିଛି। ସେହିପରି ଦେଓଦା ପଞ୍ଚାୟତ ନିରଘାଟ-ବାସୁଦେବପୁର ଗାଁ ମଧ୍ୟସ୍ଥଳରେ ଗତକାଲି ରାତି ପ୍ରାୟ ୮ଟାରେ କେଲୁଅ ନଦୀ ବାମପାର୍ଶ୍ବ ବନ୍ଧରେ ଏକ ଘାଇ ହୋଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ଏହି ଘାଇର ଦୈର୍ଘ୍ୟ ପ୍ରାୟ ୪୦୦ ଫୁଟ ହୋଇଯାଇଛି। ଏଠାରେ ଘାଇ ହେବା ଫଳରେ ସ୍ଥାନୀୟ ଦେଓଦା ପଞ୍ଚାୟତ ସମେତ ମଙ୍ଗଳପୁର, ଉତ୍ତରପ୍ରତାପ, ବ୍ରହ୍ମବରଦା ଓ ବନ୍ଧଡ଼ିହ ପଞ୍ଚାୟତରେ ବନ୍ୟାଜଳ ପ୍ରବେଶ କରିଛି। ଏହି ଘାଇ ମଧ୍ୟ ମନୁଷ୍ୟକୃତ ବୋଲି ବିଭାଗ ପକ୍ଷରୁ ଅବଗତ କରାଯାଇଛି। ୩ ବର୍ଷ ପୂର୍ବେ ସେଚ ବିଭାଗ ପକ୍ଷରୁ ୬.୧୦ କୋଟି ଟଙ୍କା ବ୍ୟୟରେ ଏହି ନଦୀବନ୍ଧକୁ ସୁଦୃଢ଼ କରାଯାଇଥିଲା। ତେବେ ଠିକାଦାରୀ କାମ କରିବା ପାଇଁ ଲୋକଙ୍କୁ ବିପଦରେ ପକାଇ କେତେକ ଦୁର୍ବୃତ୍ତ କେଲୁଅ ନଦୀର ଦୁଇ ପାର୍ଶ୍ବକୁ ଡିନାମାଇଟ ଲଗାଇ ଉଡ଼ାଇ ଦେଇଥିବା ଚର୍ଚ୍ଚା ହେଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର