ବାଲେଶ୍ବର : ପ୍ରତିବର୍ଷ ବର୍ଷାଦିନ ଆସିଲେ ନଦୀଗୁଡ଼ିକର ଆଡ଼ିବନ୍ଧ ସୁରକ୍ଷା ସହ ନଦୀକୂଳବାସୀଙ୍କ ସୁରକ୍ଷା ନେଇ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠେ। ବିଭାଗୀୟ ଅଧିକାରୀମାନଙ୍କର ବୈଠକ ଡକାଇ ସ୍ଥିତି ଆକଳନ ସହ ନୀତି ବିଷୟରେ ଆଲୋଚନା ହୁଏ। ମାତ୍ର ବୈଠକରେ ନିଆଯାଉଥିବା ନିଷ୍ପତ୍ତି କେତେଦୂର କାର୍ଯ୍ୟକାରୀ ହୁଏ, ତାହା ହିଁ ଗୁରୁତ୍ବପୂର୍ଣ୍ଣ ବିଷୟ। ଏପରି ସମୟରେ ବାଲେଶ୍ବର ଜିଲ୍ଲା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀକୂଳରେ ଥିବା ଗାଁଗୁଡ଼ିକ କେତେ ସୁରକ୍ଷିତ, ସେନେଇ ବାସ୍ତବ ଚିତ୍ର ପରିଖିଛି ‘ସମ୍ବାଦ’ ଟିମ୍।
ବାଲେଶ୍ବର ସଦର ବ୍ଲକ୍ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତର ମାଣିକୁଲା, ଜଗନ୍ନାଥପୁର, କାଠପାଳ ଓ ନଲକୁଲା ଗ୍ରାମ ବୁଢ଼ାବଳଙ୍ଗ ନଦୀ କୂଳରେ ଅବସ୍ଥିତ। ଏହି ୪ଟି ଗ୍ରାମରେ ପ୍ରାୟ ୭୦୦ ପରିବାର ବସବାସ କରନ୍ତି। ଗମନଗମନର ସୁବିଧା ପାଇଁ ୨୦୧୨ ମସିହାରେ ଏହି ଅଞ୍ଚଳକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ଟିଆଖିଆ ଛକଠାରୁ ମାଣିକୁଲା ପର୍ଯ୍ୟନ୍ତ ଏକ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କରାଯାଇଥିଲା। ତେବେ କାଠପାଳ ଛକଠାରେ ୧୮୦ ମିଟର ରାସ୍ତାକାମକୁ ବନ୍ଦ ରଖାଯାଇ ବାକି ସବୁ ସମ୍ପୂର୍ଣ୍ଣ କରାଯାଇଥିଲା। ଏହି ସ୍ଥାନରେ ବୁଢ଼ାବଳଙ୍ଗ ନଦୀ ଓ କୋଷ୍ଟକେନାଲର ଆଡ଼ିବନ୍ଧ ଥିବାରୁ ତାହା ଜଳସେଚନ ବିଭାଗ ଦ୍ବାରା ପ୍ରଥମେ ଗାର୍ଡୱାଲ କିମ୍ବା ପଥର ପ୍ୟାକିଂ କରାଯିବା ପରେ ରାସ୍ତାକାମ ହେବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଇତିମଧ୍ୟରେ ୭ ବର୍ଷ ବିତିଯାଇଥିଲେ ବି ବିଭାଗୀୟ ଅଧିକାରୀମାନେ ସେ ଉପରେ ଆଉ ଦୃଷ୍ଟି ଦେଇନାହାନ୍ତି। ଫଳରେ ଆଡ଼ିବନ୍ଧ ସହ ରାସ୍ତା ନଦୀ ଭିତରକୁ ଧୀରେ ଧୀରେ ଧସିଗଲାଣି। ଜରୁରିକାଳୀନ ପରିସ୍ଥିତିରେ ଗାଁକୁ ଆମ୍ବୁଲାନ୍ସ, ଦମକଳ କିମ୍ବା ଅନ୍ୟ ଚାରିଚକିଆ ଗାଡ଼ି ପଶିବା ସମ୍ଭବପର ହୋଇପାରୁନାହିଁ। ବୟସ୍କ ଲୋକ ଓ ଛୋଟପିଲାମାନଙ୍କ ପାଇଁ ଏହା ସବୁଠୁ ଅଧିକ ବିପଦ ସାଜିଛି। ବହୁ ବାଇକ୍ ଓ ସାଇକଲ ଆରୋହୀ ସେଠାରେ ପଡ଼ି ଆହତ ହୋଇଛନ୍ତି। ଏନେଇ ଗ୍ରାମବାସୀ ଗୋପୀନାଥପୁର ପଞ୍ଚାୟତ ସରପଞ୍ଚଙ୍କଠାରୁ ଆରମ୍ଭ କରି ସଦର ବ୍ଲକ୍ ବିଡିଓ, ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ। ପରେ ପରେ ସଦର ବିଧାୟକଙ୍କଠାରୁ ଆରମ୍ଭ କରି ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଳସେଚନ ବିଭାଗ ଏବଂ ଶେଷରେ ଜିଲ୍ଲାପାଳଙ୍କୁ ମଧ୍ୟ ଭେଟି ସବୁ କଥା ଜଣାଇଥିଲେ। ହେଲେ ପ୍ରତିବର୍ଷ ବର୍ଷାଦିନ ଆସିଲେ କିମ୍ବା ପାଞ୍ଚବର୍ଷରେ ଥରେ ନିର୍ବାଚନ ଆସିଲେ ଏହି ଅଞ୍ଚଳକୁ ନେତା ଅଧିକାରୀଙ୍କ ପାଦ ପଡ଼ିବା ବିଭିନ୍ନ ପ୍ରତିଶ୍ରୁତି ଦିଆଯାଇ ସେଠାରେ ବାଲିବସ୍ତା ଓ ବାଉଁଶ ପୋତାଯାଏ। ହେଲେ ପରେ ଉକ୍ତ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଇଥାଏ। ଏହିଭଳି ବର୍ଷ ବର୍ଷ ଗଡ଼ି ଚାଲିଥିବା ବେଳେ ସେହି ରାସ୍ତା ସେମିତି ବିପଦସଂକୁଳ ଅବସ୍ଥାରେ ପଡ଼ିରହିଛି। ତେବେ ପୂର୍ବ ଅପେକ୍ଷା ଏବେ ସେହି ସ୍ଥାନରେ ଅଧିକ ମାତ୍ରାରେ ଆଡ଼ିବନ୍ଧ ଧସି ଯାଇଥିବା ବେଳେ ଆଗକୁ ଆସୁଥିବା ମୌସୁମୀ ବର୍ଷାରେ ତାହା ସମ୍ପୂର୍ଣ୍ଣ ନଦୀଗର୍ଭକୁ ଧସିଯିବାର ଆଶଙ୍କା ଦେଖାଦେଇଛି। ଏପରି ହେଲେ ସଂପୃକ୍ତ ୪ଟି ଗ୍ରାମର ପ୍ରାୟ ୭୦୦ ପରିବାର ଯୋଗାଯୋଗରୁ ସମ୍ପୂର୍ଣ୍ଣ ବିଚ୍ଛନ୍ନ ହୋଇଯିବ। ତେଣୁ ତୁରନ୍ତ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନିଅନ୍ତୁ। ନହେଲେ ଅଞ୍ଚଳବାସୀ ଖୁବ୍ଶୀଘ୍ର ଏହି ପ୍ରସଙ୍ଗକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବେ ବୋଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ବୃନ୍ଦାବନ ରାଉତ, ସୁଦର୍ଶନ ବିଶ୍ବାଳ, ବିଜେନ୍ଦ୍ର ପ୍ରଧାନ, ଶ୍ୟାମସୁନ୍ଦର ଜେନା, ପଦ୍ମଲୋଚନ ପ୍ରଧାନ, ଜୟନ୍ତ ପ୍ରଧାନ, ଅନନ୍ତ ଦାସ, ତ୍ରିଲୋଚନ ଖଟୁଆ, ହରିଶ୍ଚନ୍ଦ୍ର ଖଟୁଆ ପ୍ରମୁଖ ଚେତାବନୀ ଦେଇଛନ୍ତି।
ଏନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ଏସ୍ଇ) ନନ୍ଦଦୁଲାଲ ଘଡ଼େଇଙ୍କୁ ପଚାରିବାରୁ ସେ ଉକ୍ତ ରାସ୍ତା ସମ୍ପର୍କରେ ଅବଗତ ଥିବା କହିଥିଲେ। ସେଠାରେ ଜଳସେଚନ ବିଭାଗ ଗାର୍ଡୱାଲ କିମ୍ବା ପଥରପ୍ୟାକିଂ କରିବା ପରେ କାମ ହେବାକୁ ନିଷ୍ପତ୍ତି ହୋଇଥିବାରୁ ରାସ୍ତା କାମ ବାକି ରହିଛି। ତେଣୁ ଖୁବ୍ଶୀଘ୍ର ତାହା ଯେପରି ହୋଇପାରିବ, ସେ ବିଷୟରେ ସେ ଜଳସେଚନ ବିଭାଗକୁ ଏକ ଚିଠି ଲେଖିଥିବା କହିଛନ୍ତି। ଅନ୍ୟପକ୍ଷରେ ଜଳସେଚନ ବିଭାଗର ବିଭାଗୀୟ ଯନ୍ତ୍ରୀ ନୀଳମଣି ଜେନାଙ୍କ ମତାମତ ନିଆଯାଇଥିଲା। ସେ ନଦୀପାର୍ଶ୍ବରେ ଆଡ଼ିବନ୍ଧକୁ ଗାର୍ଡୱାଲ ମାଧ୍ୟମରେ ନିର୍ମାଣ କରାଯିବା ପାଇଁ ଟେଣ୍ଡର ପ୍ରକ୍ରିୟା ସରିଥିବା ବେଳେ ବର୍ଷାଦିନ ପୂବର୍ରୁ ଏହା ସରିଯିବ ବୋଲି ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/river-balasore-1.jpeg)