ଯାଜପୁର, (ସଂଗ୍ରାମକେଶରୀ ସିଂହ) : ନିକଟରେ ବନ୍ୟା ଆସି ଯାଜପୁର ଜିଲ୍ଲାରେ ଘାଇ ସୃଷ୍ଟି ହେବା ଘଟଣାକୁ ନେଇ କେନ୍ଦ୍ରକରି ହୋଇ ଆସୁଥିବା ଚର୍ଚ୍ଚା ଥମି ନାହିଁ। ଯାଜପୁର ଡିଭିଜନ ଅଧୀନ‌ରେ ଥିବା ବୈତରଣୀ, ବୁଢା, କାଣୀ ନଦୀରେ ୫‌ଟି ଘାଇ ହୋଇଛି। ଜାରକା ଡିଭିଜନ ଅଧୀନରେ ଥିବା ବ୍ର‌ାହ୍ମଣୀ, ଖରସ୍ରୋତା ଓ କେଲୁଅ ନଦ‌ୀବନ୍ଧ ମରାମତି ହୋଇ ନଥିବାରୁ ଏକକାଳୀନ ୨୫ଟି ଘାଇ ହୋଇଥିବା ପ୍ରଶାସନ ସ୍ବୀକାର କରିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଡିନାମାଇଟ୍‌ ଲଗାଇ କେଲୁଅ ନଦୀବନ୍ଧରେ ଘାଇ ସୃଷ୍ଟି କରି ହଜାର ହଜାର ଲୋକଙ୍କୁ ବିପନ୍ନ ମୁହଁକୁ ଠେଲି ଦିଆଯାଇଛି। ଏହିଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀ ଦଳ ସ୍ବର ଉଠାଇବାରେ ସକ୍ଷମ ହୋଇନାହିଁ। ସାଧାରଣରେ ଏବେ ପ୍ରଶ୍ନ ଉଠିଛି ପ୍ରକୃତରେ ବିରୋଧୀ ଦଳ ଦୁର୍ବଳ ନା ଶାସକ ଦଳ ସବଳ?

Advertisment

ନିକଟରେ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁ ଯାଜପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିଲା। ବୈତରଣୀ, ଖରସ୍ରୋତା ତଥା ଏହାର ଶାଖା ନଦୀଗୁଡ଼ିକରେ ଏକକାଳୀନ ବନ୍ୟା ଯୋଗୁ ଜିଲ୍ଲାର ସମସ୍ତ ୧୦ଟି ବ୍ଳକ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେବେ, ଏହି କ୍ଷୟକ୍ଷତି ପଛରେ ଘାଇ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଅଭିଯୋଗ ହେଉଛି ଯେ, ଏହା ହେଉଛି ମନୁଷ୍ୟ କୃତ ଘାଇ। ଡିନାମାଇଟ୍ ଲଗାଇ ଧର୍ମଶାଳାର କେଲୁଅ ନଦୀବନ୍ଧରେ ଘାଇ ସୃଷ୍ଟି କରିବା ଘଟଣାକୁ ବି ସାଧାରଣ ଲୋକ ସହଜରେ ଗ୍ରହଣ କରିପାରିନାହାନ୍ତି। ଏହି ଯୋଗୁ ହଜାର ହଜାର ଲୋକଙ୍କୁ ବିପନ୍ନ ମୁହଁକୁ ଠେଲି ଦିଆଯାଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଉଭୟ ଯାଜପୁର ଓ ଜାରକା ଡିଭିଜନ୍‌ ଅଧୀନରେ ଏହି ଘାଇ ସୃଷ୍ଟି ହୋଇଛି, ଯିଏ କି ନଦୀବନ୍ଧ ନିର୍ମାଣରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛି। ଯାଜପୁର ଜଳସେଚନ ଡିଭିଜନରେ ୫ଶହ କୋଟିରୁ ଅଧିକ ଟଙ୍କା ବ୍ୟୟ ହୋଇଥିବାବେଳେ ଜାରକା ଡିଭିଜନରେ ମାତ୍ର ୮୦ କୋଟି ଟଙ୍କା ଅନୁଦାନ ମିଳିଛି। ଯାଜପୁର ଡିଭିଜନ ଅଧୀନ‌ରେ ଥିବା ବୈତରଣୀ, ବୁଢା, କାଣୀ ନଦୀରେ ୫‌ଟି ଘାଇ ହୋଇଛି। ଜାରକା ଡିଭିଜନ ଅଧୀନରେ ଥିବା ବ୍ର‌ାହ୍ମଣୀ, ଖରସ୍ରୋତା ଓ କେଲୁଅ ନଦ‌ୀବନ୍ଧ ମରାମତି ହୋଇ ନଥିବାରୁ ଏକକାଳୀନ ୨୫ଟି ଘାଇ ହୋଇଥିବା ପ୍ରଶାସନ ସ୍ବୀକାର କରିଛି।

ଏହିଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଜନଅସନ୍ତୋଷ ବୃଦ୍ଧି ପାଇଥିବାବେଳେ ବିରୋଧୀ ଦଳ ପକ୍ଷରୁ ସ୍ବର ତୀବ୍ର ନ ହେବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଏହି ଘଟଣାରେ ବିଜେପି ଓ କଂଗ୍ରେସ ଦଳ ଘଟଣାସ୍ଥଳ ପରିଦର୍ଶନ କରି ବେଶ ତମ୍ବିତୋଫାନ କରିଥିଲେ। ମାତ୍ର, ଏବେ ଚୁପ୍‌ ହୋଇବସିଛନ୍ତି। ଏପରିକି ଦଶରଥପୁରରେ ଘାଇ କାଟୁଥିବାର ଭିଡ଼ିଓ ଓ ଫଟୋ ଭାଇରାଲ ଘଟଣାକୁ ଉଭୟ ଦୁଇ ବିରୋଧୀ ଦଳ ଅସ୍ତ୍ର କରିଥିଲା। ମାତ୍ର, ଘଟଣାସ୍ଥଳ ପରିଦର୍ଶନ ସମୟରେ ଗଣମାଧ୍ୟମରେ ବିବୃତି ଦେଇ ନିଜର ଦାୟିତ୍ବ ଶେଷ କରିଛନ୍ତି। ତେବେ, ଏହି ପ୍ରସଙ୍ଗରେ ରାଜନୈତିକ ଦଳ ପକ୍ଷରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ବି‌ଜେପି ଜିଲ୍ଲା ସଭାପତି ଗୌତମ ରାୟ କହିଛନ୍ତି ଯେ, ‘ଜିଲ୍ଲାରେ ଦୁର୍ନୀତି, ମନୁଷ୍ୟ କୃତ ଘାଇ ହେଉ ଅବା ସ୍ମିତାରାଣୀ ଘଟଣା ସବୁଠି ବିଜେପି ସ୍ବର ଉଠାଇଛି। କରୋନା ଶାସକ ଦଳର ମନମାନିକୁ ବଢାଇଛି। ପୁଣି ଆମର କାର୍ଯ୍ୟକ୍ରମ ଜୋରଦାର ହେବ।’ ସେହିଭଳି କଂଗ୍ରେସ ଜିଲ୍ଲା ସଭାପତି ମନୋଜ ରାଉତଙ୍କ ମତ ହେଉଛି, ଶାସକ ଦଳ ସବଳ ନିଶ୍ଚିତ, ‌ତେବେ ବିରୋଧୀ ଦଳର ‌ସ୍ବରକୁ ଶାସକ ଦଳ ଓ ପ୍ରଶାସକ ଚାପି ଦେଉଛନ୍ତି। ଅନ୍ୟପକ୍ଷରେ, ଜିଲ୍ଲାରେ ବିରୋଧୀ ଦଳ କାର୍ଯ୍ୟ କରୁନଥିବା ବିଜେଡି ମଧ୍ୟ ମତାମତ ପ୍ରଦାନ କରିବାକୁ ଭୁଲି ନାହିଁ। ବିଜେଡି ଜିଲ୍ଲା ସଭାପତି ସରୋଜ ମହାପାତ୍ର କହିଛନ୍ତି ଯେ, ‘ଜିଲ୍ଲାରେ ବିରୋଧୀ ଦଳ ନାହିଁ। ଶାସକ ଦଳରେ ଭିନ୍ନ ଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ଶାସକ ଓ ବିରୋଧୀ ଦଳ ଭୂମିକା ଗ୍ରହଣ କରୁଛନ୍ତି।’